Img 20250123 Wa0189

ଭଞ୍ଜସେନା ର ପ୍ରତିଷ୍ଠା ଦିବସ ପାଳିତ, ଜିଲ୍ଲାର ବିଭିନ୍ନ ସମସ୍ୟା କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟେଶ୍ୟରେ ଦାବିପତ୍ର ପ୍ରଦାନ

State

ବାରିପଦା- ଜାନୁୟାରୀ ୨୩ ତାରିଖ ଭାରତବର୍ଷର ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସରେ ପ୍ରତିଷ୍ଠା ହୋଇଥିବା ମୟୁରଭଞ୍ଜ ଜିଲ୍ଲାର ଏକମାତ୍ର ସଂଗ୍ରାମୀ ଯୁବଛାତ୍ର ସଂଗଠନ “ଭଞ୍ଜସେନା” ର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆହ୍ୱାନକ୍ରମେ ୨୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଚଳିତ ବର୍ଷ ଜାନୁୟାରୀ ୨୨ତାରିଖ ବୁଧୁବାର ଦିନ ଜିଲ୍ଲାରେ ଥିବା ବିଭିନ୍ନ ଛୋଟବଡ଼ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ସଂଗଠନ କର୍ମକର୍ତ୍ତା ଏବଂ ମେମ୍ବର ମାନଙ୍କ ଦ୍ୱାରା ରୋଗୀଙ୍କୁ ଫଳ ଓ ବିସ୍କୁଟ ପ୍ରଦାନ କରାଯାଇଥିଲା ଏବଂ ବାରିପଦା ଠାରେ ସଂଗଠନ ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟେଶରେ ଏକ ୯ ଦଫା ଦାବୀ ସମ୍ବଳିତ ଦାବିପତ୍ର ମୟୁରଭଞ୍ଜ ଜିଲ୍ଲା ଜରୁରୀକାଳୀନ ଅଧିକାରିଣୀ ଶ୍ରଦ୍ଧା ସୁମନ ମାଧ୍ୟମରେ ପ୍ରେରଣ କରାଯାଇଥିଲା |

ଗୁରୁବାର ଦିନ ସଖାଳ ସମୟରେ ଖିଚିଂ ସ୍ଥିତ ମୟୁରଭଞ୍ଜର ଅଧିଷ୍ଠାତ୍ରୀ ଦେବୀ ମାଆ କିଚକେଶ୍ବରୀ ଦେବୀଙ୍କ ମନ୍ଦିର ସମେତ ସବୁ ଦେବାଦେବୀଙ୍କ ମନ୍ଦିରରେ ପୂଜାର୍ଚନା କରିବା ସହିତ ସଦର ମହକୁମା ବାରିପଦା ଠାରେ ସଂଗଠନ କର୍ମକର୍ତ୍ତାଙ୍କ ପକ୍ଷରୁ ସବୁ ମହାତ୍ମା ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା |

ପରେ “ସୁସ୍ଥ, ସମୃଦ୍ଧ, ଶିକ୍ଷିତ, ସୁରକ୍ଷିତ, ସ୍ବାବଲମ୍ବୀ ଓ ସବୁଜିମା ମୟୁରଭଞ୍ଜ ଗଠନ ଆମ ଲକ୍ଷ୍ୟ ” ସ୍ଲୋଗାନ ନେଇ ସଖାଳ ୧୧ ଟା ସମୟରୁ ମଧୁବନ ମାଆ ଭୈରବୀ ମନ୍ଦିର ପାଖରୁ ଏକ ବିଶାଳ ଶୋଭାଯାତ୍ରା ସଂଗଠନର ଅଧକ୍ଷ୍ୟ ସଂଜୀବ ରାଉତ ଙ୍କ ତତ୍ୱାବଧାନତରେ ସହରର ମୁଖ୍ୟ ରାସ୍ତା ଅତିକ୍ରମ କରି ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖ ଦେଇ ଯାତ୍ରା କରି ବାରିପଦା ଛଉ ପଡିଆରେ ପହଞ୍ଚିଥିଲା |

