Hi80pm1vpa1r0msusjws

ଧନୁ ସଂକ୍ରାନ୍ତି; ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ମହାପ୍ରଭୁଙ୍କ ପହିଲି ଭୋଗ ନୀତି

State

ପୁରୀ: ଓଡ଼ିଆର ଅନ୍ୟ ଏକ ମୁଖ୍ୟ ପର୍ବ ହେଉଛି ଧନୁ ସଂକ୍ରାନ୍ତି । ସୂର୍ଯ୍ୟଙ୍କ ଧନୁ ରାଶିକୁ ଚଳନକୁ ଧନୁ ସଂକ୍ରାନ୍ତି କୁହାଯାଇଥାଏ । ଆଜି ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ପହିଲି ଭୋଗ ନୀତି । ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ସକାଳର ଗୋପାଳବଲ୍ଲଭ ଭୋଗ ନୀତି ସହିତ ‘ପହିଲିଭୋଗ’ ନୀତି ଅନୁଷ୍ଠିତ ହୋଇଥାଏ । ସକାଳୁ ସକାଳୁ କାଉ କା’ କହିବା ପୂର୍ବରୁ, ମହାପ୍ରଭୁଙ୍କ ପାଖରେ ଲାଗି ହୋଇଥାଏ ପହିଲି ଭୋଗ ।

ଏହି ଦିନମାନଙ୍କରେ ରାତ୍ର ଦୁଇ ଘଡି ଥାଇ ଦ୍ୱାର ଫିଟା ନୀତି, ମଙ୍ଗଳ ଆଳତି, ଅବକାଶ ହୁଏ । ତାହା ପରେ ଘୋଡ ଓ ଅଳଙ୍କାର ଲାଗି ହୋଇ ବେଶ ହୋଇଥାଏ । ତତ୍ପରେ, ଭିତର ବାହାର ଶୋଧ ହୋଇ ଅଣସରପିଣ୍ଡି ଠାରେ ଗୋପଳବଲ୍ଲଭ ଭୋଗ ବଢାଯାଇଥାଏ । ଏହାପରେ ଅହ୍ମୁଣିଆ ପାଣି ପଡିବା ଉତ୍ତାରୁ ପହିଲି ଭୋଗ ଛେକ ଆସିବା ପାଇଁ ଭୋଗ ଡାକିଯାଏ । ଏହି ଭୋଗରେ ବିରି ଓ ଗହମରେ ଘୃତପାକ ହୋଇଥିବା ପିଠାମାନ ଅଣାଯାଇ ପଞ୍ଚୋପଚାରରେ ପୂଜା କରାଯାଇଥାଏ । ପହିଲି ଭୋଗରେ ଲାଗୁଥିବା ପିଠା ଗୁଡିକ ହେଉଛି- ‘ବଡ଼ ଝିଲି, ଦରସୁଆ ବଡି, ଦରସୁଆ ଝିଲି, ବଡ଼ ବଡ଼ା, କାକେରି, ସାନ ଅମାଲୁ, ନଳୀ, କାକେରା, ଆରିସା, ମୁଗେଇ, ଏଣ୍ଡୁରି, ଲଡୁ, ଗଜା, ଖଇର ଚୁଳ, ମଣ୍ଡା, ଚୁଡା ପୁଆ, ବଡ଼ି, କଣ୍ଟେଇ ପ୍ରଭୃତି ।

ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ଏହାର ପରିମାଣ ମଧ୍ୟ ଉଲ୍ଲେଖ କରାଯାଇଛି । ଏହି ସବୁ ଦ୍ରବ୍ୟ ପାକ କରିବାକୁ ସୁବିଧା ହେବା ପାଇଁ ଏହି ଦିନମାନଙ୍କରେ ମଂଗଳ ଆଳତି ପରେ ହିଁ ରୋଷ ହୋମ ଅନୁଷ୍ଠିତ ହୋଇଥାଏ ।

