ନୂଆଦିଲ୍ଲୀ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ପରଲୋକ ହୋଇଛି । ୧୦୦ ବର୍ଷ ବୟସରେ ସେ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଆମେରିକା ଇତିହାସରେ ସବୁଠୁ ଅଧିକ ବର୍ଷ ଯାଏ ଜୀବିତ ଥିବା ରାଷ୍ଟ୍ରପତି ଥିଲେ ଜିମି କାର୍ଟର । ମାତ୍ର ଦୀର୍ଘ ଦିନ ହେଲା ସେ ବୟସାଧୀକ ରୋଗ ସମେତ ମାରାତ୍ମକ ସ୍କିନ୍ କ୍ୟାନସର ରୋଗରେ ପୀଡ଼ିତ ଥିଲେ।
ଗତ ଅକ୍ଟୋବରରେ ଜିମିଙ୍କ ୧୦୦ତମ ଜନ୍ମ ଦିବସ ପାଳନ କରାଯାଇଥିଲା । ସାରା ଦୁନିଆରେ ଗଣତନ୍ତ୍ର ଏବଂ ମାନବାଧିକାର ପାଇଁ ସ୍ୱର ଉଠାଉଥିବା କାର୍ଟର ସେଣ୍ଟର ଏହି ଦୁଃଖଦ ଖବର ଦେଇଛି । ରବିବାର ଅପରାହ୍ନରେ ଜର୍ଜିଆସ୍ଥିତ ନିଜ ବାସଭବନରେ ଜିମିଙ୍କ ନିଧନ ହୋଇଥିବା ସଂସ୍ଥା ସୂଚନା ଦେଇଛି ।
ଉଲ୍ଲେଖଯୋଗ୍ୟ ଯେ ଜିମି କାର୍ଟର ୧୯୭୭ ମସିହାରେ ଆର.ଫୋର୍ଡଙ୍କୁ ହରାଇ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ । ଆମେରିକାର ୩୯ତମ ରାଷ୍ଟ୍ରପତି ଭାବେ ଜିମିଙ୍କ କାର୍ଯ୍ୟକାଳ ୧୯୭୭ରୁ ୧୯୮୧ ଯାଏ ଥିଲା ।
ନିଜ ଶାସନ ଅମଳରେ ଜିମି ମଧ୍ୟ ପ୍ରାଚ୍ୟ ସହ ଆମେରିକାର ସମ୍ପର୍କକୁ ଦୃଢ କରିବାକୁ ପ୍ରାଥମିକତା ଦେଇଥିଲେ। ଅନ୍ତଃରାଷ୍ଟ୍ରୀୟ ଶାନ୍ତିକୁ ପ୍ରୋତ୍ସାହିତ କରିବା ସହ ଲୋକତନ୍ତ୍ର ଓ ମାନବାଧିକାରକୁ ଗୁରୁତ୍ୱ ଦେବା ନିମନ୍ତେ ତାଙ୍କୁ ୨୦୦୨ ମସିହାରେ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
୧୯୨୪ ମସିହା ଅକ୍ଟୋବର ୧ ତାରିଖରେ ଜିମି କାର୍ଟରଙ୍କ ଜନ୍ମ ଏକ କୃଷକ ପରିବାରରେ ହୋଇଥିଲା । ପ୍ରଥମେ ନୌସେନା କାମ କରିବା ପରେ ୧୯୬୦ରେ ସେ ରାଜନୀତିରେ ପାଦ ରଖିଥିଲେ । ୧୯୭୧ ମସିହାରେ ସେ ଜର୍ଜିଆର ଗଭର୍ଣ୍ଣର ହୋଇଥିଲେ ଏବଂ ଏହାର ୬ ବର୍ଷ ପରେ ରିପବ୍ଲିକାନ ପାର୍ଟି ତାଙ୍କୁ ନିଜର ରାଷ୍ଟ୍ରପତି ପ୍ରାର୍ଥୀ କରିଥିଲା ।
ରାଷ୍ଟ୍ରପତି ଭାବେ କାର୍ଯ୍ୟକାଳ ଶେଷ ହେବାର ଗୋଟିଏ ବର୍ଷ ପରେ ୧୯୮୨ ମସିହାରେ ସେ କାର୍ଟର ସେଣ୍ଟର ନାମକ ଏକ ଚାରିଟି ଅନୁଷ୍ଠାନ ସ୍ଥାପନ କରିଥିଲେ । ଏହି ସଂସ୍ଥା ନିର୍ବାଚନରେ ପାରଦର୍ଶିତା ଆଣିବା, ମାନାବାଧିକାରର ସମର୍ଥନ କରିବା ଏବଂ ସ୍ୱାସ୍ଥ୍ୟ ସେବାକୁ ମଜଭୁତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । କାର୍ଟର ନିଜ ଜୀବନକାଳରେ ପ୍ରାୟ ୩୦ ପୁସ୍ତକ ରଚନା କରିଛନ୍ତି ।