Mamata

ସନ୍ଦେଶଖାଲିରେ ବିରୋଧୀଙ୍କ ଉପରେ ବର୍ଷିଲେ ମମତା

National & International

ସନ୍ଦେଶଖାଲି ୩୦।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ୩୦ ଡିସେମ୍ବର ସୋମବାର ସନ୍ଦେଶଖାଲି ଗସ୍ତ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲି ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ମମତାଙ୍କ ପାର୍ଟି ତୃଣମୂଳ କଂଗ୍ରେସ (ଟିଏମସି)ର ଜଣେ ନେତାଙ୍କ ଉପରେ ଅଞ୍ଚଳରେ ଜୁଲୁମ ଓ ମହିଳାଙ୍କ ଉପରେ ଅତ୍ୟାଚାରର ଅଭିଯୋଗ ହୋଇଥିଲା।

ସନ୍ଦେଶଖାଲି ଉତ୍ତେଜନାର ଦୀର୍ଘ ସମୟ ପରେ ସୋମବାର ସେଠାକୁ ମମତା ପ୍ରଥମ ଥର ଗସ୍ତ କରିଛନ୍ତି ଓ ଜନସମାବେଶକୁ ଉଦବୋଧନ ଦେଇଛନ୍ତି। ସେ ତାଙ୍କ ଭାଷଣରେ ରାଜ୍ୟରେ ବିରୋଧୀ ବିଜେପି ଓ ସିପିଆଇ(ଏମ) ଉପରେ ବର୍ଷିଛନ୍ତି।  କହିଛନ୍ତି ମା ଓ ଭଉଣୀମାନେ ଆମର ଗର୍ବ ଓ ଗୌରବ। ଯଦି ମା ଓ ଭଉଣୀ ନାହାନ୍ତି ତେବେ ପରିବାରର ପରିକଳ୍ପନା ମଧ୍ୟ କରାଯାଇ ନପାରେ। ଘରର ମହିଳାମାନେ ସ୍ୱାସ୍ଥ୍ୟ ସାଥୀ ପ୍ରକଳ୍ପର ମୁଖ୍ୟ।

ମମତା କହିଛନ୍ତି ସନ୍ଦେଶଖାଲିରେ ୧୨୩ କୋଟି ଟଙ୍କା ବ୍ୟୟରେ ସଡ଼କ, ବନ୍ଧ, ଜଳବିଶୁଦ୍ଧିକରଣ ପ୍ଲାଣ୍ଟ ସମେତ ଅନେକ ବିକାଶ କାର୍ଯ୍ୟ କରାଯାଇଛି। ମମତା ଏହି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ଯେ ଆଗାମୀ ଦିନରେ ସନ୍ଦେଶଖାଲିକୁ ଜିଲ୍ଲା ଘୋଷଣା କରାଯିବ। କାରଣ ସନ୍ଦେସଖାଲିର ଲୋକଙ୍କୁ ସେମାନଙ୍କ ବିଭିନ୍ନ କାମ ପାଇଁ ଦୂରକୁ ଯିବାକୁ ପଡୁଛି। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମମତା କହିଛନ୍ତି ଯେ ସେବା ସରକାରଙ୍କର କୌଣସି ସରକାରୀ ପ୍ରକଳ୍ପ ନିମନ୍ତେ କାହାରିକୁ ପଇସା ଦିଅନ୍ତୁ ନାହିଁ। ସେ କହିଛନ୍ତି ଯେ ମା ଓ ଭଉଣୀଙ୍କୁ କେହି ଯଦି କେଉଁଠାକୁ ଡାକୁଛନ୍ତି ଯାଆନ୍ତୁ ନାହିଁ। ଯଦି ସରକାରୀ ପ୍ରକଳ୍ପ ‘ଦୂଆରେ ସରକାର’ ଘର ଦ୍ୱାରକୁ ଆସୁଛି ତ ଘରେ ବସି ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରନ୍ତୁ।

ଏହି ଅବସରରେ ବିଦ୍ୟାଧରୀ ନଦୀ ଉପରେ ଏକ ସେତୁ ଦାବି ହେବାରୁ ମମତା ଏହା ଧିରେ ଧିରେ ହେବ ବୋଲି ଘୋଷଣା କରିଛନ୍ତି। କାରଣ ଆଜି ଝୁପଖାଲିରେ ଏକ ସେତୁ ନିର୍ମାଣ ନିମନ୍ତେ ସେ ଘୋଷଣା କରିଛନ୍ତି। ସନ୍ଦେଶଖାଲିରେ ଲୋକଙ୍କୁ ସମ୍ବୋଧିତ କରି ମମତା କହିଛନ୍ତି ଯେ ‘ଏକାଠି ରହନ୍ତୁ, ଏକଜୁଟ ରହନ୍ତୁ ମିଛ ବେଶି ସମୟ ପର୍ଯ୍ୟନ୍ତ ଚଳି ପାରିବ ନାହିଁ। ମୁଁ ଜାଣିଛି ଏଠାରେ ଖୁବ୍ ଟଙ୍କା ଖେଳ ହୋଇଛି। ବିଜେପି ପାଖରେ ବହୁତ ପଇସା ଅଛି, ହେଲେ ସେ ପଇସା ନିଅ ନାହିଁ ଏହି ପଇସା ସତ୍ ପଇସା ନୁହେଁ। ସେହିପରି ସିପିଆଇ(ଏମ)କୁ ପାଖଣ୍ଡମାନଙ୍କ ପାର୍ଟି ’ ବୋଲି କହିଛନ୍ତି ମମତା।