High Court 1

କିଟ୍ ନେପାଳ ଛାତ୍ରୀ ମୃତ୍ୟୁ ଘଟଣା : NHRC ପ୍ରୋସିଡିଙ୍ଗ ଉପରେ ରହିତାଦେଶ, ୨୯ରେ ପରବର୍ତ୍ତୀ ଶୁଣାଣି

State

କଟକ : କିଟରେ ନେପାଳୀ ଛାତ୍ରୀ ଜୀବନ ହାରିବା ଘଟଣାରେ ଜାତୀୟ ମାନବାଧିକାର ଆୟୋଗ ନେଇଥିବା ପ୍ରୋସିଡିଙ୍ଗ ଉପରେ ଓଡିଶା ହାଇକୋର୍ଟଙ୍କ ରହିତାଦେଶ । ହାଇକୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କମିଶନ୍ ଦେଇଥିବା ପ୍ରୋସିଡିଙ୍ଗ ଅନୁସାରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ । ସାରା ଦେଶରେ ଛାତ୍ରଙ୍କ ଜୀବନ ହାରିବା ବୃଦ୍ଧି ପାଇଥିବା ବେଳେ ସୁପ୍ରିମକୋର୍ଟ ଏକ ଜାତୀୟ ଟାସ୍କଫୋର୍ସ ଗଠନ କରିଛନ୍ତି । ସମ୍ବିଧାନର ୧୪୨ ଧାରାରେ ଏହି ଟାସ୍କଫୋର୍ସ ଗଠିତ ହୋଇଛି । ସୁପ୍ରିମ କୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରବୀନ୍ଦ୍ର ଏସ ଭଟ୍ଟ ଏହାର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ଏହି ଜାତୀୟ ସ୍ତରର ଟାସ୍କଫୋର୍ସ କମିଶନ ଭଳି କାର୍ଯ୍ୟ କରିବ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ଵାରା ଏହି ଟାସ୍କଫୋର୍ସ ଗଠନ ହୋଇଥିବା ବେଳେ ଏନଏଚଆରସି ଏଭଳି ପ୍ରୋସିଡିଙ୍ଗ କରିବା ସମୟରେ ସଂଯତ ରହିବାର ଆବଶ୍ୟକ ଥିଲା । ଏହା ହୃଦବୋଧ କରିଛନ୍ତି ଓଡିଶା ହାଇକୋର୍ଟ ।

ଜାତୀୟ ମାନବିକ ଅଧିକାର ଆୟୋଗ ସମେତ ଅନ୍ୟ ସମସ୍ତ ପକ୍ଷଙ୍କୁ ହାଇକୋର୍ଟ ନୋଟିସ ଜାରି କରିଥିବା ବେଳେ ଏ ସଂକ୍ରାନ୍ତରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତିନି ସପ୍ତାହ ମଧ୍ୟରେ ସମସ୍ତ ପକ୍ଷ ନିଜ ନିଜର ଜବାବ ଦାଖଲ ପାଇଁ କୁହାଯାଇଛି । ଆସନ୍ତା ୨୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି । ହାଇକୋର୍ଟଙ୍କ ମାନ୍ୟବର ବିଚାରପତି ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

କିଟ୍ ପକ୍ଷରୁ ହୋଇଥିବା ରିଟ୍ ପିଟିସନରେ ଦର୍ଶାଯାଇଛି ଯେ, କିଟରେ ଘଟିଥିବା ନେପାଳୀ ଛାତ୍ରୀ ଜୀବନ ହାରିବା ଘଟଣାରେ ଜାତୀୟ ମାନବିକ ଅଧିକାର ଆୟୋଗ ମାର୍ଚ୍ଚ ୩ ତାରିଖରେ କଗନିଜେନସ ଗ୍ରହଣ କରିଥିଲେ । ଜାତୀୟ ମାନବାଧିକାର ଆୟୋଗଙ୍କ ଶୁଣାଣିରେ କିଟ୍ କୌଣସି ପକ୍ଷ ରଖି ନଥିବା ବେଳେ ଏନଏଚଆରସି ମାର୍ଚ୍ଚ ୨୭ ତାରିଖରେ ଏଭଳି ଏକ ପ୍ରୋସିଡିଙ୍ଗ ପ୍ରଦାନ କରିଛନ୍ତି । ଜାତୀୟ ମାନବାଧିକାର ଆୟୋଗଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ କିଟକୁ ନୋଟିସ କରାଯାଇ ନଥିଲା । ଏକ ପାଖିଆ ଭାବେ ଆକ୍ସନ ଟେକେନ ରିପୋର୍ଟ ପାଇଁ ଖୋର୍ଦ୍ଧା ଜିଲାପାଳ ଓ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଯାହାକି ଆଇନ ଅନୁଯାୟୀ ଗ୍ରହଣୀୟ ନୁହେଁ ବୋଲି କିଟ୍ ପକ୍ଷରୁ ଦାୟର ରିଟ ପିଟିସନରେ ଦର୍ଶାଯାଇଛି । କିଟ୍ ତରଫରୁ ଦାୟର ରିଟ୍ ପିଟିସନକୁ ହାଇକୋର୍ଟ ଗ୍ରହଣ କରିବା ସହିତ ଏ ସମ୍ପର୍କରେ ଜାତୀୟ ମାନବିକ ଅଧିକାର ଆୟୋଗ ଓ ରାଜ୍ୟ ସରକାର ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏନଏଚଆରସିଙ୍କ ପ୍ରୋସିଡିଙ୍ଗ କାର୍ଯ୍ୟକାରୀ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।