News Bulletin In Santali Language 750x396

ପ୍ରଥମ ଥର ପାଇଁ ସାନ୍ତାଳୀ ଭାଷାରେ ସମାଚାର ପଢିଲା ଦୂରଦର୍ଶନ

State

ଭୁବନେଶ୍ବର: ରାଷ୍ଟ୍ରପତିଙ୍କ ଅନୁରୋଧ ରକ୍ଷା କଲା ଦୂରଦର୍ଶନ । ପ୍ରଥମ ଥର ପାଇଁ ସାନ୍ତାଳୀ ଭାଷାରେ ପ୍ରସାରଣ କଲା ସମାଚାର । ଦୂରଦର୍ଶନ ତଥା ଡିଡି ଓଡିଆ ଟେଲିଭିଜନ ଚ୍ୟାନେଲରେ ପ୍ରଥମ ଥର ପାଇଁ ଗୁରୁବାର ସାନ୍ତାଳୀ ଭାଷାରେ ସମାଚାର ସମ୍ପାଦାନ କରିଛି । ଯାହା ପ୍ରସାରିତ ହେବା ପରେ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ।

ତେବେ ୧୧ ଡିସେମ୍ବର ୨୦୨୪ରେ ଅର୍ଥାତ୍ ଗତକାଲି ପ୍ରଥମ ଥର ପାଇଁ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ଏକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ଡିଡି ଓଡ଼ିଆରେ ସାନ୍ତାଳୀ ନ୍ୟୁଜ୍ ବୁଲେଟିନ୍ ଲଞ୍ଚ ହୋଇଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜେ ରାଷ୍ଟ୍ରପତି ଭବନରେ ସାନ୍ତାଳୀ ନ୍ୟୁଜ୍ ବୁଲେଟିନ୍ ଡିଡି ନ୍ୟୁଜରେ ଦେଖି ଖୁସି ବ୍ୟକ୍ତ କରିଛନ୍ତି । ଏଥିସହିତ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଦୂରଦର୍ଶନକୁ ସାଧୁବାଦ୍ ଜଣାଇଛନ୍ତି ।

ଏହି ମୁହୂର୍ତ୍ତଟିକୁ ନେଇ ରାଷ୍ଟ୍ରପତି କହିଛନ୍ତି, ସାନ୍ତାଳୀ ଭାଷା ବୁଝିପାରୁଥିବା ଲୋକମାନେ ନିଜ ଭାଷାରେ ଏବେ ଖବର ଜାଣିପାରିବେ । ଯାହା ସାନ୍ତାଳୀ ସଂସ୍କୃତି ଏବଂ ଭାଷାକୁ ପ୍ରୋତ୍ସାହିତ କରିବ । ଯେଉଁମାନେ ସାନ୍ତାଳୀ ଭାଷା ଛାଡିଲେ ଅନ୍ୟ କେଉଁ ଭାଷା ମୁଝିବା ପାଇଁ ଅସମର୍ଥ ସେମାନେ ଏବେ ଦେଶ ବିଦେଶ ଖବର ନିଜ ଭାଷାରେ ଜାଣିପାରିବେ ।

ତେବେ ସାନ୍ତାଳୀ ଭାଷାରେ ନ୍ୟୁଜ୍ ପଢ଼ାଯିବା ନେଇ ରାଷ୍ଟ୍ରପତିଙ୍କ ଇଚ୍ଛା ରହିଥିଲା । ଏହି ନିକଟ ଅତୀତରେ ବାଙ୍ଗିରିପୋଷିରେ ବିଭିନ୍ନ ରେଳ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅବସରରେ ଯୋଜ ଦେଇ ସାନ୍ତାଳୀ ଭାଷାରେ ନ୍ୟୁଜ୍ ପଢାଯିବା ନେଇ ଇଚ୍ଛା ପ୍ରକଟ କରିଥିଲେ । ଯାହାକୁ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଗାମି ୭ ଦିନ ଭିତରେ ଏହା କାର୍ଯ୍ୟକାରୀ ହେବା ନେଇ ଗତ ୭ ତାରିଖରେ ସୂଚନା ଦେଇଥିଲେ । ଆଉ ଏହା ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନିଜର ପୂର୍ବ ପ୍ରତିଶ୍ରୁତିକୁ ପୂରଣ କରିଥିବାରୁ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିବା ସହ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ତେବେ କହିରଖୁଛୁ, ସାନ୍ତାଳୀ ଭାଷା ମୁଖ୍ୟତଃ ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ଓଡିଶଶ ରାଜ୍ୟ ବ୍ୟତୀତ ପଡୋଶୀ ଦେଶ ନେପାଳ ଏବଂ ବାଂଲାଦେଶରେ ବି କୁହାଯାଇଥାଏ ।