Onn 3

ଟ୍ରେନ ଦୁର୍ଘଟଣାରେ ପଶ୍ଚିମବଙ୍ଗର ୬୨ ଜଣଙ୍କ ମୃତ୍ୟୁ, ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ମମତା

National & International

କୋଲକାତା : ଓଡ଼ିଶାର ବାଲେଶ୍ୱର ଠାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଲୋକ ରହିଛନ୍ତି। ପଶ୍ଚିମବଙ୍ଗର ଶାଲିମାରରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ, ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ ଓ ଗୋଟିଏ ମାଲବାହୀ ଟ୍ରେନ ମଧ୍ୟରେ ବାଲେଶ୍ୱରର ବାହାନଗାରେ ଶୁକ୍ରବାର ସନ୍ଧ୍ୟାରେ ଧକ୍କା ହୋଇଥିଲା। ପ୍ରାଣ ହରାଇଥିବା ୨୭୫ ଜଣ ଲୋକଙ୍କ ମଧ୍ୟରେ ୬୨ ଜଣ ପଶ୍ଚିମବଙ୍ଗର ବୋଲି ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୂଚନା ଦେଇଛନ୍ତି।
ଆଜି ସେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଦୁର୍ଘଟଣାରେ ପଶ୍ଚିମବଙ୍ଗର ୬୨ ଜଣ ଲୋକ ପ୍ରାଣ ହରାଇଛନ୍ତି। ୨୦୬ ଜଣ ରାଜ୍ୟରେ ଚିକିତ୍ସିତ ହେଉଛନ୍ତି। ପଶ୍ଚିମବଙ୍ଗର ଆଉ ୭୩ ଜଣ ଓଡ଼ିଶାର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି। ଓଡ଼ିଶାର ବିଭିନ୍ନ ହସ୍ପିଟାଲରେ ଥିବା ବେଙ୍ଗଲର ୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ୧୮୨ ଜଣଙ୍କୁ ଏଯାଏ ଚିହ୍ନଟ କରାଯାଇ ପାରି ନଥିବା ସେ କହିଛନ୍ତି।
ଦୁର୍ଘଟଣା ପରେ ଓଡ଼ିଶା ସରକାରଙ୍କୁ ସମସ୍ତ ପ୍ରକାରର ସହାୟତା ପଶ୍ଚିମବଙ୍ଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ମଧ୍ୟ ମମତା କହିଛନ୍ତି। ସେ କହିଛନ୍ତି, “ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ଥିଲା। ଯେଉଁଦିନ ଦୁର୍ଘଟଣା ଘଟିଲା ଆମେ ୧୫୦ ଆମ୍ବୁଲାନ୍ସ, ୫୦ ଜଣ ଡାକ୍ତର, ନର୍ସ, ଏକାଧିକ ବସ୍‌ ଓ ବିପର୍ଯ୍ୟୟ ପ୍ରଶମନ ଟିମକୁ ଘଟଣାସ୍ଥଳକୁ ପଠାଇଥିଲୁ। ଆମେ ଓଡ଼ିଶା ସରକାରଙ୍କୁ ପୂର୍ଣ୍ଣ ସହଯୋଗ କରି ଆସିଛୁ।”
ଦିଦି ଆହୁରି କହିଛନ୍ତି ଯେ ବାଲେଶ୍ୱର ଦୁର୍ଘଟଣାରୁ ବର୍ତ୍ତି ଯାଇ ଘରକୁ ଫେରିଥିବା ଲୋକମାନେ ମାନସିକସ୍ତରରେ ଦୁର୍ବଳ ହୋଇଯାଇଛନ୍ତି। ଯେଉଁମାନେ ଟ୍ରମାରେ ଅଛନ୍ତି, ସେମାନଙ୍କୁ ରାଜ୍ୟ ସରକାର ୧୦ ହଜାର ଟଙ୍କା ଲେଖାଏ ଦେବେ। ସେହିପରି ଆଗାମୀ ୩ ମାସ ଯାଏ ପ୍ରତି ପରିବାରକୁ ୨ ହଜାର ଟଙ୍କା ଓ ସମସ୍ତ ପ୍ରକାରର ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ମମତା ଘୋଷଣା କରିଛନ୍ତି।
ଦୁର୍ଘଟଣା ଗ୍ରସ୍ତ ଟ୍ରେନ ଓ ରାସ୍ତାରେ ଦୁର୍ଘଟଣା ରୋକିବାକୁ ରେଳବାଇ କବଚ ବ୍ୟବସ୍ଥା କରି ନଥିବାରୁ ଏହାକୁ ନେଇ ମଧ୍ୟ ଦିଦି ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତକାଲି ମମତା ବାହାନଗା ସ୍ଥିତ ଦୁର୍ଘଟଣା ସ୍ଥଳକୁ ଆସି କବଚ କଥା ଉଠାଇଥିଲେ। ଏଥିସହ ମୃତ୍ୟୁସଂଖ୍ୟାକୁ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ କଥା କଟାକଟିରେ ମାତି ଯାଇଥିଲେ। ଆଜି ସେ ପୁଣି କବଚ ପ୍ରସଙ୍ଗ ଉଠାଇଛନ୍ତି।
ସେ କହିଛନ୍ତି, “ମୋ ପାଖରେ ଥିବା ତାଲିକା ଅନୁସାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ କେନ୍ଦ୍ର ସରକାରଙ୍କ ତାଲିକାରେ ଏହି ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ମୃତ୍ୟୁସଂଖ୍ୟାକୁ ନେଇ ସରକାର ଭୁଲ ତଥ୍ୟ ଦେଉଛନ୍ତି।
କାଲି ମୋ ପାଖରେ ରେଳମନ୍ତ୍ରୀ ଓ ଧମେନ୍ଦ୍ର ପ୍ରଧାନ ଛିଡ଼ା ହୋଇଥିଲେ। ମୁଁ କିଛି ବି କହି ନଥିଲି। ମୁଁ ଚାହିଁଥିଲେ ବହୁତ କିଛି କହି ପାରିଥାଆନ୍ତି, କାରଣ ମୁଁ ନିଜେ ରେଳମନ୍ତ୍ରୀ ଭାବେ କାମ କରିଛି। କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗାଲୁରୁ-ହାୱାଡା ଏକ୍ସପ୍ରେସରେ କାହିଁକି ସୁରକ୍ଷା କବଚ ନଥିଲା? ରେଳବାଇ କେବଳ ବିକ୍ରି ହେବା ପାଇଁ ସେମାନେ ଛାଡ଼ି ଦେଇଛନ୍ତି।”