Onn 3

ଜାମବଣୀ ଛକରେ ନିର୍ମାଣ ହୋଇପାରୁନି ବିଶ୍ରାମାଗାର, ଜମି ଭଦ୍ରକ ବ୍ଲକରେ ତ ଅର୍ଥ ବନ୍ତ ବ୍ଲକରେ

State

ଆଗରପଡ଼ା: ପ୍ରଶାସନିକ ଅଧିକାରୀଙ୍କ ଇଚ୍ଛା ଶକ୍ତିର ଅଭାବଯୋଗୁଁ ଅର୍ଥ ମହଜୁଦ ଥାଇ ମଧ୍ୟ ବହୁ ପ୍ରକଳ୍ପ ନିର୍ମିତ ହୋଇପାରୁନାହିଁ । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅର୍ନ୍ତଗତ ଜାମବଣୀ ଛକ ଠାରେ ଥିବା ଯାତ୍ରୀ ବିଶ୍ରାମାଗାରରେ । ଯାତ୍ରୀଙ୍କ ସୁବିଧା ପଇଁ ଆଗରପଡ଼ା ଠାରୁ ବରପଦା ପର୍ଯ୍ୟନ୍ତ ଲମ୍ବିଥିବା ୨୨କି.ମି. ରାସ୍ତାର ବିଭିନ୍ନ ଛକ ଜାଗାରେ ଯାତ୍ରୀ ବିଶ୍ରାମାଗାର ନିର୍ମାଣ ହୋଇଛି । ତେବେ କେତେକ ସ୍ଥାନରେ ଏହାର ରକ୍ଷଣାବେକ୍ଷଣ ଅଭାବରୁ ଗୃହ ଗୁଡ଼ିକ ଭାଙ୍ଗି ରୁଜି ଗଲାଣି । ଫଳରେ ଯାତ୍ରୀ ଏଠାରେ ବସିବା ତ’ ଦୂରର କଥା ଏହା ଭିତରକୁ ପଶିବାକୁ ଇଚ୍ଛା ପ୍ରକାଶ କରୁ ନାହାଁନ୍ତି । ଖରା, ବର୍ଷାରେ ଘଣ୍ଟା ଘଣ୍ଟା ଧରି ଖୋଲା ଆକାଶ ତଳେ ରହି ବସକୁ ଅପେକ୍ଷା କରୁଛନ୍ତି ଯାତ୍ରୀ । ଭଦ୍ରକ, ବାଲେଶ୍ୱର ଓ କେଉଁଝର ଜିଲ୍ଲାର ସୀମାବର୍ତ୍ତୀ ସ୍ଥାନରେ ଆଗରପଡ଼ା ଅବସ୍ଥିତ ଥିବାରୁ ଏହି ସ୍ଥାନ ଦେଇ ବିଭିନ୍ନ ସ୍ଥାନକୁ ଯାତ୍ରୀବାହୀ ବସ ଚଳାଚଳ କରିଥାଏ । ତେଣୁ ବିଭିନ୍ନ ସ୍ଥାନକୁ ଯିବା ପାଇଁ ଲୋକମାନେ ଏଠାରେ ଅପେକ୍ଷା କରିଥାନ୍ତି । ବାରମ୍ବାର ଏହି ବିଷୟରେ ସ୍ଥାନୀୟ ବିଧାୟକଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଏବଂ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି ମାତ୍ର ସେପରି ସ୍ଥଳେ କେହିବି ଦୃଷ୍ଟି ଦେଉନଥିବା ଜଣାପଡ଼ିଛି ।

ଏଠାରେ ପ୍ରକାଶ ଥାଉକି;ଗତ ବର୍ଷ୨୦୨୦ଜାନୁୟାରୀ ମାସ ରେ “ଭୂତକୋଠି ପାଲଟିଛି ବିଶ୍ରାମାଗାର”ଶୀର୍ଷକ ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ହେବା ପରେ ପୂର୍ବତନ ସାଂସଦ ସ୍ୱର୍ଗତ ଅର୍ଜ୍ଜୁନ ଚରଣ ସେଠୀଙ୍କ ସାଂସଦ ପାଣ୍ଠିରୁ ଅନୁମୋଦିତ ହୋଇ ରହିଥିବା ୪ଲକ୍ଷ ଟଙ୍କାର ଅନୁଦାନ ରାଶିରେ ଭଦ୍ରକ ଜିଲା ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅର୍ନ୍ତଗତ ଜାମବଣୀ ଛକରେ ଭୂତକୋଠି ସଦୃଶ ପାଲଟିଥିବା ବିଶ୍ରାମାଗାରଟିକୁ ଭାଙ୍ଗି ନୂତନ ବିଶ୍ରାମାଗାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାର ସୂଚନା ବନ୍ତ ବ୍ଳକ ସହକାରୀ ଯନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେବାସହ ଆଗାମୀ ଦିନରେ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ରହିଥିବା ବିଶ୍ରାମାଗାରକୁ ସଂପୂର୍ଣ୍ଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଥିବାର ମଧ୍ୟ କହିଥିଲେ । କିନ୍ତୁ ଇତି ମଧ୍ୟରେ ୪ବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ଏହାର କାର୍ଯ୍ୟ ଆରମ୍ଭରୁ ଅଟକିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ;ଉକ୍ତ ବିଶ୍ରାମାଗାର ଭଦ୍ରକ ବ୍ଲକ ଅଧିନରେ ଥିବାରୁ ଆଜି ପର୍ଯ୍ୟନ୍ତ ଏହାର ମରାମତିର କୈାଣସି ସ୍ଥାୟୀ ସମାଧାନ ହୋଇପାରିନଥିବା ଜଣାପଡ଼ିଛି । ଅର୍ଥ ମହଜୁଦ ଥାଇ ମଧ୍ୟ ବିଶ୍ରାମାଗାର ନିର୍ମାଣ କରିବାକୁ ପ୍ରଶାସନିକ ଅଧିକାରୀ ବିହିତ ପଦକ୍ଷେପ ନ ନେବା ସେମାନଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ତେଣୁ ସମସ୍ତ ସମସ୍ୟାର ସମାଧାନ କରି ଏଠାରେ ଯଥା ଶୀଘ୍ର ଯାତ୍ରୀ ବିଶ୍ରାମାଗାର ନିର୍ମାଣ କରିବାକୁ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ଚେଷ୍ଟିତ ହେବାକୁ ସ୍ଥାନୀୟ ବାସିନ୍ଦାଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।