ବାରିପଦା : ନବୋତ୍କଳର ଅନ୍ୟତମ ନିର୍ମାତା ତଥା ମୟୂରଭଞ୍ଜ ରାଜ୍ୟର ପ୍ରଜାନୁରଞ୍ଜକ ପ୍ରାତଃ ସ୍ମରଣୀୟ ମହାରାଜ ରାଜର୍ଷି ପୂଣ୍ୟଶ୍ଲୋକ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ୧୧୪ତମ ପୂଣ୍ୟତିଥି ଅବସରରେ ଆମେ ମୟୂରଭଞ୍ଜିଆ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଆମେ ମୟୂରଭଞ୍ଜିଆ ସଂଗଠନର ଆହ୍ୱାନରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ସକାଳ ୮ଘଟିକା ସମୟରେ ସମସ୍ତେ ଉପସ୍ଥିତ ରହି ପ୍ରଥମେ ପ୍ରତିମୂର୍ତ୍ତିକୁ ଧୋଇ ପରିଷ୍କାର କରିବା ପରେ ବାରିପଦା ପୌରପରିଷଦର ଉପ ନଗରପାଳ ସୀମା ଦାସ ଓ ପରିବେଶବିତ୍ ସଂଯୁକ୍ତା ବସା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ପରେ ଆମେ ମୟୂରଭଞ୍ଜିଆର ଅଧ୍ୟକ୍ଷ ସଞ୍ଜୟ କୁମାର ଚୌଧୁରୀ ଓ ମାସା ଆର୍ମିର ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡି ମାଲ୍ୟାର୍ପଣ କରିବା ପରେ ଉପସ୍ଥିତ ସମସ୍ତ ବୁଦ୍ଧିଜୀବୀ ସମୂହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ଶ୍ରୀ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଉପନଗରପାଳ ସୀମା ଦାସ, ଡଃ ଯୋଗେନ୍ଦ୍ର ପଣ୍ଡା, ଡଃ ତରୁଣ କୁମାର ଓଝା ପ୍ରମୁଖ ମହାରାଜାଙ୍କର କୃତୀ ଓ କୀର୍ତ୍ତି ସଂପର୍କରେ ଆଲୋକପାତ କରି ସ୍ମୃତିଚାରଣ କରଥିଲେ । ବକ୍ତାମାନେ ତାଙ୍କ ବକ୍ତବ୍ୟରେ ମହାରାଜାଙ୍କୁ ସ୍ୱର୍ଣ୍ଣଯୁଗର ପ୍ରବର୍ତ୍ତକ ବୋଲି କହିବା ସହ ଉତ୍କଳମାତାର ଏହି ଅମୃତ ସନ୍ତାନ ଓଡିଆ ଅସ୍ମିତାର ପ୍ରତୀକ ବୋଲି କହିଥିଲେ । ମହାରାଜା ଶ୍ରୀରାମଚନ୍ଦ୍ର ୧୮୯୩ ମସିହାରେ ମୟୂରଭଞ୍ଜ ଷ୍ଟେଟ କାଉନସିଲ ଗଠନ କରିଥିଲେ । ଏହି କାଉନସିଲର ସେ ସଭାପତି ରହିବା ସହିତ ମୟୂରଭଞ୍ଜ ରାଜ୍ୟର ଉନ୍ନତି ପାଇଁ ବିଭିନ୍ନ ଆଇନ ପ୍ରଣୟନ କରିଥିଲେ । ପ୍ରଜାମାନଙ୍କ ସୁବିଧା ପାଇଁ ସେ ପ୍ରଶାସନିକ ଢାଞ୍ଚା ପ୍ରସ୍ତୁତ କରିଥିଲେ । ସେ ସମୟରେ ସେ ମୟୂରଭଞ୍ଜରେ ସ୍ୱତନ୍ତ୍ର ଭାବେ ସ୍ୱାସ୍ଥ୍ୟ ବିଭାଗ ଓ ପୁଲିସ ବିଭାଗ ସୃଷ୍ଟି କରିଥିଲେ । ଶାସନ ଓ ବିଚାର ବିଭାଗକୁ ମଧ୍ୟ ଅଲଗା କରିଥିଲେ । ତାଙ୍କରି ସମୟରେ ଗମନା ଗମନ ଓ ବାଣିଜ୍ୟିକ ସୁବିଧା ଦୃଷ୍ଟିରୁ ମୟୂରଭଞ୍ଜରେ ନେରୋଗଜ ରେଳ ସେବା ଆରମ୍ଭ କରିଥିଲେ । ତାଙ୍କରି ସମୟରେ ଗୋରୁମହିଷାଣୀ ଏବଂ ବାଦାମ ପାହାଡ ଲୁହାଖଣିକୁ ଟାଟା କମ୍ପାନୀକୁ ଲିଜ୍ ଦିଆ ଯାଇଥିଲା । ବାରିପଦା ଠାରେ ବଡ ଡାକ୍ତରଖାନା, କାରାଗାର, ଜୁବୁଲୀ ଲାଇବ୍ରେରୀ, ପ୍ରତିଷ୍ଠା ସହିତ ବିଦ୍ୟୁତ କରଣ ଯୋଜନା କାର୍ଯ୍ୟକାରୀ କରିଥିଲେ । କୃଷି ଓ କୃଷକଙ୍କ ଉନ୍ନତି ନିମିତ୍ତ ବାଲିଡିହା ଠାରେ ପଳପଳା ନଦୀ ଉପରେ ବନ୍ଧବାନ୍ଧି କେନାଲ ସାହାଯ୍ୟରେ କ୍ଷେତକୁ ପାଣି ମଡାଇବାର ବ୍ୟବସ୍ଥା କରିଥିଲେ । ତାଙ୍କର ଶାସନ ପଦ୍ଧତି ଓ ବିଚକ୍ଷଣ ନେତୃତ୍ୱରେ ମୁଗ୍ଧ ହୋଇ ତାଙ୍କୁ ବ୍ରିଟିସ ସରକାର ମହାରାଜା ଉପାଧିରେ ଭୂଷିତ କରିଥିଲେ । ନିଜ ରାଜ୍ୟରେ ରାଜ୍ୟବାସୀଙ୍କୁ ସେହିଭଳି ଉନ୍ନତ ସେବା ଯୋଗାଇଦେବା ପାଇଁ ସେ ସଦା ତତ୍ପର ଥିଲେ । ସେ ମୟୂରଭଞ୍ଜ ଛଉ ନୃତ୍ୟର ମାନ ବୃଦ୍ଧି କରି ବିଶ୍ୱଦରବାରରେ ପରିଚିତ କରାଇଥିଲେ । ଉତ୍କଳ ଗୌରବ ମଧୁସୂଦନଙ୍କ ଆମନ୍ତ୍ରଣ କ୍ରମେ ସେ ଉତ୍କଳ ସମ୍ମିଳନୀର ପ୍ରଥମ ସଭାପତି ପଦ ଅଳଂକୃତ କରି ଓଡିଆ ଅସ୍ମିତାର ପରିଚୟ ଦେଇଥିଲେ ।
୧୯୦୩ ମସିହା ଡିସେମ୍ବର ୩୦ରେ କଟକର ଇଦ୍ଗା ପଡିଆରେ ଅନୁଷ୍ଠିତ ଉତ୍କଳ ସମ୍ମି ଳନୀର ପ୍ରଥମ ଅଧିବେଶନରେ ସଭାପତି ଅଭିଭାଷମରେ ସେ ଯେଉଁ ଜାତୀୟତାବୋଧର ବାର୍ତ୍ତା ଦେଇଥିଲେ ତାହା ଯୁଗେ ଯୁଗେ ଆଗାମୀ ପିଢିଙ୍କ ପାଇଁ ପ୍ରେରଣାପ୍ରଦ ହୋଇ ରହିଛି । ଉତ୍କଳ ସମ୍ମିଳନୀର ପ୍ରଥମ ସଭାପତି ପଦ ଅଳଂକୃତ କରି ଓଡିଆ ଭାଷାକୁ ସମୃଦ୍ଧ କରିବା ସହ ଭାଷାଭିତ୍ତିକ ଉତ୍କଳ ପ୍ରଦେଶ ଗଠନ ତାଙ୍କର ଅନ୍ୟତମ ଦାନ । ଓଡିଶାରେ ଉଚ୍ଚ ଶିକ୍ଷାର ପ୍ରଚାର ପ୍ରସାର ପାଇଁ କଟକରେ ରେଭେନ୍ସା କଲେଜ ପ୍ରତିଷ୍ଠା ପାଇଁ ମୟୂରଭଞ୍ଜ ରାଜକୋଷରୁ ଅର୍ଥଦାନ, ସମଗ୍ର ଓଡିଶାବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଅର୍ଥଦାନ, ଓଡିଆ ଭାଷା ଓ ସାହିତ୍ୟର ଅଭିବୃଦ୍ଧି ପାଇଁ ମନୋରମା ଓ ଉତ୍କଳପ୍ରଭା ନାମରେ ଦୁଇଟି ପତ୍ରିକା ପ୍ରକାଶନ ସହିତ ସେ ସମୟର ଓଡିଆ ଭାଷାର ରଥୀ ମହାରଥୀ ଲେଖକ ଲେଖିକାଙ୍କୁ ପ୍ର୍ରୋତ୍ସାହନ ଯୋଗାଇ ପୃଷ୍ଠପୋଷକ ସାଜିଥିଲେ । ତାଙ୍କରି ପୃଷ୍ଠପୋଷକତାରେ ଉତ୍କଳ ଗୌରବ ମଧୁସୂଦନଙ୍କ ଠାରୁ ଆରମ୍ଭ କରି ପଣ୍ଡିତ କୃପାସିନ୍ଧୁ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ ନୀଳକଣ୍ଠ ଦାଶ, ଉତ୍କଳମଣି ଗୋପବନ୍ଧୁ, କବିବର ରାଧାନାଥ ରାୟ, କବିଭୂଷଣ ରାମକୃଷ୍ଣ ଶାହ, ବ୍ୟାସକବି ଫକୀରମୋହନ ଏହିପରି ବହୁ ଧୂରୀଣ ପ୍ରତିଭାମାନେ ଓଡିଆ ସାହିତ୍ୟର ଶ୍ରୀବୃଦ୍ଧିରେ ଲାଗିପଡି ଓଡିଆ ବାଣୀଭଣ୍ଡାରକୁ ସମୃଦ୍ଧ କରିଥିଲେ । କବି ଲେଖକଙ୍କ ପାଇଁ ଗଠିତ ଉତ୍କଳ ସାହିତ୍ୟ ସମାଜର ଗୃହ ବାଣୀପୀଠ ଯାହା ଶ୍ରୀରାମ ଚନ୍ଦ୍ର ଭବନ ନାମରେ ଖ୍ୟାତ ତାହା ମଧ୍ୟ ମୟୂରଭଞ୍ଜ ରାଜକୋଷର ଅର୍ଥରେ କଟକରେ ନିର୍ମିତ ହୋଇଥିଲା ବୋଲି ବକ୍ତାମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ମୋର ଏଇ ଭଞ୍ଜଭୂଇଁ ମୋର ମହାରାଜା, ଯୁଗେ ଯୁଗେ କରୁଥିବି ମୁଁ ଏ ଦୁହିଁଙ୍କୁ ପୂଜା’ ମୟୂରଭଞ୍ଜ ଗୀତିକାକୁ ସମବେତ କଣ୍ଠରେ ଗାନ କରାଯାଇଥିଲା । ଏହି ଅବସରରେ ରକ୍ତଭଣ୍ଡାରକୁ ଯାଇ ଆମେ ମୟୂରଭଞ୍ଜିଆର ସଦସ୍ୟ ସାଇପ୍ରକାଶ ମହାନ୍ତି ରକ୍ତଦାନ ଭଳି ମହତ କାର୍ଯ୍ୟ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଏମପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷା ଡଃ ବନଜା ମହାନ୍ତି, ଆଡଭୋକେଟ ସୁଜାତା ମିଶ୍ର, ଅବସରପ୍ରାପ୍ତ ଶିକ୍ଷାବିତ୍ ତଥା ସମାଜସେବୀ ପ୍ରଭାତ ମଞ୍ଜରୀ ଦାସଶର୍ମା, ନାଟ୍ୟକାର ଅନ୍ନଦା ଶଂକର ଦାଶ, ଇଂ ସୁନୀଲ କୁମାର ପ୍ରଧାନ, ଅବସରପ୍ରାପ୍ତ ପୁଲିସ ଅଧିକାରୀ ଦୁର୍ଗାପ୍ରସାଦ ମିଶ୍ର୍ର, ଅବସରପ୍ରାପ୍ତ ଅଧ୍ୟକ୍ଷ ଲକ୍ଷ୍ମୀଧର ଜେନା, ସାମ୍ବାଦିକ ସୁକାନ୍ତ ଜୀଉ, ସମାଜସେବୀ ବିଶ୍ୱବିଜୟୀ ପଣ୍ଡା, ଶିକ୍ଷାବିତ୍ ପ୍ରଦୀପ କୁମାର କର, ସିନିୟର ସିଟିଜେନ ଫୋରମର ଉପସଭାପତି ରଘୁନାଥ ପଣ୍ଡା , ପୂର୍ବତନ ବ୍ୟାଙ୍କ ଅଧିକାରୀ ହରିହର ମହାନ୍ତ , ଆମେ ଭଞ୍ଜବୀରର ପ୍ରବକ୍ତା ଅଭିଷେକ ଯାଦଭ, ଆକାଶବାଣୀର ଚାଷବାସ ସଂଯୋଜକ ସତ୍ୟାନନ୍ଦ ସେଜପଡା, ଜନସ୍ୱାସ୍ଥ୍ୟ ବିଭାଗ ଫାର୍ମାସୀ ଅଫିସର ମନୋଜ ଦାଶ, ଜେଏମଏମ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ଦାସ, ସମାଜସେବୀ ଅଶୋକ କୁମାର ମଣ୍ଡଳ, ଅବସରପ୍ରାପ୍ତ ଶିକ୍ଷାବିତ୍ କମଳଲୋଚନ ମହାକୁଡ, ସତୀଲାଲ୍ ସୋରେନ୍, ଜନାର୍ଦ୍ଦନ ଆଲଦା, ଶଙ୍କର ବାସ୍କେଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଶେଷରେ ସଂଯୁକ୍ତା ବସା ଧନ୍ୟବାଦ ଅର୍ପଣ କରିଥିଲେ ।