ବାରିପଦା: ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଓ ଓଡିଶା ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ) ମିଳିତ ଆନୁକୂଲ୍ୟରେ ଏବଂ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ସହଯୋଗରେ ସ୍ଥାନୀୟ ସହିଦ ସ୍ମୃତି ଭବନ ଠାରେ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଆଜି ଅନୁଷ୍ଠିତ ହୋଇଯାଇଅଛି।
ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପେନସନ ଅଦାଲତରେ ଏ. ଜି କାର୍ଯ୍ୟାଳୟର ଉପ ମହାଲେଖାକାର (ପେନସନଓ ଭବିଷ୍ୟନିଧି ) ସଞ୍ଜୟ କୁମାର,ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ସ୍ୱତନ୍ତ୍ର ଶାସନ ସଚ୍ଚିବ, ସତ୍ୟ ରଞ୍ଜନ ସାହୁ, ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରକାର, ବରିଷ୍ଠ ଲେଖାଧିକାରୀ ସାରଦା ପ୍ରସନ୍ନ ମହାପାତ୍ର, କଲ୍ୟାଣ ପଣ୍ଡା ଯୋଗଦେଇ ପେନସନ ଓ ଭବିଷ୍ୟନିଧି ସମ୍ବନ୍ଧୀୟ ଅଭିଯୋଗର ଶୁଣାଣି କରିଥିଲେ।
ବରିଷ୍ଠ ଲେଖାଧିକାରୀ ଶ୍ରୀ ମହାପାତ୍ର ପେନସନ ଓ ଜିପିଏଫ ଆବେଦନ ପତ୍ର ପଠାଉଥିବା ବେଳେ ଯେଉଁ ଭୁଲ କରନ୍ତି ତାର ସଂଶୋଧନ କିପରି କରାଯାଇ ପାରିବ ପିପିଟି ମାଧ୍ୟମରେ ବୁଝାଇଥିଲେ। ଏହି ପେନସନ ଅଦାଲତରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟର ଗ୍ରାଚୁଇଟି ମଂଜୁର ହୋଇ ନଥିବା ୫୩୫ଟି ମାମଲାର ଶୁଣାଣି ପାଇଁ ଉପସ୍ଥାପିତ ହୋଇଥିଲା। ତନ୍ମଧ୍ୟରୁ ୬ ଜଣଙ୍କୁ ସେହି ମଞ୍ଚରେ ପେନସନ କାଗଜ ପ୍ରଦାନ କରାଯାଇଥିଲା ଓ ଅନ୍ୟ ସମସ୍ତ ପେନସନ ମାମଲା ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ଜିଲ୍ଲାପାଳ ଶ୍ରୀ ସୟ କହିଥିଲେ।
ଉପ ମହାଲେଖାକାର ସଞ୍ଜୟ କୁମାର ଉପସ୍ଥିତ ଥିବା ପେନସନ ମଞ୍ଜୁରକର୍ତ୍ତା ଓ ଡିଡିଓ ମାନଙ୍କୁ ଠିକ ସମୟରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କର ଅବସରକାଳୀନ ଦେୟ କାଗଜପତ୍ର ଓ ଠିକ ସମୟରେ ମହାଲେଖାକାର କାର୍ଯ୍ୟାଳୟକୁ ଏହା ସବୁ ପଠାଇବାକୁ କହିଥିଲେ ଯାହା ଫଳରେ ସେମାନେ ଠିକ ସମୟରେ ସେମାନଙ୍କର ପ୍ରାପ୍ୟ ପାଇପାରିବେ । ଅବସର ପରେ ସେମାନଙ୍କର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡେ। ତେଣୁ ମାନବୀୟ ଦୃଷ୍ଟି କୋଣରୁ ସେମାନଙ୍କର ଦୂରାବସ୍ଥାର ସୁଧାର ଆଣିବା ପାଇଁ ଅବସରର 2 ମାସ ପୁର୍ବରୁ ଏଜି କାର୍ଯ୍ୟାଳୟକୁ ପଠାଇବା ଉଚିତ ଯାହାଫଳରେ ଅବସର ଦିନ ସେମାନଙ୍କର ଅବସରକାଳୀନ ପ୍ରାପ୍ୟ ପାଇପାରିବେ ଓ ସରକାର ପେନସନ ଆବେଦନ ପତ୍ର ସରଳିକରଣ କରିବାକୁ ଅନୁରୋଧ କରିଥିଲେ।
