ଆଗରପଡ଼ା :ଜନୈକ ବ୍ୟକ୍ତିଙ୍କ ନିଜସ୍ୱ ଜାଗା ଥିବାବେଳେ ସେ ନିଜକୁ ଭୂମିହୀନ ଦର୍ଶାଇ ସରକାରୀ ଜମିକୁ ବେନିୟମ ଭାବେ ହଡ଼ପ କରିଥିବା ନେଇ ଭଦ୍ରକ ଜିଲ୍ଲାପାଳଙ୍କ ଠାରେ ଜନୈକ ସୂଚନା ଅଧିକାର କର୍ମୀ ଅଭିଯୋଗ ଆଣିଥିବା ଜଣାପଡ଼ିଛି । ଅଭିଯୋଗ ଅନୁଯାୟୀ ଗତ ବର୍ଷ ୨୦୨୧ ଅପ୍ରେଲ ୩ ତାରିଖରେ ବନ୍ତ ତହସିଲଦାର ଇନ୍ଦିରା ସାହୁଙ୍କ ନିକଟରେ ଗୋପିନାଥପୁର ପଂଚାୟତ ଅନ୍ତର୍ଗତ ଗୋପିନାଥପୁର ଗ୍ରାମର ଜୟକୃଷ୍ଣ ଦାଶଙ୍କ ପୁତ୍ର ଗୋପିନାଥ ଦାଶ ଯିଏକି ୨୦୦୮ ମସିହାରୁ ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଅଧିନ ଆପ୍ତିରା ୟୁଜିଏମଇ ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟ କରିଆସୁଛନ୍ତି । ୨୦୦୫ ମସିହାରେ ଚାକିରୀ କରିନଥିବା ବେଳେ ସେ ନିଜକୁ ଭୂମିହୀନ ଦର୍ଶାଇ ସରକାରଙ୍କ ତରଫରୁ ୪ଡ଼ିସିମିଲ ଜାଗା ଚତୁରତାର ସହିତ ନିଜ ନାମରେ ହାତେଇଛନ୍ତି କିନ୍ତୁ ତାଙ୍କ ପୂର୍ବପୁରୁଷଙ୍କ ନାମରେ ୯.୫ଡ଼ିସିମିଲ ଘରବାଡ଼ି ଓ ୭୭ ଡ଼ିସିମିଲ ଚାଷ ଜମି ଥିବା ସ୍ଥଳେ ଶ୍ରୀ ଦାଶ କିପରି ଭୂମିହୀନ ହୋଇ ସରକାରୀ ଜମିକୁ ହାତେଇଲେ ସେ ନେଇ ଅଭିଯୋଗ ଆଣିଥିଲେ । ପରବର୍ତ୍ତୀ ସମୟରେ ତତ୍କାଳୀନ ତହସିଲଦାର ଆଗରପଡା଼ ରାଜସ୍ୱ ନିରୀକ୍ଷକଙ୍କୁ ଏହାର ତଦନ୍ତ ଦାଇତ୍ୱ ଦେଇଥିଲେ । ପରବର୍ତ୍ତୀ ସମୟରେ ଉକ୍ତ ତଦନ୍ତ ରିପୋର୍ଟ ସରକାରୀ ନିୟମକୁ ଉଲଂଘନ କରୁଥିବା ଜଣାପଡ଼ିଥିଲା । ଏହା ଜାଣି ସୁଦ୍ଧା ତତ୍କାଳୀନ ତହସିଲଦାର ଇନ୍ଦିରା ସାହୁ ଏହାର ଠିକ ତର୍ଜମା ନକରି ଏକ ପାଖିଆ ତର୍ଜମା କରିଥିବାରୁ ଏହା ଉପରେ ବିଚାର କରିବାକୁ ଜିଲ୍ଲାପାଳଙ୍କ ଠାରେ ୨୦୨୧ ନଭେମ୍ବର ୮ତାରିଖରେ ଅଭିଯୋଗ ହୋଇଥିଲା । ଜିଲ୍ଲାପାଳ ଏହାର ତଦନ୍ତ ଭାର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଉପଜିଲ୍ଲାପାଳ ଏହାର ତଦନ୍ତ ଦାଇତ୍ୱ ଯାହା ନାମରେ ତଦନ୍ତକୁ ନେଇ ଅଭିଯୋଗ ହୋଇଛି ତାଙ୍କୁ(ଇନ୍ଦିରା ସାହୁ)ଙ୍କୁ ପ୍ରଦାନ କରିଥିଲେ । ତେଣୁ ଅଭିଯୋଗ କାରୀଙ୍କୁ ଉଚିତ ନ୍ୟାୟ ମିଳି ପାରିନଥିଲ।। ତେଣୁ ତତ୍କାଳୀନ ତହସିଲଦାରଙ୍କ ତଦନ୍ତ ଉପରେ ପ୍ରଶ୍ନ ଉଠାଇ ସୂଚନା ଅଧିକାର କର୍ମୀ ବିକାଶ ଧଳ ବର୍ତ୍ତମାନ ଏହାର ପୁନଃ ବିଚାର କରିବା ଓ ଉପଜିଲ୍ଲାପାଳ(ଭଦ୍ରକ),ତହସିଲଦାର(ବନ୍ତ),ରାଜସ୍ୱ ନିରୀକ୍ଷକ(ଆଗରପଡ଼ା)ଏବଂ ଶିକ୍ଷକ ଗୋପିନାଥ ଦାଶଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଚିତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ଯଦି ଅଭିଯୋଗ ଉପରେ ଆସନ୍ତା ୭ଦିନ ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ବାଧ୍ୟ ହୋଇ ଶ୍ରୀ ଧଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନ୍ୟ ସୂଚନା ଅଧିକାର କର୍ମୀଙ୍କ ସହ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଥିବା ଜଣାପଡ଼ିଛି ।