ସଂଗଠନର ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ହୋଇଥିବା ଶୋଭାଯାତ୍ରାରେ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ଅଧକ୍ଷ୍ୟ ସଂଜୀବ ରାଉତ, ଜିଲ୍ଲା ମୁଖପାତ୍ର ମାନସ ବେହେରା,ଶୃଙ୍ଖଳାଗତ କମିଟୀ ଅଧକ୍ଷ୍ୟ ସତ୍ୟସ୍ୱରୂପ ଦାଶ, କାର୍ଯ୍ୟକାରୀ ଅଧକ୍ଷ୍ୟ ଅଞ୍ଜନ ବରାଳ, ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ଦକ୍ଷିଣା ମହାନ୍ତ, କନିକା ବୋଷ, ଜିତେନ୍ଦ୍ର ହେମ୍ବ୍ରମ, ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ଜିଲ୍ଲା ଆବାହକ ରାକେଶ ବେହେରା, ଜିଲ୍ଲା ସଂଯୋଜକ ସାମନ୍ତ ଶେଖର ପାଲ,ଜିଲ୍ଲା ଉପସଭାପତି ସାଫଲ୍ୟ ମିଶ୍ର, ପ୍ରଶାନ୍ତ ମହାକୁଡ଼, ବାରିପଦା ସହର ସଭାପତି ରାକେଶ ମହାନ୍ତି, ମହମ୍ମଦ ଫିରୋଜ଼, ପ୍ରୀତମ ପଣ୍ଡା, ଧନଞ୍ଜୟ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ପୃଷ୍ଟି,ଜିଲ୍ଲା ଯୁବ ଶାଖା ସଭାପତି ଏସ. କେ. ରାଜାଖାନ, ଜିଲ୍ଲା ସଂଗଠନ ସମ୍ପାଦକ ଗଣେଶ ମହାନ୍ତି, ଜିଲ୍ଲା କାର୍ଯ୍ୟକାରୀ ସଭାପତି ରବିନ ମହାନ୍ତି, ପାଞ୍ଚପୀଢ ଉପଖଣ୍ଡ ସଭାପତି ମାଇକେଲ ମହାନ୍ତ,ବାରିପଦା ଉପଖଣ୍ଡ ସଂଯୋଜକ ପାରିତୋଷ ବାରିକ, ବାମନଘାଟି ଉପଖଣ୍ଡ ସଭାପତି ସୁନ୍ଦର ମୋହନ ଟୁଡୁ,ଜିଲ୍ଲା ଛାତ୍ର ଶାଖା ସଭାପତି କିଷାନ କୁମାର ସାହୁ, ଜିଲ୍ଲା କ୍ରୀଡା ସଂଯୋଜିକା ସୁଭଦ୍ରା ହେମ୍ବ୍ରମ, ରୁପାଲୀ ରୂପନୀତ ବେହେରା, ପ୍ରଶାନ୍ତ ମହାକୁଡ଼, ସଞ୍ଜୟ ମାହାନା,ସୁନୀଲ ମହାପାତ୍ର, ସଚିନ ସାଲାଂକ୍ଷୀ, ସଞ୍ଜୟ ମହାନ୍ତ, ଗୌରାଙ୍ଗ ଘଡେଇ ପ୍ରମୁଖଙ୍କ ସହିତ ସମଗ୍ର ଜିଲ୍ଲାରୁ ଦଶ ହଜାରରୁ ଉର୍ଧ୍ଵ ଯୁବଛାତ୍ର ମାନେ ସାମିଲ ଥିଲେ l ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ପ୍ରଦାନ କରାଯାଇଥିବା ଦାବିପତ୍ର ମଧ୍ୟ୍ୟରେ

୧. ସ୍ବାସ୍ଥ୍ୟ ସେବା

ଦୀର୍ଘ ବର୍ଷର ଆନ୍ଦୋଳନ ଫଳରେ ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଠାରେ ପ୍ରତିଷ୍ଠା ହୋଇଥିବା ପଣ୍ଡିତ ରଘୁନାଥ ମେଡିକାଲ କଲେଜ ପ୍ରତିଷ୍ଠା ର ଦୀର୍ଘ ବର୍ଷ ପରେ ମଧ୍ୟ ଆଦିବାସୀ ବହୁଳ ମୟୁରଭଞ୍ଜର ଅଧିବାସୀ ମାନେ ଉନ୍ନତ ସ୍ୱାସ୍ଥ୍ୟ ସେବା ତ ଦୂରର କଥା ମୌଳିକ ସୁବିଧା ପାଇବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି, ଏଣୁ ଯଥାଶୀଘ୍ର ଏହି ମେଡିକାଲ କଲେଜ ଓ ହସ୍ପିଟାଲ କୁ ସ୍ୱୟଂ ସଂମ୍ପୂର୍ଣ କରାଯାଉ ଏବଂ ତତ ସହିତ ମେଡିକାଲ କଲେଜରେ ହୃଦରୋଗ ବିଶେଷଜ୍ଞ ଓ କିଡନୀ ରୋଗ ବିଶେଷଜ୍ଞ ଙ୍କୁ ତୁରନ୍ତ ପୋଷ୍ଟିଂ କରାଯାଉ
ତାସହିତ ଜିଲ୍ଲା ମଧ୍ୟରେ ଥିବା ଚାରି ଗୋଟି ଉପଖଣ୍ଡ ମୁଖ୍ୟ ହସ୍ପିଟାଲ ଗୁଡିକୁ “ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ” ଭାବେ ରୂପାନ୍ତର କରାଯିବା ସହିତ ଜିଲ୍ଲାରେ ଥିବା ସମସ୍ତ ଛୋଟବଡ଼ ହସ୍ପିଟାଲ ଗୁଡିକରେ ଆବଶ୍ୟକୀୟ ପାଦପଦବୀ ଯଥାଶୀଘ୍ର ପୂରଣ କରାଯାଉ ।କେବଳ ନୂତନ କୋଠାବାଡି ଉପରେ ଗୁରୁତ୍ୱ ପ୍ରଦାନ ନ କରି ଜିଲ୍ଲାବାସୀ ଙ୍କୁ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ବଦଳରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଉ

୨. ଶିମିଳିପାଳ ର ସୁରକ୍ଷା

ସବୁ ସରକାରୀ ସୁରକ୍ଷା ଯୋଜନା ଥିବା ସତ୍ବେ ଶିମିଳିପାଳ ଅଭୟାରଣ୍ୟରେ ବିଶ୍ୱ ପ୍ରସିଦ୍ଧ ବିରଳ କଳା ମହାବଳ ବାଘ ସହିତ ଅନ୍ୟାନ୍ୟ ଜୀବଜନ୍ତୁ ର ନିରନ୍ତର ଶିକାର ହେବା ସହିତ ବହୁ ମୂଲ୍ୟବାନ ବୃକ୍ଷ ଗୁଡିକ କଟା ଚାଲିଛି, ଯାହାଫଳରେ ଶିମିଳିପାଳ ଆଜି ତାର ପୂର୍ବ ହୃତଗୌରବ ହରାଇବାକୁ ବସିଲାଣି |
ଏଣୁ ଯଥାଶୀଘ୍ର ଶିମିଳିପାଳ ର ସଂମ୍ପୂର୍ଣ ସୁରକ୍ଷା ସହିତ ତାର ପୂର୍ବ ହୃତଗୌରବ ଫେରାଇଆଣିବା ପାଇଁ ଏକ ଶକ୍ତ ଯୋଜନା ପ୍ରସ୍ତୁତ କରାଯାଉ |

