ଆଗରପଡ଼ା :କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଣାଳୟ ପକ୍ଷରୁ ରାଜ୍ୟର ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କ ବ୍ୟାଗ ଓଜନ ଉପରେ କଟକଣା କରାଯାଇଛି । ଉକ୍ତ ନିର୍ଦ୍ଦେଶକୁ ଇତି ମଧ୍ୟରେ ୭ବର୍ଷ ପୂରିବା ସହ ରାଜ୍ୟରେ ଆଉ ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ଆଉ ଏକ ନୂତନ ଶିକ୍ଷା ବର୍ଷ । କିିନ୍ତୁ ନିର୍ଦ୍ଦେଶନାମା କେବଳ କାଗଜ କଲମରେ ସୀୀମିତ ରହିଯାଇଛି । ନା ବିଭାଗୀୟ ଅଧିକାରୀ ନା ସ୍କୁଲ କର୍ତ୍ତୃପକ୍ଷ କେହିବି ଉକ୍ତ ନିୟମକୁ ପାଳନ କରୁନଥିବାରୁ ଅଭିଭାବକଙ୍କ ଚିନ୍ତା ବଢିବାରେ ଲାଗିଛି । ସରକାର ତାଙ୍କ ନିର୍ଦ୍ଦେଶ ନାମାରେ ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ ଓଜନ ଠାରୁ ଅଧିକ ଓଜନର ବ୍ୟାଗ ଯେମିତି ପରିବହନ ନକରନ୍ତି ସେଥିପ୍ରତି ଗୁରୁତ୍ୱ ଆରୋପ କରିବା ସହ ଜିଲ୍ଲାସ୍ତରିୟ କମିଟି ଗଠନ କରିଥିଲେ ସୁଦ୍ଧା ଏହା ଆଜି ପର୍ଯ୍ୟନ୍ତ ପାଳିତ ହୋଇପାରିନାହିଁ । ୨୦୧୯ ମସିହା ମାର୍ଚ୍ଚ ମାସ ୮ ତାରିଖ ଗାଇଡ଼ଲାଇନ ଅନୁସାରେ ପିଲାଙ୍କ ସ୍କୁଲବ୍ୟାଗ ପରିବହନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ସ୍କୁଲକୁ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ସଂପର୍କରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଅତିରିକ୍ତ ସଚିବ ହାଇକୋର୍ଟରେ ମଧ୍ୟ ସତ୍ୟପାଠ ଦାଖଲ କରିଥିଲେ । ୨୦୧୮ ମସିହା ଅକ୍ଟୋବର ୨୦ ତାରିଖରେ ଜାରି ହୋଇଥିବା ଗାଇଡଲାଇନ ଅନୁଯାୟୀ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବ୍ୟାଗର ଓଜନ ୧.୫ କେ.ଜି ରଖାଯାଇଥିବା ବେଳେ ତୃତୀୟରୁ ୫ମ ଶ୍ରେଣୀର ପିଲାଙ୍କ ପାଇଁ ୨ ରୁ ୩ କେ.ଜି. ୬ଷ୍ଠ ଓ ୭ମ ଶ୍ରେଣୀର ପିଲାଙ୍କ ପାଇଁ ୪ କେ.ଜି, ୮ମ ଓ ୯ମ ଶ୍ରେଣୀର ପିଲାଙ୍କ ପାଇଁ ୪.୫ କେ.ଜି ଓ ୧୦ମ ଶ୍ରେଣୀ ପିଲାଙ୍କ ପାଇଁ ୫ କେ.ଜି ଓଜନର ବ୍ୟାଗ ବ୍ୟବହୃତ କରିପାରିବେ । ଏହା ଠାରୁ ଅଧିକ ଓଜନର ବ୍ୟାଗ ନେବା ପାଇଁ କଟକଣା ଜାରି କରାଯାଇଛି । ତତ୍ ସହିତ କୈାଣସି ବି ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀ ୧ମ ଓ ୨ୟ ଶ୍ରେଣୀର ପିଲାଙ୍କୁ ହୋମୱାର୍କ କରିବାକୁ ନଦେବାକୁ ଏହି ଗାଇଡ଼ଲାଇନରେ ସ୍ପଷ୍ଟ ସୂଚନା ଦିଆଯାଇଛି ।
