ବାରିପଦା : ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକର ଟଲକଚୁଇଁ (ତଳଖ) ଗ୍ରାମରେ ୨୨ତମ ସାନ୍ତାଳୀ ଭାଷା ବିଜୟ ଉତ୍ସବ ଉଲ୍ଲାସରସହ ପାଳିତ ହୋଇଛି। ଏହି ଉତ୍ସବ ସାନ୍ତାଳୀ ଭାଷା ପାଳନ କମିଟି କୁଳିଅଣା, ଖେରଓ୍ବାଳ ବୀର ଟ୍ରଷ୍ଟ କୁଳିଅଣା, ଯୁମିଦ ଉଥନାଓ ଗାଓଁତା ଟଲକଚୁଇଁ, ଶିବଗାଳ ଏଭେନ ସେମେଲେଦ ତିଳତଲଖ, କିସୁନ ବାଗାନ କ୍ଲବ ଶୁଖୁଆପୋଡା ଓ ସାର୍ନା ରିକ୍ରିଏସନ କ୍ଲବ ଆମ୍ବପୂଞ୍ଜା ଦ୍ୱାରା ମିଳିତ ଭାବରେ ଆୟୋଜିତ ହୋଇଥିଲା।
ଏହି ଉତ୍ସବ ଚାରିଦିନ ଧରି ଚାଲିଥିଲା। ପ୍ରଥମ ଏବଂ ତୃତୀୟ ଦିନ ଫୁଟବଲ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା, ଯେଉଁଥିରେ ବାଇଧର ତିଳତଲଖ ଦଳ ବିଜୟ ହୋଇଥିଲା। ଦ୍ୱିତୀୟ ଦିନରେ ପୁରୁଣାପାଣି ପଣ୍ଡିତ ଛକରୁ ଆରମ୍ଭ ହୋଇ ଭାଷା ପ୍ରେମୀମାନେ ଶୋଭାଯାତ୍ରା କରି ଟଲକଚୁଇଁ ପାରସି ପଡିଆକୁ ଆସିଥିଲେ। ସେଠାରେ ଟ୍ରଷ୍ଟି ଗଗନ ହାଁସଦା ପତାକା ଉତ୍ତୋଳନ କରିଥିଲେ ଓ ନାୟକେ ଦୁଗା ମାର୍ଣ୍ଣିଙ୍କଦ୍ବାରା ସାନ୍ତାଳୀ ପରମ୍ପରା ଅନୁଯାୟୀ ପୂଜା ପାଠ ହୋଇଥିଲା।ଅପରାହ୍ନରେ ଅଲଚିକି ସହ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା
ଶେଷ ଦିନରେ ମନୋରଞ୍ଜନ ପାଇଁ ଢାବୁଲ ତାମସା ଏବଂ ଯାତ୍ରା ପ୍ରଦର୍ଶନ କରାଯାଇଥିଲା। ଉତ୍ସବର ସମାପନୀ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଣି ଯୋଗଦେଇ ସାନ୍ତାଳୀ ଭାଷା ଓ ସଂସ୍କୃତିର ପ୍ରଗତି ପାଇଁ ସମସ୍ତଙ୍କ ସହଯୋଗ ଏବଂ ପ୍ରଚେଷ୍ଟାର ଆବଶ୍ୟକତା ଉଲ୍ଲେଖ କରିଥିଲେ।
ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସଭାପତି ଆନନ୍ଦ କୁମାର ହାଁସଦା, ସମ୍ପାଦକ କାହ୍ନୁ ମୁର୍ମୁ, ଖେରଓ୍ବାଳ ବୀର ଟ୍ରଷ୍ଟର ଟ୍ରଷ୍ଟି ଗଗନ ହାଁସଦା, ଶରତ ଚନ୍ଦ୍ର ହେମ୍ବ୍ରମ, ହରିମୋହନ ବେଶ୍ରା, ବାବୁଲାଲ ସୋରେନ, ଡୁଲଗୁ ଚପେୟାର, ଶିନଗ ଟୁଡୁ, ରୁକିନ ମୁର୍ମୁ, ଦୁବରାଜ ହାଁସଦା, ସାର୍ନା ରିକ୍ରିଏସନ କ୍ଲବର ଉପଦେଷ୍ଟା ରାମଚନ୍ଦ୍ର ମୁର୍ମୁ ଓ ଶିବଗାଳ ଏଭେନ ସେମେଲେଦ ଉପଦେଷ୍ଟା ବୈଦନାଥ ମୁର୍ମୁ ସହ ସମସ୍ତ ଗ୍ରାମବାସୀଙ୍କ ସହଯୋଗ ରହିଥିଲା।