୩. ପର୍ଯ୍ୟଟନ ର ବିକାଶ

ଅସରନ୍ତି ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀର ଗନ୍ତାଘର ତଥା ମୟୁରଭଞ୍ଜ ର ମୁକୁଟ ଶିମିଳିପାଳ ସମେତ ଏହାର ଚାରିପାଖରେ ଥିବା ବିଭିନ୍ନ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ, ଐତିହ୍ୟ ସ୍ଥଳୀ ର ବିକାଶ କରିବା ସହିତ ଦେଶୀ ଓ ବିଦେଶୀ ପର୍ଯ୍ୟଟକ ମାନଙ୍କ ରହିବା ଖାଇବା ନିମନ୍ତେ ଉତ୍ତମ ପରିବେଶ ସୃଷ୍ଟି କରିବା ପାଇଁ ଏକ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରାଯାଉ।
ଟା ସହିତ କେନ୍ଦ୍ର ସରକାର ଙ୍କ “Darshana-2” ଯୋଜନାରେ ଶିମିଳିପାଳ କୁ ସାମିଲ କରି କୋରାପୁଟ ର ଦେଓମାଳି ଭଳି ଉନ୍ନତି ମୂଳକ ପଦକ୍ଷେପ ନିଆଯାଉ।
ଯଦ୍ୱାରା ଏହି ଅଞ୍ଚଳର ଅର୍ଥନୀତି ର ବିକାଶ ହେବା ସହିତ ଜିଲ୍ଲାର ବହୁ ଯୁବକ ଯୁବତୀ ସ୍ବାବଲମ୍ବୀ ହୋଇପାରିବେ।

୪. ରୋଜଗାର ସୃଷ୍ଟି ହେଉ

ଜିଲ୍ଲାରେ ପ୍ରଚୁର ପରିମାଣ ରେ ଉପଲବ୍ଧ ଶାଳପତ୍ର, ବାଉଁଶ, ସବାଇଘାସ ଭଳି ଲଘୁ ବନ୍ୟଜତ ଦ୍ରବ୍ୟ କୁ ନେଇ ନୂତନ ରୋଜଗାର ସମ୍ବନ୍ଧୀୟ DPR ପ୍ରସ୍ତୁତ କରି ପ୍ରତି ଗାଁ ରେ ସେହି ସବୁ ଦ୍ରବ୍ୟର କୁଟୀର ଶିଳ୍ପ ପ୍ରତିଷ୍ଠା କରି ଆଦିବାସୀ ଓ ଅଧିବାସୀ ପରିବାର ଗୁଡ଼ିକୁ ଆତ୍ମନିର୍ଭରଶୀଳ କରାଯାଉ। ତା ସହିତ ରାଜ୍ୟର ବିଭିନ୍ନ ପ୍ରାନ୍ତରରେ ବହୁ ସଂଖ୍ୟାରେ ସରକାରୀ ଉଦ୍ୟୋଗ ଗଢିବା ପାଇଁ ମଞ୍ଜୁରୀ ପ୍ରଦାନ କରାଯାଉଥିବା ବେଳେ ବେକାରୀ ସମସ୍ୟାରେ ଜର୍ଜରିତ ମୟୁରଭଞ୍ଜ ଜିଲ୍ଲା ପ୍ରତି ରାଜ୍ୟ ସରକାରଙ୍କ ଏତେ ବୈମାତୃକ ମନୋଭାବ କାହିଁକି..?
ଯଥାଶୀଘ୍ର ମୟୁରଭଞ୍ଜ ଜିଲ୍ଲାରେ ଏକ ନୂତନ ସରକାରୀ ଉଦ୍ୟୋଗ କରିବାର ଘୋଷଣା କରାଯାଉ |

୫. ଗମନଗମନ ବ୍ୟବସ୍ଥା

ରାଇରଙ୍ଗପୁର ସହର ମଧ୍ୟରେ ଆରମ୍ଭ ହୋଇନଥିବା ଏବଂ ଯଶିପୁର ରେ ଅଧାପନ୍ତରିଆ ଅବସ୍ଥାରେ ପଡିରହିଥିବା ବାଇପାସ ରୋଡ଼ କୁ ଯଥାଶୀଘ୍ର ସମ୍ପୂର୍ଣ କରିବା ପାଇଁ କେନ୍ଦ୍ର କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଯଥାଶୀଘ୍ର ପ୍ରସ୍ତାବ ପ୍ରଦାନ କରାଯାଉ। ନିକଟ ରେ କେନ୍ଦ୍ର ସରକାର ଙ୍କ ଦ୍ଵାରା ମଞ୍ଜୁରୀ ହୋଇଥିବା ବାଙ୍ଗିରିପୋଷି ର ଦ୍ଵାରସୁଣୀ ଘାଟି ର ପ୍ରଶସ୍ତିକରଣ କାର୍ଯ୍ୟକୁ ସ୍ଵତନ୍ତ୍ର ଭାବରେ ନିରୀକ୍ଷଣ ରେ ରଖି ଜାତୀୟ ସ୍ତରୀୟ ମାନର କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ କରାଯାଉ।
ତା ସହିତ ଜିଲ୍ଲାର କପ୍ତିପଦା ଉପଖଣ୍ଡ କୁ ରେଳ ସଂଯୋଗୀକରଣ କରାଯାଉ।

