Anganwadi 750x430

ରାଜଧାନୀରେ ଗର୍ଜିଲେ ଅଙ୍ଗନବାଡି କର୍ମୀ

State

ଭୁବନେଶ୍ବର: ରାଜଧାନୀରେ ଗର୍ଜିଲେ ଅଙ୍ଗନବାଡି କର୍ମୀ । ମିଶନ ଶକ୍ତି କର୍ମୀଙ୍କ ପରେ ଅଙ୍ଗନବାଡି କର୍ମୀଙ୍କ ଗର୍ଜନ । ସରକାରୀ କର୍ମଚାରୀ ମାନ୍ୟତା ସହ ବିଭିନ୍ନ ଦାବି ନେଇ ୫୦ହଜାରରୁ ଅଧିକ କର୍ମୀ ଓ ସହାୟିକା ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବହିଷ୍କାର ହୋଇଥିବା କର୍ମୀଙ୍କୁ ପୁନଃନିଯୁକ୍ତି ସହ ଗରମ ରନ୍ଧାଖାଦ୍ୟ ମୂଲ୍ୟ ବୃଦ୍ଧି ପାଇଁ ବି ଦାବି କରିଛନ୍ତି । ତିନି ମାସ ମଧ୍ୟରେ ଦାବି ପୂରଣ ନହେଲେ ମାର୍ଚ୍ଚରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଅଙ୍ଗନବାଡି କର୍ମୀ । ସେପଟେ ଆନ୍ଦୋଳନ କରିବା ପୂର୍ବରୁ ପ୍ରଥମେ ସରକାରଙ୍କ ସହ ଆଲୋଚନା କରିବାକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ମିଳୁ । ପୂର୍ବ ସରକାରରେ ବହିଷ୍କାର ହୋଇଥିବା ଅଙ୍ଗନବାଡ଼ି କର୍ମୀଙ୍କୁ ନୂଆ ସରକାର ପୁଣି ନିଯୁକ୍ତି ଦିଅନ୍ତୁ । ନିର୍ବାଚନ ଇସ୍ତାହାର ଅନୁସାରେ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ଦରମା ବୃଦ୍ଧି କରାଯାଉ । ଅବସର ବୟସ ସୀମା ୬୫ବର୍ଷକୁ ବୃଦ୍ଧି କରିବା ସହ ମୃତ୍ୟୁକାଳୀନ ସହାୟତା ରାଶି ୫ଲକ୍ଷ ସହିତ ପରିବାରରୁ ଜଣଙ୍କୁ ଚାକିରି ମିଳୁ। ପେନସନ୍ ଲାଗୁ ସହ ଅବସର ବେଳେ ଆର୍ଥିକ ସହାୟତା ମିଳୁ । ପୁରୁଣା ମୋବାଇଲ୍ ବଦଳରେ ଫାଇଭ୍-ଜି ମୋବାଇଲ୍ ପାଇଁ କର୍ମୀଙ୍କ ଆକାଉଣ୍ଟଙ୍କୁ ଟଙ୍କା ପଠାଯାଉ । ଯେଉଁଥିରେ ସବୁ ଆପରେ କାମ କରିହେବ । ଏଥିସହ ସରକାର ବର୍ଷକୁ ୩ହଜାର ୯୯୯ ରିଚାର୍ଜ କରନ୍ତୁ ବୋଲି ଅଙ୍ଗନବାଡି କର୍ମୀ ଦାବି କରିଛନ୍ତି ।

ଦିନକୁ ଦିନ ଖାଦ୍ୟସାମଗ୍ରୀ ଦର ବଢୁଥିବା ବେଳେ ଗରମ ରନ୍ଧାଖାଦ୍ୟର ମୂଲ୍ୟ ବୃଦ୍ଧି କରିବାକୁ ଦାବି କରିଛନ୍ତି ଅଙ୍ଗନବାଡି କର୍ମୀ । ନିଜ ହାତରୁ ଅଧିକ ପଇସା ଖର୍ଚ୍ଚ କରି ଅଙ୍ଗନବାଡ଼ି କେନ୍ଦ୍ରରେ ରୋଷେଇ କରୁଛନ୍ତି । ଅଣ୍ଡା ମୂଲ୍ୟ ୮ଟଙ୍କା ୫୦ ହୋଇଥିବା ବେଳେ ମିଳୁଛି ୫ଟଙ୍କା। ଡାଲି, ତେଲ ଦର ବଢିଥିବା ବେଳେ ସରକାର କମ୍ ଟଙ୍କା ଦେଉଛନ୍ତି । ତେଣୁ ରନ୍ଧାଖାଦ୍ୟ ମୂଲ୍ୟ ବଢାଇବାକୁ ଦାବି ହୋଇଛି । ସେହିପରି ସୁଭଦ୍ରା ଯୋଜନାରେ କାମ କରି ଅଙ୍ଗନବାଡି କର୍ମୀ ମାଡ ଖାଉଛନ୍ତି । ଅଧିକ କାମକୁ ଅଧିକ ଦରମା ମିଳୁନଥିବା ଅଙ୍ଗନବାଡି କର୍ମୀ ଅଭିଯୋଗ କରିଛନ୍ତି ।

ପ୍ରଥମେ ସରକାର ସହ ଆଲୋଚନା କରନ୍ତୁ । ଆଲୋଚନା ପରେ ରାଜରାସ୍ତାକୁ ଆନ୍ଦୋଳନ ପାଇଁ ଆସନ୍ତୁ । ଭୁବନେଶ୍ବର ଲୋୟର ପିଏମଜିରେ ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରି଼ଡା। ନୂଆ ସରକାର ଆସିବାର ମାତ୍ର ୬ମାସ ହୋଇଛି । ତେଣୁ ପ୍ରଥମେ ଆଲୋଚନା କରିବାକୁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ସେପଟେ ଦାବି ତିନି ମାସ ଭିତରେ ପୂରଣ ନହେଲେ ମାର୍ଚ୍ଚରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଅଙ୍ଗନବାଡି କର୍ମୀ । ପ୍ରାୟ ୫୦ହଜାରରୁ ଅଧିକ ଅଙ୍ଗନବାଡି କର୍ମୀ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।