Onn 3

ପିଲାଚୋରି ନିମନ୍ତେ ଉଦ୍ୟମ, ବାଇକ୍ ଜବତ, ଥାନାରେ ମାମଲା ରୁଜୁ

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ସୁକରପଡା ଗ୍ରାମପଂଚାୟତ ହଳଧରପୁର ଗ୍ରାମରେ ଏକ ପିଲାଚୋରି ଉଦ୍ୟମ ଭଣ୍ଡୁର ହୋଇଯାଇଛି । ଏହି ଘଟଣାରେ ପୋଲିସ ଏକ ବାଇକକୁ ଜବତ କରିଥିଲାବେଳେ ଥାନାରେ ଏକ ମାମଲା ରୁଜୁ ହୋଇଥିବାର ଥାନା ଆଆଇସି ଚିନ୍ମୟୀ ସାହୁଙ୍କ ସୂତ୍ରରୁ ପ୍ରକାଶ । ଗତ ୨୨ ତାରିଖ ରାତ୍ରରେ ହଳଧରପୁର ଗ୍ରାମର ଗଣେଶ ମଲିକ ତାଙ୍କର ପତ୍ନୀ ଓ ୩ ସନ୍ତାନକୁ ନେଇ ଘରେ ଶୋଇଥିଲେ । ରାତ୍ରର ବିଳମ୍ବିତ ପ୍ରହରରେ ସ୍ଥାନୀୟ ଗ୍ରାମର ଦୁଇ ଜଣ ଯୁବକ ତାଙ୍କ ଘରର କବାଟ ଭାଙ୍ଗି ଘରେ ପ୍ରବେଶ କରିଥିଲେ । ଗଣେଶଙ୍କ ପତ୍ନୀ ଶୁଭଲକ୍ଷ୍ମୀଙ୍କ କୋଳରେ ତାଙ୍କର ୭ ବର୍ଷର କନ୍ୟା ଦୁର୍ଗାରାଣୀ ଶୋଇଥିଲେ । ଏହି ସମୟରେ ଦୁବୃର୍ତମାନେ ମା କୋଳରୁ ଦୁର୍ଗାରାଣୀଙ୍କୁ ଚୋରିକରିନେବା ନିମନ୍ତେ ଉଦ୍ୟମ କରିଥିଲେ ।

ଏହି ସମୟରେ ଜଣେ ଦୁବୃର୍ତ ଶୁଭଲକ୍ଷ୍ମୀଙ୍କ ଉପରେ ପଡିଯାଇଥିଲେ । ଶୁଭଲକ୍ଷ୍ମୀ ଚିତ୍କାର କରିବାରୁ ତାଙ୍କର ସ୍ୱାମୀ ଗଣେଶ ଉଠି ପଡି ଜଣେ ଦୁବୃର୍ତଙ୍କୁ କାବୁ କରିନେଇଥିଲେ । ଏଥିରେ ପ୍ରତିହିଂସା ପରାୟଣ ହୋଇ ସମ୍ପୃକ୍ତ ଦୁବୃର୍ତ ଦ୍ୱୟ ଗଣେଶକୁ ଅତ୍ୟନ୍ତ ଅମାନୁଷିକ ଭାବେ ମାଡ ମାରିବା ସହ ତାଙ୍କ ଘରେ ଭ୍ୟାନିଟରେ ଥିବା ୧୦ ହଜାର ଟଙ୍କା ଲୁଟିନେଇ ପଳାଇଯାଇଥିଲେ । ମାତ୍ର ଗଣେଶ ଦୁବୃର୍ତଙ୍କ ବାଇକ୍ ଓଡି ୦୫ ପି ୦୮୦୩କୁ ମାଡିବସିଥିଲେ । ଫଳରେ ଦୁବୃର୍ତମାନେ ଗାଡି ଛାଡି ପଳାଇ ଯାଇଥିଲେ । ଗଣେଶ ଏହି ବାଇକକୁ ନିଶ୍ଚିନ୍ତକୋଇଲି ଥାନା ପୋଲିସକୁ ହସ୍ତାନ୍ତର କରିଥିଲେ । ଏହି ଘଟଣା ର ଆପୋଷ ସମାଧାନ ସୁକରପଡା ଗ୍ରାମପଂଚାୟତ କାର୍ଯ୍ୟାଳୟରେ ହେବାର ଥିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିମାନେ ପଂଚାୟତରେ ହାଜର ହୋଇନଥିଲେ ।

ଫଳରେ ଏସମ୍ପର୍କରେ ଶୁଭଲକ୍ଷ୍ମୀ ନିଶ୍ଚିନ୍ତକୋଇଲି ଥାନାରେ ଆଜି ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ଥାନାରେ ଏକ ମାମଲା ରୁଜୁ ହୋଇଥିବାର ଥାନା ଆଇଆଇସି ଚିନ୍ମୟୀ ସାହୁଙ୍କ ସୂତ୍ରରୁ ପ୍ରକାଶ । ଅପରପକ୍ଷରେ ଏହି ଘଟଣା ପଛରେ ବହୁ ଲୁକାୟିତ ରହସ୍ୟ ରହିଥିବା ଘଟଣା ସାଧାରଣରେ ଚାପା ଗୁଞ୍ଜରଣ ପ୍ରକାଶ ପାଇଛି । ଏହି ଘଟଣା ରେ ଏକ ଗୃଢ ରହସ୍ୟ ଲୁଚିରହିଥିବା ଚର୍ଚ୍ଚା ଜୋର ଧରିଛି ।