Masood Azhar

ହୃଦଘାତର ଶିକାର ହୋଇଛି ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ମସୁଦ ଅଜହର

State

କରାଚୀ ୨୬।୧୨: ଭାରତର ମୋଷ୍ଟ ୱାଣ୍ଟେଡ୍ ତଥା ଜୈସ-ଏ-ମହମ୍ମଦ ମୁଖିଆ ମସୁଦ ଅଜହର ହୃଦଘାତର ଶିକାର ହୋଇଛି।  ମସୁଦ ଅଜହର ଆଫଗାନିସ୍ତାନର ଖୋସ୍ତ ପ୍ରାନ୍ତରେ ଲୁଚିଥିଲା। ସେହିଠାରେ ସେ ହୃଦଘାତର ଶିକାର ହୋଇଥିବା ବେଳେ ତାକୁ ତୁରନ୍ତ ଆଫଗାନିସ୍ତାନରୁ ପାକିସ୍ତାନକୁ ଅଣାଯାଇଛି। ମସୁଦ ଅଜହର ଏବେ କରାଚୀସ୍ଥିତ କମ୍ବାଇଣ୍ଡ ମିଲେଟ୍ରି ହସ୍ପିଟାଲରେ ଭର୍ତ୍ତି  ହୋଇଛି। ଏବେ ତାର ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି ସେ ସମ୍ପର୍କରେ ଅପଡେଟ୍ ମିଳି ନାହିଁ।

ମିଳୁଥିବା ସୂଚନା ଅନୁସାରେ ମସୁଦ ଅଜହରର ଚିକିତ୍ସା ନିମନ୍ତେ ଇସ୍ଲାମାବାଦରୁ ହୃଦୟ ରୋଗ ବିଶେଷଜ୍ଞଙ୍କୁ କରାଚୀ ପଠାଯାଇଛି। ଆତଙ୍କବାଦୀ ମୌଲାନା ମସୁଦ ଅଜହରକୁ ଖୋସ୍ତ ପ୍ରାନ୍ତର ଗୋରବାଜ ଇଲାକା ଦେଇ ପାକିସ୍ତାନକୁ ଅଣାଯାଇଛି। ଆକଳନ କରାଯାଉଛି ତାକୁ ଖୁବ୍ ଶୀଘ୍ର ରାଓଲପିଣ୍ଡିର ସବୁଠୁ ବଡ଼ ଓ ସବୁଠୁ ସୁସଜ୍ଜିତ ସୈନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ପାରେ। ଆତଙ୍କବାଦୀ ମସୁଦ ଅଜହରକୁ ପାକିସ୍ତାନରେ ନା କେବଳ ଶରଣ ମିଳିଛି ତାକୁ ସମୟସମୟରେ ସହାୟତା ମଧ୍ୟ କରାଯାଉଛି।

ଆତଙ୍କବାଦ ସଙ୍ଗଠନ ଜୈସ-ଏ-ମହମ୍ମଦ ସଂସ୍ଥାପକ ମସୁଦ ଅଜହର ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ। ଭାରତ ସେପ୍ଟେମ୍ବର ୨୦୧୯ରେ ଅଜହର ଓ ଅନ୍ୟ ଜଣେ ପାକିସ୍ତାନୀ ଆତଙ୍କବାଦୀ ତଥା ଲସ୍କର-ଏ-ତୌୟବା ସଂସ୍ଥାପକ ହାଫିଜ ମହମ୍ମଦ ସଇଦକୁ ଆତଙ୍କବାଦ ନିରୋଧ ଆଇନ ୟୁଏପିଏରେ ଆତଙ୍କବାଦୀ ଘୋଷଣା କରିଥିଲା। ଡିସେମ୍ବର ୧୯୯୯ରେ କାଠମାଣ୍ଡୁରୁ କାନ୍ଦାହାର ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ଫ୍ଲାଇଟ୍‌ ଅପହରଣ ଘଟଣାରେ ବିମାନ ଯାତ୍ରୀଙ୍କ ବଦଳେ ମସୁଦ ଅଜହରକୁ ମୁକ୍ତ କରାଯାଇଥିଲା।

ମସୁଦ ଅଜହରର ଜନ୍ମ ୧୯୬୮ରେ ହୋଇଥିଲା। ତାର ପୁରା ନାମ ମୌଲାନା ମସୁଦ ଅଜହର। ସେ ପାକିସ୍ତାନରେ ବସି ଭାରତରେ ଅନେକ ଆତଙ୍କବାଦ କାଣ୍ଡକୁ ସଫଳ କରିଛି। ତା ଦ୍ୱାରା ସ୍ଥାପିତ ସଙ୍ଗଠନ ଜୈସ-ଏ-ମହମ୍ମଦ କେବଳ ଭାରତ ନୁହେଁ ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିୟା ଓ କାନାଡାରେ ତାର ଆତଙ୍କବାଦ ଗତିବିଦ୍ଧିକୁ ସଫଳ କରିଛି। ଜାତିସଂଘ ଅନେକ ପୂର୍ବରୁ ଏହି ସଙ୍ଗଠନକୁ କଳାତାଲିକା ଭୁକ୍ତ କରିଛି। ତମାମ କଟକଣା ସତ୍ତ୍ୱେ ପାକିସ୍ତାନ ଅଧିକୃତ କାଶ୍ମୀରରେ ଏହି ସଙ୍ଗଠନ ଦୀର୍ଘ ବର୍ଷରୁ କାର୍ଯ୍ୟ କରିଆସୁଛି।

ପାକିସ୍ତାନ ଦୀର୍ଘ ବର୍ଷରୁ ମସୁଦ ଅଜହର ଦେଶରେ ଥିବା ଅସ୍ୱୀକାର କରିଆସୁଛି। ତେବେ ନିକଟରେ ପାକିସ୍ତାନ ତାର ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଓ ଦେଶରେ ରହୁଥିବା ସ୍ୱୀକାର କରିଛି। ମସୁଦ ଅଜହରକୁ ତାର ଭାରତ ବିରୋଧୀ ଗତିବିଦ୍ଧି ପାଇଁ ଜଣାଯାଏ। ନିକଟରେ ତାର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହା ପରେ ବୈଦେଶିକ ମନ୍ତ୍ରାଳୟ ମସୁଦ ଅଜହର ସମ୍ପର୍କରେ ପାକିସ୍ତାନ ନିକଟରେ ନିଜର ବିରୋଧ ଜାହିର କରିଥିଲା।