ଏନସିଇଆରଟି ନିୟମ ଅନୁଯାୟୀ ୧ମ ଓ ୨ୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଭାଷା ଓ ଗଣିତ ବ୍ୟତିତ ଆଉ କୈାଣସି ବିଷୟରେ ଶିକ୍ଷା ଦେବେ ନାହିଁ । ୩ୟ ରୁ ୫ମ ଶ୍ରେଣୀର ପିଲାମାନଙ୍କ ପାଇଁ ଭାଷା, ଇଭିଏସ ଓ ଗଣିତ ଶିକ୍ଷା ଦେବା ସହ ଅତିରିକ୍ତ ବହି ଓ ସାମଗ୍ରୀ ଆଣି ବିଦ୍ୟାଳୟକୁ ଆସିବାକୁ ିବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ କହିପାରିବେ ନାହିଁ । ଯଦି କୈାଣସି ବିଦ୍ୟାଳୟ ଉପରୋକ୍ତ ନିୟମ ଉଲଂଘନ କରୁଥିବେ ତେବେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସୂଚନା ଦିଆଯାଇଛି କିନ୍ତୁ ଏହାକୁ ଆଜି ପର୍ଯ୍ୟନ୍ତ କେହିପାଳନ କରିନାହାନ୍ତି । ଏଠାରେ ପ୍ରକାଶ ଥାଉକି ଛୋଟଛୋଟ ପିଲାମାନଙ୍କ ପାଠପଢା କଥା ଯାହା ହେଉନା କାହିଁକି,ପ୍ରତିଦିନ ପାଠ୍ୟପୁସ୍ତକ ଭର୍ତ୍ତି ବ୍ୟାଗ କୁ ନେଇ ସ୍କୁଲ କୁ ଯିବା ଆସିବା କରିବା ବଡ଼ ସମସ୍ୟା ସୃଷ୍ଟି କରୁଛି ବୋଲି ଅଭିଭାବକମାନେ ନିଜର ଅସନ୍ତୋଷଭାବ ପ୍ରକାଶ କରିଆସୁଛନ୍ତିି । ପୂର୍ବରୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ପକ୍ଷରୁ ଜଣେ ପିଲା ର ଓଜନ ଠାରୁ ସ୍କୁଲ ବ୍ୟାଗ ଓଜନ ୧୦ ପ୍ରତିଶତ ଅଧିକ ହେବ ନାହିଁ ବୋଲି ଗାଇଡ଼ଲାଇନ୍ ପ୍ରକାଶ ପାଇଥିଲେ ସୁଦ୍ଧା ଏହି ଗାଇଡ଼ଲାଇନ ବନ୍ତ ବ୍ଲକ ଓ ତା ଆଖପାଖ ଅଂଚଳରେ ଥିବା ସ୍କୁଲ ଗୁଡ଼ିକରେ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ । ଛୋଟଛୋଟ ପିଲାମାନେ ପାଠ୍ୟପୁସ୍ତକ ଭର୍ତ୍ତି ଓଜନଦାର ବ୍ୟାଗ୍ ଧରି ସ୍କୁଲକୁ ନିୟମିତ ଯାଉଥିବାର ଦେଖିବାକୁ ମିଳୁଛି । ଏଠାରେ ବେସରକାରୀ ତଥା ସରକାରୀ ସ୍କୁଲ ବ୍ୟତୀତ ସ୍ଥାନୀୟ ଅଞ୍ଚଳରୁ ବହୁ ପିଲା ବରପଦା,ଭଦ୍ରକ ଆଦି ସ୍ଥାନରେ ଥିବା ସ୍କୁଲକୁ ପଢିବା ପାଇଁ ଯାଉଛନ୍ତି । ଏଥିରେ ପଢାଖର୍ଚ୍ଚ ଅଧିକ ହେବା ଅଭିଭାବକ ମାନଙ୍କୁ ଯେତିକି ବାଧୁ ନାହିଁ,ପିଲାଙ୍କ ଓଜନଦାର ବହି ଭର୍ତ୍ତି ବ୍ୟାଗ ନେଇଯିବା ଅଧିକ କଷ୍ଟ ଦେଉଛି ବୋଲି ବହୁ ଅଭିଭାବକ ମତବ୍ୟକ୍ତ କରୁଛନ୍ତି । ବିଭିନ୍ନ ଆଳରେ ବହୁ ସ୍କୁଲ ଏହାକୁ ଆଜି ପର୍ଯ୍ୟନ୍ତ ଏଡ଼ାଇ ଚାଲିବା ସହ ସରକାରଙ୍କ ଦ୍ୱାରା ପ୍ରକାଶ ଗାଇଡ଼ଲାଇନ ଆଜି ସୁଦ୍ଧା କାର୍ଯ୍ୟକାରୀ ହୋଇପାରୁନଥିବାରୁ ଏଥି ପାଇଁ ଅଭିଭାବକମାନେ ଚିନ୍ତିତ ହୋଇପଡ଼ିଛନ୍ତି । ତେଣୁ ଆଉ ଏକ ନୂତନ ଶିକ୍ଷା ବର୍ଷ ଆରମ୍ଭ ହେବା ପୂର୍ବରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଅଭିଭାବକ ତଥା ବୁଦ୍ଧିଜୀବୀ ମାନଙ୍କ ପକ୍ଷରୁ ଦାବି ହେଉଛି ।