ସଚ୍ଚିବ ଶ୍ରୀ ସାହୁ ପେନସନ ମଞ୍ଜୁରକର୍ତ୍ତାମାନେ ଅବସର ପୂର୍ବରୁ ଯେପରି ଅବସର କାଗଜପତ୍ର ଯେପରି ମହାଲେଖାକାର କାର୍ଯ୍ୟାଳୟରେ ପହଞ୍ଚେ ସେଥିପାଇଁ ପଦକ୍ଷେପ ନେବାକୁ ସେମାନଙ୍କୁ ଅନୁରୋଧ କରିଥିଲେ। ବିଭିନ୍ନ ବିଭାଗର ପେନସନ ମଞ୍ଜୁର କର୍ତ୍ତାମାନେ ଠିକ ସମୟରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କର ପେନସନ କାଗଜ ଠିକ ସମୟରେ ଏ. ଜି କାର୍ଯ୍ୟାଳୟକୁ ପଠାଇବାକୁ, ପେନସନ ମଞ୍ଜୁରୀକୁ ବିଳମ୍ବ ନ କରିବାକୁ ଶ୍ରୀ ସାହୁ କହିଥିଲେ।
ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ଜିଲ୍ଲାରେ ପେନସନ ଓ ଗ୍ରାଚୁଇଟି ମଂଜୁର ହୋଇ ନ ଥିବା ଅବସରପ୍ରାପ୍ତ କର୍ମଚାରୀ ମାନଙ୍କର ପେନସନ କାଗଜ ପତ୍ର ତୁରନ୍ତ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲାବେଳେ କର୍ମଚାରୀମାନେ ସେମାନଙ୍କର ପେନସନ, ଭବିଷ୍ୟନିଧି ପ୍ରାପ୍ୟ ଯେପରି ଠିକ ସମୟରେ ପାଇପାରିବେ ତା ଉପରେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ବର୍ତ୍ତମାନ ସମୟ ବଦଳି ଯାଇଛି ଅବସରକାଳୀନ ପ୍ରାପ୍ୟ ପାଇବା ପାଇଁ ଆଉ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡୁନାହିଁ l ଏଜି କାର୍ଯ୍ୟାଳୟ ଦୁଇ ମାସ ପୂର୍ବରୁ ଯାଇଥିବା ପେନସନ ଆବେଦନ ପତ୍ର ବିଚାରକୁ ନେଇ ଅବସର ପୂର୍ବରୁ ପେନସନ ଓ ଜିପିଏଫ ପ୍ରଦାନ କରୁଥିବାରୁ, ଜିଲ୍ଲାପାଳ ଶ୍ରୀ ସୟ ପ୍ରଶଂସା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଚନ୍ଦ୍ରକାର ଏ. ଜି କାର୍ଯ୍ୟାଳୟ ପକ୍ଷରୁ ପେନସନର ମାନଙ୍କ ପେନସନ ର ଅବସରକାଳୀନ ପ୍ରାପ୍ୟ ଫଇସଲା ପାଇଁ ଏହିଭଳି କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଧନ୍ୟବାଦ ଦେଇଥିଲେ।
ଏହି ଅଦାଲତକୁ ସହକାରୀ ଲେଖାଧିକାରୀ ଦିଲ୍ଲୀପ ଦୁବେ, ଶରତ ଚନ୍ଦ୍ର ମହାପାତ୍ର, ବସନ୍ତ କୁମାର ପଣ୍ଡା,ଭିନେଶ ଯାଦବ,ପୁରୁଷୋତ୍ତମ ବଳ,ଅଶୋକ କୁମାର ପାତ୍ର,କୌଶିକ କୁମାର କବି, ଯାମି ସଞ୍ଜୟ ସିଂହ, ଚନ୍ଦ୍ର ଶେଖର ବେହେରା ଓ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ପ୍ରମୁଖ ପେନସନ ଅଦାଲତକୁ ପରିଚାଳନା କରିଥିଲେ।