ରାମ କୃଷ୍ଣ ବେନିଭାଇଙ୍କୁ ଖୁଆଇ ଦେଇଥାନ୍ତି ମାଆ ଯଶୋଦା । ସେଥିପାଇଁ, ଶ୍ରୀମନ୍ଦିର ମହାପ୍ରଭୁଙ୍କ ସଅଳ ନୀତିକାନ୍ତି ହୋଇଥାଏ । ମାସେ ଯାଏଁ ଶ୍ରୀଜୀଉଙ୍କୁ ଅର୍ପଣ ହୋଇଥାଏ ପହିଲି ଭୋଗ । ମାଆଙ୍କ ହାତରନ୍ଧା ଖାଦ୍ୟ ଖାଇଥାନ୍ତି ମହାପ୍ରଭୁ । କଥିତ ଅଛି ଯେ, ଏହି ମାସରେ ମହାଲକ୍ଷ୍ମୀ ବାପଘର ଯାତ୍ରା କରିଥାନ୍ତି । ଏଣୁ ବାତ୍ସଲ୍ୟ ମମତାମୟୀ ମା’ ଯଶୋଦା ଶ୍ରୀଜଗନ୍ନାଥଙ୍କୁ ପ୍ରଭାତରୁ ଶୀଘ୍ର ରୋଷଇ କରି ବିଭିନ୍ନ ପ୍ରକାରର ବ୍ୟଞ୍ଜନ ସହିତ ଅନ୍ନ ଶୀତ ସମୟରେ ଗରମ ଗରମ ଖାଇବାକୁ ଦେଇଥାନ୍ତି । ଏଣୁ, ଏହି ଭୋଗ ମା’ ଯଶୋଦାଙ୍କ ପୁତ୍ର ପ୍ରତି ବାତ୍ସଲ୍ୟ ସ୍ନେହ ଓ ନୈସର୍ଗିକ ପ୍ରେମର ନିଦର୍ଶନ । ସେଥିପାଇଁ ଏହି ପହିଲି ଭୋଗର ବ୍ୟବସ୍ଥା ଚଳିଆସିଛି ।

ପୌରାଣିକ ଆଖ୍ୟାନ ଅନୁଯାୟୀ ଏକଦା ଦ୍ୱାରକାରେ ଶ୍ରୀକୃଷ୍ଣ ମାତା ଯଶୋଦାଙ୍କ ସ୍ମୃତିରେ ବ୍ୟାକୁଳିତ ହୋଇ ବାଳ ଗୋପାଳ ରୂପ ଧାରଣ କରିଥିବା ବେଳେ ନାରଦ ସେଠାରେ ଉପସ୍ଥିତ ହୋଇ ତାହାର ରହସ୍ୟ ଜିଜ୍ଞାସା କରିଥିଲେ । ଉତ୍ତରରେ ଶ୍ରୀକୃଷ୍ଣଙ୍କ ଦ୍ୱାରା ପ୍ରେରିତ ହୋଇ ନାରଦ ଗୋପପୁରରେ ଉପସ୍ଥିତ ହେଲେ । କୃଷ୍ଣ ବଳରାମ ଦୁଇ ଭାଇଙ୍କୁ ଯଶୋଦାଙ୍କ କୋଳରେ ବସି ନାନା ସୁମିଷ୍ଟ ଦ୍ରବ୍ୟ ଆନନ୍ଦରେ ଭୋଜନ କରୁଥିବାର ଦେଖିଲେ । ଶ୍ରୀଜଗନ୍ନାଥଙ୍କ ପହିଲି ଭୋଗ ଏହାର ସ୍ମାରକି । ସ୍କନ୍ଦପୁରାଣରେ ବା ଶ୍ରୀମନ୍ଦିରର ବିଭିନ୍ନ ପର୍ବପର୍ବାଣିର ବର୍ଣ୍ଣନା କରାଯାଇଥିବା ବାମଦେବ ସଂହିତା ଓ ନୀଳାଦ୍ରି ମହୋଦୟ ମଧ୍ୟ ପହିଲି ଭୋଗର କୌଣସି ବିବରଣୀ ନାହିଁ । ଏଥିରୁ, ଅନୁମତି ହୁଏ ଯେ ପହିଲି ଭୋଗର ପ୍ରଚଳନ ଅର୍ବାଚୀନ କାଳରେ ହୋଇଛି । ଏହା ଖ୍ରୀଷ୍ଟୀୟ ୧୬ଶ ଶତାଦ୍ଦୀରେ ପ୍ରଚଳିତ ଥିବାର ଜଣାପଡେ । ଏହାପରେ ସକାଳ ଧୂପ ହୋଇ ସାହାଣମେଲା ଦର୍ଶନ ହୁଏ । ମଧ୍ୟରାତ୍ର ସୁଦ୍ଧା ପହୁଡ ହୁଏ । ପରମ୍ପରାଅନୁସାରେ, ଧନୁ ସଂକ୍ରାନ୍ତିରେ ବଡଓଡିଆ ମଠରୁ ଠାକୁରଙ୍କ ଭୋଗପାଇଁ ମୁଆଁ ଆସିଥାଏ ।