କକକ

ବାସହୀନଙ୍କୁ ଜମି: ଏଣିକି ବିକ୍ରି-ଖର୍ଦ୍ଦି ମନା, ବିଜ୍ଞପ୍ତି ଜାରି, ଆପତ୍ତି-ଅଭିଯୋଗ ଲୋଡ଼ିଲେ ସରକାର

State

ଭୁବନେଶ୍ବର : ଏଣକି ରାଜ୍ୟରେ ବାସହୀନଙ୍କୁ ସରକାର ଦେଉଥିବା ଜମି ବିକ୍ରି-ଖର୍ଦ୍ଦି ହୋଇପାରିବ ନାହିଁ । କେବଳ ଉତ୍ତରାଧିକାରୀ ସୂତ୍ରରେ ଉପଯୋଗ କରିହେବ । ପୂର୍ବରୁ ବାସହୀନଙ୍କୁ ସର୍ବାଧିକ ୧୦ଡିସିମିଲ୍ ଜମି ଦେବାର ବ୍ୟବସ୍ଥା ଥିବାବେଳେ ଏଣିକି ସର୍ବାଧିକ ୪ ଡିସିମିଲ ଜମି ମିଳିବ । ଯଦି କୌଣସି ପରିବାର ଏକାଠି ଖାଇବା-ରହିବା କରୁଥିବେ କିନ୍ତୁ ତାଙ୍କର ବାସଜମିର ପରିମାଣ ୪ଡିସିମିଲରୁ କମ୍ ଥିବ ଓ ତାହା ଚଳିବା ପାଇଁ ଯଥେଷ୍ଟ ହେଉନଥିବ ତା’ହେଲେ ସମ୍ପୃକ୍ତ ପରିବାର ଅବଶିଷ୍ଟ ଜମି(ସର୍ବାଧିକ ୪ଡିସିମିଲ ପର୍ଯ୍ୟନ୍ତ) ପାଇବାକୁ ମଧ୍ୟ ଯୋଗ୍ୟ ହେବେ ।
ଏଭଳି କିଛି ନୂଆ ପ୍ରାବଧାନ ଆଣି ଓଡ଼ିଶା ସରକାରୀ ଭୂ-ବନ୍ଦୋବସ୍ତ ନିୟମାବଳୀ-୧୯୮୩ରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ଏହି ଚିଠା ସଂଶୋଧନ ବିଜ୍ଞପ୍ତିକୁ ଗତକାଲି ଅର୍ଥାତ ଡିସେମ୍ବର ୧୨ତାରିଖରେ ଜାରି କରି ବିଭାଗ ସାଧାରଣ ଲୋକଙ୍କଠୁ ଆପତ୍ତି-ପରାମର୍ଶ ଳୋଡ଼ିଛି । ବିଜ୍ଞପ୍ତି ପ୍ରକାଶର ୩୦ଦିନ ପର୍ଯ୍ୟନ୍ତ ଏହି ଚିଠା ଆଇନ ସଂଶୋଧନକୁ ନେଇ ଆପତ୍ତି-ପରାମର୍ଶ ଦେଇହେବ ଓ ତା’ଉପରେ ରାଜ୍ୟ ସରକାର ବିଚାର ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ଏହି ଚିଠା ସଂଶୋଧନ ‘ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ(ଦ୍ୱିତୀୟ ସଂଶୋଧନ) ନିୟମାବଳୀ-୨୦୨୪’ ଭାବେ ବିବେଚନା କରାଯିବ । ଓଡ଼ିଶା ଗେଜେଟରେ ବିଜ୍ଞପ୍ତି ପ୍ରକାଶ ଦିନଠୁ ଏହି କାର୍ଯ୍ୟକ୍ଷମ ହେବ । ଓଡ଼ିଶା ସରକାରୀ ଭୂ-ବନ୍ଦୋବସ୍ତ ନିୟମାବଳୀ-୧୯୮୩ର ନିୟମ-୨ର ଉପନିୟମ(୧)ରେ ‘ଗୋଟିଏ ଏକରର ୨୫ଭାଗରୁ ଭାଗେ’ ଜମି ଉଲ୍ଲେଖ କରାଯାଇଛି । ଅର୍ଥାତ୍ ୪ଡିସିମିଲ (ଗୋଟିଏ ଏକର-୧୦୦ଡିସିମିଲ) ଜମି ମିଳିପାରିବ ।
ସେହିପରି ଉପଧାରା-୨ରେ ଥିବା ପ୍ରାବଧାନ ବଦଳରେ ବାସହୀନ ବ୍ୟକ୍ତିଙ୍କୁ ଦିଆଯାଉଥିବା ଜମିକୁ ହସ୍ତାନ୍ତର ଯୋଗ୍ୟ(ବିକ୍ରି-ଖର୍ଦ୍ଦି ହୋଇପାରିବ ନାହିଁ) ନୁହେଁ ଓ କେବଳ ଉତ୍ତରାଧିକାରୀ ସୂତ୍ରରେ ଉପଯୋଗ କରିହେବ ବୋଲି ସଂଶୋଧିତ ବ୍ୟବସ୍ଥା ହୋଇଛି ।
ସେହିପରି ‘ସର୍ବାଧିକ ୧୦ ଡିସିମିଲ ପର୍ଯ୍ୟନ୍ତ ଜମି ବଦଳରେ ‘ଏକ ଏକରର ୨୫ଭାଗରୁ ଭାଗେ’ ଜମି ଉଲ୍ଲେଖ କରାଯାଇଛି ।
ଏହି ସଂଶୋଧନ ମାଧ୍ୟମରେ ରାଜ୍ୟ ସରକାର ସମସ୍ତ ବାସହୀନ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇବାର ସହଜ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହାସହିତ ଯେଉଁ ପରିବାର ବଡ଼ ଓ ଅଧିକ ସଦସ୍ୟ ଅଛନ୍ତି ସେମାନଙ୍କୁ ମଧ୍ୟ ଏହି ସଂଶୋଧିତ ଆଇନର ସୁଫଳ ମିଳିପାରିବ । ଯଦି ଗୋଟିଏ ପରିବାରରେ ବାପ-ପୁଅ ମିଶିକି ଅଧିକ ସଂଖ୍ୟକ ସଦସ୍ୟ ଏକାଠି ରହୁଥିବେ ତଥା ସେମାନଙ୍କ ପାଖରେ ୪ଡିସିମିଲରୁ କମ୍ ଜାଗା ଥିବ ସେମାନଙ୍କୁ ମଧ୍ୟ ଏହି ସଂଶୋଧିତ ଆଇନ ବଳରେ ସରକାରୀ ଜମି ମିଳିପାରିବ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ରାଜ୍ୟରେ ଏବେ ବାସହୀନ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୪ଡିସିମିଲ ସରକାରୀ ଜମି ଯୋଗାଇ ଦିଆଯାଉଛି । କିନ୍ତୁ ଆଇନରେ ଥିବା ଫାଙ୍କ(ସର୍ବାଧିକ ୧୦ଡିସିମିଲ ପର୍ଯ୍ୟନ୍ତ)ର ଫାଇଦା ଉଠାଇ କିଛି ତହସିଲଦାର ୧୦ଡିସିମିଲ୍ ପର୍ଯ୍ୟନ୍ତ ଜମି ଯୋଗାଇ ଦେବା ସରକାରଙ୍କୁ ନଜରକୁ ଆସିବା ପରେ ଏଭଳି ସଂଶୋଧିତ ନିୟମ ଆସିଥିବା ଜଣାପଡ଼ିଛି ।