Raub 0

କଲବଲ କରୁଛି ବର୍ଷା ଆଉ ଶୀତ: ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

State

ଭୁବନେଶ୍ୱର : କଲବଲ କରୁଛି ବର୍ଷା ଆଉ ଶୀତ । ଅସ୍ତବ୍ୟସ୍ତ ଜନଜୀବନ । ମେଘୁଆ ପାଗ ପରେ କାଲି ରାତିରୁ ଝିପିଝିପି ବର୍ଷାକୁ କୋହଲା ପବନ ବୋହୁଛି । ଶୀତଦିନରେ ବର୍ଷା ଜାରି ରହିଥିବାରୁ ଅସ୍ତବ୍ୟସ୍ତ ହୋଇପଡିଲାଣି ଜନଜୀବନ । କୋହଲା ପାଗ ସହ ବର୍ଷା ଯୋଗୁଁ ଲୋକ ଘରୁ ପଦାକୁ ବାହାରିବାକୁ ପଛଘୁଞ୍ଚା ଦେଉଛନ୍ତି । ଆହୁରି ଦୁଇଦିନ ଏହିଭଳି ମେଘୁଆ ପାଗ ସହ ବର୍ଷା ଲାଗି ରହିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ବଙ୍ଗୋପସାଗରରୁ ଆର୍ଦ୍ରତାପୂର୍ଣ୍ଣ ବାୟୁ ରାଜ୍ୟ ଭିତରକୁ ପ୍ରବେଶ କରୁଛି । ଏହି କାରଣରୁ ବର୍ଷା ହେଉଛି ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଅନେକ ସ୍ଥାନରେ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।  ସେଥିପାଇଁ ଏହି ୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଲଘୁଚାପ ଜନିତ ବର୍ଷା ଯୋଗୁ କମିଛି ଦିନ ତାପମାତ୍ରା ।  ଆଜି ସୁନ୍ଦରଗଡ଼ ଓ ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ରହିବ ବୋଲି ପୂର୍ବାନୁମାନ କରାଯାଇଥିବା ବେଳେ ଝାରସୁଗୁଡ଼ା, ବୌଦ୍ଧ ଓ ଜଗତସିଂହପୁରରେ ୧୪, ବାରିପଦା, ନୂଆପଡ଼ା, ଫୁଲବାଣୀ ଓ କୋରାପୁଟରେ ୧୫, କେନ୍ଦୁଝର ଓ ଅନୁଗୋଳରେ ୧୬, ଭଦ୍ରକ, କେନ୍ଦ୍ରାପଡ଼ା, ଦେବଗଡ଼, ବରଗଡ଼ ଓ ବାଲେଶ୍ୱର ୧୭, କଟକ, ଢେଙ୍କାନାଳ, ଯାଜପୁର, କଟକ, ନୟାଗଡ଼, ଟିଟିଲାଗଡ଼, ଭବାନୀପାଟଣା, ଖୋର୍ଦ୍ଧା ଓ ବଲାଙ୍ଗିରରେ ୧୮ ଡିଗ୍ରୀ ସେଲ୍‌ସିୟସ ରହିପାରେ । ସେହିପରି ଭୁବନେଶ୍ୱରରେ ଦିନ ତାପମାତ୍ରା ୧୮.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଗତକାଲି ୨ଟା୩୦ରେ ୨୬.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିଲା ।