Onn 3

କେନ୍ଦ୍ର-ରାଜ୍ୟ ସରକାରଙ୍କ ସମନ୍ବୟ ଯୋଗୁଁ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିଛି: ମନସୁଖ ମାଣ୍ଡଭିୟ

State

କଟକ/ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ନିକଟରେ ଗତ ୨ ତାରିଖ ସନ୍ଧ୍ୟା ସମୟରେ ଟ୍ରେନ ଦୁର୍ଘଟଣାରେ ଆହତମାନଙ୍କୁ ଆଜି ଅପରାହ୍ନରେ ତିନି କେନ୍ଦ୍ରମନ୍ତ୍ରୀ ଭେଟିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ, ଶିକ୍ଷା, ଦକ୍ଷତା, ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ କଟକ ବଡ଼ମେଡିକାଲରେ ଆହତମାନଙ୍କୁ ଭେଟି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ଏସସିବି ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ତିନି କେନ୍ଦ୍ର ମନ୍ତ୍ରୀ ଏସସିବି ଅଧିକ୍ଷକ, ଡିନ, ପ୍ରଫେସର୍, ପିଜି ଛାତ୍ରମାନଙ୍କ ସହ ଆଲୋଚନା କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ମାଣ୍ଡଭିୟ କହିଥିଲେ ଦେଶରେ ଏସସିବି ର ନାମ ଯଥେଷ୍ଟ ରହିଛି। ଏହି ଟ୍ରେନ ଦୁର୍ଘଟଣାରେ ଗୁରୁତର ଆହତଙ୍କ ଚିକିତ୍ସାରେ ଯେଉଁ ତତ୍ପରତା ଦେଖାଇଛନ୍ତି ସେଥି ପାଇଁ ଏସସିବିର ଗୁରୁତ୍ୱ ଆହୁରି ବଢ଼ି ଯାଇଛି। କେନ୍ଦ୍ର-ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସମନ୍ବୟ ଯୋଗୁଁ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିଛି।

ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ପ୍ରଶାସନିକ ଅଧିକାରୀ ଏହି ଉଦ୍ଧାର କାର୍ଯ୍ୟ ବେଶ୍ ଆନ୍ତରିକତା ସହ କରିଛନ୍ତି। ସବୁ ବିଭାଗ ମଧ୍ୟରେ ସମନ୍ଵୟ ଯୋଗୁଁ ଲୋକଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପାରିଛି।

ଓଡ଼ିଶାରେ ଡାକ୍ତରୀ ପେଶା ଏକ ସେବା ବୋଲି ରାଜ୍ୟବାସୀ ପ୍ରମାଣିତ କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଲୋଚନା ସମୟରେ ଶ୍ରୀ ପ୍ରଧାନ କହିଥିଲେ ସମସ୍ତ ଆହତଙ୍କୁ ସୁସ୍ଥ କରାଇ ସେମାନଙ୍କ ପରିବାର ବର୍ଗଙ୍କ ପାଖରେ ପହଞ୍ଚାଇବା ଆମ୍ଭ ମାନଙ୍କ ପ୍ରଥମ ଲକ୍ଷ୍ୟ। ଏ ଦିଗରେ ସମସ୍ତେ ଅଧିକ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ।

ସୂଚନା ଯୋଗ୍ୟ ଯେ ରବିବାର ମଧ୍ୟାହ୍ନ ସୁଦ୍ଧା ୨୦୩ ଜଣ ଟ୍ରେନ ଦୁର୍ଘଟଣାରେ ଗୁରୁତର ହୋଇଥିବା ଲୋକଙ୍କୁ ଭର୍ତ୍ତି କରାଯାଇଛି। ସେମାନଙ୍କୁ ସର୍ଜରୀ, ଅର୍ଥପେଡିକ ଓ ନିୟୁରୋସର୍ଜରି ବିଭାଗରେ ରଖାଯାଇ ଚିକିତ୍ସା କରାଯାଉଛି। ସେହିପରି ଆହତମାନଙ୍କ ମଧ୍ୟରୁ ୧୩ ଜଣଙ୍କୁ ଚିକିତ୍ସା ପରେ ଛାଡି ଦିଆଯାଇଛି। ୭ ଜଣ ଗୁରତରଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି। ଶୁକ୍ରବାର ଠାରୁ ଏ ପର୍ଯ୍ୟନ୍ତ ପ୍ରାୟ ୭ ଜଣଙ୍କର ଅସ୍ତ୍ରୋପଚାର କରାଯାଇ ସାରିଲାଣି ବୋଲି ଜରୁରୀକାଳୀନ ଅଧିକାରୀ ଡକ୍ଟର ଭୁବାନା ନନ୍ଦ ମହାରଣା ସୂଚନା ଦେଇଛନ୍ତି। ସମସ୍ତ ଆହତଙ୍କୁ ଆବଶ୍ୟକତା ଅନୁଯାୟୀ ଚିକିତ୍ସା ସେବା ମାଗଣାରେ ଯୋଗାଇ ଦିଆ ଯାଉଛି। ୧୦ଜଣଙ୍କୁ ଛାଡିଦେଲେ ପ୍ରାୟ ସବୁ ଗୁରୁତରଙ୍କ ପରିଚୟ ମିଳିଛି। ଜିଲ୍ଲା ପ୍ରଶାସନ, ଏସସିବି ପକ୍ଷରୁ ସେମାନଙ୍କ ପରିବାରକୁ ଦୁର୍ଘଟଣା ଏବଂ ତାଙ୍କ ସମ୍ପର୍କୀୟ ଚିକିତ୍ସିତ ହେଉଥିବା ସୂଚନା ପ୍ରଦାନ କରାଯାଇଛି।

ଏହା ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମାଣ୍ଡଭିୟ ଭୁବନେଶ୍ୱର ଏମ୍ସରେ ପହଞ୍ଚିବା ପରେ ଡାକ୍ତରମାନଙ୍କର ଏକ ବୈଠକ ନେଇଥିଲେ। ସେ କହିଥିଲେ, ଦିଲ୍ଲୀର ଏମ୍ସ, ରାମ ମନୋହର ଲୋହିଆ, ଲେଡି ହାର୍ଡିଁ ହସ୍ପିଟାଲରୁ ଆସିଛନ୍ତି। ବାୟୁ ସେନାର ସ୍ଵତନ୍ତ୍ର ବିମାନରେ ସେମାନେ ଭୁବନେଶ୍ୱର ଆସୁଛନ୍ତି। ଯେହେତୁ ଶତାଧିକରୁ ଗୁରୁତର ରୋଗୀ ବାଲେଶ୍ଵର, ସୋର, ଭଦ୍ରକ ଓ କଟକ ମେଡିକାଲରେ ଅଛନ୍ତି, ସେମାନଙ୍କୁ କିଭଳି ଉତ୍ତମ ଚିକିତ୍ସା ମିଳିବ, ଆବଶ୍ୟକତା ଅନୁସାରେ ଅନ୍ୟ କେଉଁ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯିବ ସେ ନେଇ ଏମ୍ସ ନିର୍ଦ୍ଦେଶକ ଓ ଡାକ୍ତରୀ ଟିମ୍ ସହିତ ଆଲୋଚନା କରିଛି। ବିଶେଷଜ୍ଞ ଡ଼ାକ୍ତରମାନେ ସାଥୀରେ କିଛି ଚିକିତ୍ସା ଉପକରଣ ଓ ଔଷଧ ମଧ୍ୟ ଆଣିଛନ୍ତି।