Onn 3

ଭକ୍ତଙ୍କୁ ଗଜବେଶରେ ଦର୍ଶନ ଦେଲେ ମହାପ୍ରଭୁ

Religion and Cult State

ପୁରୀ :  ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ସ୍ନାନବେଦୀରେ ରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ସ୍ନାନଯାତ୍ରା। ରତ୍ନବେଦୀରୁ ସ୍ନାନବେଦୀକୁ ଆସି ସୁନା କୂଅର ୧୦୮ ସୁବାସିତ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଘଣ୍ଟଘଣ୍ଟା, ମୃଦଙ୍ଗ, ହୁଳହୁଳି, ଶଙ୍କଧ୍ୱନି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ପରିବେଶ। ପବିତ୍ର ସ୍ନାନ ପୂର୍ଣ୍ଣିମା ପାଇଁ ଭୋରରୁ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ନୀତିକାନ୍ତି। ଧାଡ଼ି ପହଣ୍ଡିରେ ସ୍ନାନପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଳଭଦ୍ର, ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରି ଅଣାଯାଇଥିଲା। ଶେଷରେ ଝୁଲି ଝୁଲି ଆସିଥିଲେ କାଳିଆ ସାଆନ୍ତେ। ବିଭିନ୍ନ ନୀତି ପରେ ସେବାୟତମାନେ ସୁନାକୂଅରୁ ଆଣିଥିବା ୧୦୮ ଗରା ସୁବାସିତ ଜଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନ କରାଇଥିଲେ। ମଧ୍ୟାହ୍ନ ୧୨ଟା ୧୫ରେ ଛେରାପହଁରା ପରେ ୧୨ଟା ୪୫ରୁ ସାଢ଼େ ୨ଟା ଭିତରେ ଶ୍ରୀଜିଉ ଗଜବେଶ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଶ୍ରୀମନ୍ଦିରରେ ଜଣେ ଭକ୍ତଙ୍କ ମୃତ୍ୟୁ ପାଇଁ ମହାସ୍ନାନ କରାଯାଇଥିଲା। ଏଥିପାଇଁ ନୀତିକାନ୍ତି ବିଳମ୍ବ ହୋଇଥିଲା।

ସ୍ନାନ ନୀତି ପରେ ତାମଯାନରେ ଆସି ପହଞ୍ଚିଥିଲେ ଶ୍ରୀଜିଉଙ୍କର ଆଦ୍ୟସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ। ସ୍ନାନବେଦୀରେ ସେ ଛେରା ପହଁରା କରିଥିଲେ। ଏହାପରେ ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସୁଭଦ୍ରା ଗଜବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଶୁଭ୍ର ରଙ୍ଗର ଗଜବେଶରେ ମହାପ୍ରଭୁ ଓ ହଳଦିଆ ରଙ୍ଗର ଗଜବେଶରେ ବଡ଼ଠାକୁର ଦର୍ଶନ ଦେଇଛନ୍ତି। ମହାପ୍ରଭୁଙ୍କ ଏହି ଅପୂର୍ବ ବେଶ ‌ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମନେ କରିଛନ୍ତି। ପ୍ରବଳ ଖରା ଓ ଗୁଳୁଗୁଳି ସତ୍ତ୍ବେ ଭକ୍ତମାନେ ଏହି ବେଶ ଦର୍ଶନ କରି ବହୁତ ଖୁସି ଅନୁଭବ କରିଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଥିଲା ବ୍ୟାପକ ବ୍ୟବସ୍ଥା।

ଅତ୍ୟଧିକ ସ୍ନାନ ଯୋଗୁ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୁଅନ୍ତି। ଏଥିପାଇଁ ଚତୁର୍ଦ୍ଧାମୂର୍ତ୍ତି ଅଣସର ଘରକୁ ବିଜେ କରିବେ। ଆସନ୍ତାକାଲିଠୁ ଚାଲିବ ଗୁପ୍ତ ସେବା। ୧୫ ଦିନ ଧରି ମହାପ୍ରଭୁ ଅଣସର ଘରେ ରହୁଥିବାରୁ ଦର୍ଶଚ଼ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଅଣସର ସମୟରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟି ଦିଅଁ।