Danda Jatra

ଶେଷ ହେଲା ଗଞ୍ଜାମ ଦଣ୍ଡପର୍ବର ମାସନ୍ତ ମେରୁ ଯାତ୍ରା

State

ଗଞ୍ଜାମ: ବେଲ-କାଠରେ ପ୍ରସ୍ତୁତ ହୋଇଥିଲା ମେରୁ-ଖୁଣ୍ଟି । ତଳେ ରହିଥିଲା ଅଗ୍ନି-କୁଣ୍ଡ । ପାଟଭୋକ୍ତାଙ୍କୁ ଓଲଟା ରଖି ତିନିଥର ଝୁଲାଇ ଦିଆଗଲା । ବେଲ-ଖୁଣ୍ଟିରେ ବନ୍ଧାଯାଇଥିବା ଆମ୍ବ ଏବଂ ଖଜୁରୀ କୋଳିକୁ ଭକ୍ତଙ୍କ ଭିତରେ ବାଣ୍ଟିଲେ ପାଟଭକ୍ତା । ଶେଷରେ ମା’ ରୁଦ୍ର-କାଳୀଙ୍କୁ ଗମ୍ଭୀରାରେ ବିଜେ କରାଇଲେ । ଏମିତି ଭାବରେ ମେରୁ ଯାତ୍ରା ମାଧ୍ୟମରେ ଶେଷ ହୋଇଛି ଗଂଜାମ ଦଣ୍ଡପର୍ବର ମାସନ୍ତ ମେରୁ ଯାତ୍ରା । ଏ ହେଉଛି ଗଂଜାମ ଜିଲ୍ଲାର ଗାଲେରୀ ଗୋବରା ଏବଂ ବାଲିଭାଗ ଠାରେ ଆୟୋଜିତ ମାସନ୍ତ-ମେରୁର ଦୃଶ୍ୟ ।

ଏହି ଯାତ୍ରା ଦେଖିବାକୁ ଆଖପାଖ ଅଞ୍ଚଳରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ଦଣ୍ଡପର୍ବର ପରମ୍ପରା ଅନୁଯାୟୀ ଧୂଳିଦଣ୍ଡ, ଜଳଦଣ୍ଡ ଏବଂ ଅଗ୍ନିଦଣ୍ଡ ପରେ, ଗାଁ ଦଣ୍ଡଘରେ ଆୟୋଜିତ ହୋଇଥିଲା, ମେରୁ ଯାତ୍ରା । ୧୩ ଦିନ ଧରି ଦଣ୍ଡଯାତ୍ରା ଏବଂ ଶେଷରେ ମେରୁ ପର୍ବରେ ଦୁଲୁକିଲା, ସମୁଦାୟ ଜିଲ୍ଲା । ସବୁଠି ଦେଖିବାକୁ ମିଳିଲା, ଶିବ ଏବଂ ଶକ୍ତି ଉପାସନାର ଭକ୍ତିମୟ ପରିବେଶ । ଭକ୍ତମାନେ ଏହି ୧୩ ଦିନର ଯାତ୍ରା ସମେତ ମେରୁପର୍ବକୁ ବର୍ଷେ ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି । ନିଜର ମାନସିକ ପୂରଣ କରନ୍ତି ।

ଏବେ ପୁଣି ଅପେକ୍ଷା ଆସନ୍ତା ବର୍ଷକୁ । ଭକ୍ତି, ବିଶ୍ବାସ ଏବଂ ଆଧ୍ୟାତ୍ମିକ ପରିବେଶର ଅନନ୍ୟ ପ୍ରତୀକ ହେଉଛି, ଗଂଜାମର ଏହି ପାରମ୍ପରିକ ଚୈତ୍ରପର୍ବ ଦଣ୍ଡଯାତ୍ରା ଓ ମେରୁଯାତ୍ରା । କେବଳ ସେତିକି ନୁହେଁ, ସାଂସ୍କୃତିକ ବାତାବରଣ ସହ ଭାଇଚାରା ସୃଷ୍ଟି କରିଥାଏ, ଏହି ପର୍ବ ।