Img 20250104 Wa0190

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗର ଜାତୀୟ ଆଲୋଚନାଚକ୍ର ଉଦ୍‌ଯାପିତ

State

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଓଡ଼ିଆ ବିଭାଗ ଦ୍ୱାରା ଆୟୋଜିତ ‘ସାମାଜିକ ଦାୟବଦ୍ଧତା ଓ ଆଧୁନିକ ଓଡ଼ିଆ ସାହିତ୍ୟ’ ଶୀର୍ଷକ ଦୁଇଦିବସୀୟ ଜାତୀୟ ଆଲୋଚନାଚକ୍ର ଉଦ୍‌ଯାପିତ ହୋଇଯାଇଛି । କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରର ଉଦ୍‌ଯାପନୀ ସମାରୋହରେ ଆଲୋଚନାଚକ୍ରର ଆବାହକ ସ୍ନାତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ବବ୍ରୁବାହନ ମହାପାତ୍ର ପୌରୋହିତ୍ୟ କରିଥିଲେ । ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷା ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ସେ ଜଣେ ଓଡ଼ିଆ ଅଧ୍ୟାପିକା ହୋଇଥିବାରୁ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଥିଲେ । ଶିକ୍ଷକଟିଏ ନିଜେ ସମାଜ ପ୍ରତି ଅଙ୍ଗୀକାରବଦ୍ଧ ରହିବାବେଳେ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଅଙ୍ଗୀକାର କରାଇବା ବିଧେୟ ବୋଲି ସେ ମତପ୍ରକାଶ କରିଥିଲେ । ରେଭେନ୍‌ସା ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଗିରିଶଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦାନ କରି ବ୍ୟକ୍ତି ସହିତ ସମାଜର ସମ୍ପର୍କ, ସମାଜ ସହିତ ସାହିତ୍ୟର ସମ୍ପର୍କ, ବ୍ୟକ୍ତି ସହିତ ସାହିତ୍ୟର ସମ୍ପର୍କର ଏକ ଗାଣିତିକ ସମାବେଶ ସମ୍ବନ୍ଧରେ ଆଲୋଚନା କରିବା ସହିତ ଏ ସମସ୍ତର ଅନ୍ତସ୍ୱର କିପରି ପ୍ରତିବଦ୍ଧ ସେ ସମ୍ବନ୍ଧରେ ଏକ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ ।

ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡ. ଶିଶିର ବେହେରା ଏ ଆଲୋଚନାଚକ୍ରରେ ପାଠ ହୋଇଥିବା ସମସ୍ତ ପ୍ରବନ୍ଧ ଓ ଆଲୋଚନାର ନିର୍ଯ୍ୟାସ ସମ୍ବନ୍ଧରେ ଏକ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟାପିକା ବିନ୍ଧେଶ୍ୱରୀ କଲିଆ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଆଜି ମୋଟ ପଇଁତିରିଶ ଜଣେ ଗବେଷକ / ଛାତ୍ରଛାତ୍ରୀ ପ୍ରବନ୍ଧ ପାଠ କରିଥିଲେ । ଆଜିର ପ୍ରଥମ ଅଧିବେଶନରେ ଅବସରପ୍ରାପ୍ତ ପ୍ରଫେସର ପ୍ର. କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ପୌରୋହିତ୍ୟରେ ପ୍ରବନ୍ଧପାଠ କାର୍ଯ୍ୟକ୍ରମରେ ସମୀକ୍ଷକ ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଜଗତ୍‌ବନ୍ଧୁ ଆଚାର୍ଯ୍ୟ ଓ ଡ. ଅବନୀ କୁଣ୍ଡୁ ରହିଥିଲେ । ଦ୍ୱିତୀୟ ଅଧିବେଶନରେ ପ୍ରଫେସର ଦେବାଶିଷ ମହାପାତ୍ରଙ୍କ ପୌରୋହିତ୍ୟରେ ପ୍ରବନ୍ଧପାଠ କାର୍ଯ୍ୟକ୍ରମରେ ସମୀକ୍ଷକ ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ସୁଶାନ୍ତ କୁମାର ବଶା ସମୀକ୍ଷକ ଭାବେ ରହିଥିଲେ । ଶେଷରେ ଓଡ଼ିଆ ବିଭାଗ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅଧ୍ୟାପକ ହୃଷୀକେଶ ମହାନ୍ତ ଓ ରାଜକୁମାର ପାତ୍ରଙ୍କ ପରିଚାଳନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।