୬. କ୍ରୀଡା ଭିତ୍ତିଭୂମି ର ବିକାଶ

ଫୁଟବଲ ଖେଳର ଏନ୍ତୁଡ଼ିଶାଳ ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାରେ ଯଥାଶୀଘ୍ର ଏକ “ଫୁଟବଲ ଏକାଡେମୀ” ପ୍ରତିଷ୍ଠା ସହିତ ଆଦିବାସୀ ମାନଙ୍କ ଦ୍ୱାରା ବହୁଳ ଭାବେ ଖେଳା ଯାଉଥିବା ଲାଖବିନ୍ଧା ଖେଳର ଖେଳାଳିଙ୍କୁ ଅଧିକ ସରକାରୀ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଯଥାଶୀଘ୍ର ଏକ “ଲାଖବିନ୍ଧା ଏକାଡେମୀ” ପ୍ରତିଷ୍ଠା କରାଯାଉ |

୭. ଶିକ୍ଷାର ଅବ୍ୟବସ୍ଥା ଉପରେ ନଜର ଦିଆଯାଉ

ଅଧାପନ୍ତରିଆ ଅବସ୍ଥାରେ ରହି ଶିକ୍ଷା ପ୍ରଦାନ କରୁଥିବା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କୁ ତୁରନ୍ତ ଏକ ପୂର୍ଣ୍ଣାଙ୍ଗ ବିଶ୍ୱବିଦ୍ୟାଳୟ ଭାବେ ପରିଣତ କରିବା ସହିତ ସମଗ୍ର ଜିଲ୍ଲାରେ ଭୁଶୁଡି ପଡ଼ିଥିବା ଶିକ୍ଷା ବ୍ୟବସ୍ଥା କୁ ତୁରନ୍ତ ସଜାଡ଼ିବା ସହିତ ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାରେ ଏକ ସୈନିକ (soldier) ସ୍କୁଲ ପ୍ରତିଷ୍ଠା କରାଯାଉ |

୮. ପ୍ରଶାସନିକ ବ୍ୟବସ୍ଥା କୁ ପରିବର୍ତ୍ତନ କରାଯାଉ

ଆଦିବାସୀ ବହୁଳ ତଥା ବଣ ପାହାଡ଼ରେ ପରିପୂର୍ଣ ମୟୁରଭଞ୍ଜ ଜିଲ୍କାର ସମଗ୍ର ଜନସାଧାରଣଙ୍କୁ ସମସ୍ତ ସରକାରୀ ସୁବିଧା ସୁଯୋଗ ଉପଲବ୍ଧ କରାଇବା ପାଇଁ ୨୬ ବ୍ଲକ ପରିବର୍ତ୍ତେ ୪୦ ଗୋଟି ବ୍ଲକ କରାଯିବା ସହିତ କରଞ୍ଜିଆ ଓ ଉଦଳା ଏନଏସି କୁ ମ୍ୟୁନିସିପାଲିଟି ର ମାନ୍ୟତା ପ୍ରଦାନ କରାଯିବା ସହ ଯଶିପୁର, ବହଳଦା ଏବଂ ବେତନଟୀ କୁ ନୂତନ ଭାବେ ଏନଏସି ର ମାନ୍ୟତା ପ୍ରଦାନ କରାଯାଉ |

ଆଗାମୀ ୧ ମାସ ମଧ୍ୟରେ ଉପରୋକ୍ତ ଦାବୀ ଗୁଡିକ ବାବଦରେ ସରକାରୀ ସ୍ତରରେ ପୂରଣ କରିବା ପାଇଁ ଭଞ୍ଜସେନା ପକ୍ଷରୁ ନିବେଦନ କରାଯାଇଅଛି |