Onn 3

୯୦ କୋଟି ଟିକସ ଫାଙ୍କିଛି ଡିଏନ୍‌ ଗ୍ରୁପ

Crime State

ଭୁବନେଶ୍ୱର: ଅଡ଼ୁଆରେ ପଡ଼ିଲା ଡିଏନ୍‌ ଗ୍ରୁପ। ୨୧୦ କୋଟିର ଲୁଚାଛପା କ୍ୟାସ୍‌ ନେଇ ୯୦ କୋଟି ଟିକସ ଫାଙ୍କିଛି ଏହି କମ୍ପାନୀ। ଆୟକର ବିଭାଗକୁ ଏହି ସୂଚନା ମିଳିଛି। ୯୦ କୋଟି ଟିକସ ଫାଙ୍କି ଥିବା ନେଇ ଆୟକର ବିଭାଗକୁ ଏହି ତଥ୍ୟ ମିଳିଥିବା ସୂଚନା ରହିଛି। ଚଢ଼ାଉ ବେଳେ ଜବତ ଦସ୍ତାବିଜରୁ ଆୟକର ଟିମକୁ ଟିକସ ଫାଙ୍କିଥିବାର ପ୍ରମାଣ ମିଳିଛି। ଏବେ ଆୟକର ବିଭାଗ ପ୍ରମାଣ ପାଇଛି ଆଗକୁ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ତଦନ୍ତ କରିବ ବୋଲି ସୂଚନା ରହିଛି।

ଆୟକର ବିଭାଗ ଚଢ଼ାଉ ବେଳେ ଡିଏନ ଗ୍ରୁପ ଅଫିସ ଏବଂ ବିଭିନ୍ନ ଠିକଣାରୁ ଟିକସ ଫାଙ୍କିଥିବାର ପ୍ରମାଣ ପାଇଛି। ଡିଜିଟାଲ ତଥ୍ୟ, ହାତଲେଖା ଡାଏରୀ, ଦଲିଲ ଆଦିରୁ ଡିଏନ ଗ୍ରୁପ ଟିକସ ଫାଙ୍କିଥିବାର ଆୟକର ବିଭାଗ ପ୍ରମାଣ ପାଇଛି। ଜମି, ପ୍ଲଟ ଓ ଫ୍ଲାଟ ବିକ୍ରିରୁ ୨୧୦ କୋଟି ଟଙ୍କା ଆୟ ପରେ  ସେସବୁ ପଇସାକୁ ବିଭିନ୍ନ ହୋଟେଲ, ମଲ୍‌ ଆଦିରେ ବିନିଯୋଗ ହୋଇଥିବା ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ବିଭିନ୍ନ ସ୍ଥାନରେ ଆୟକର ବିଭାଗ ରେଡ ଚଲାଇଥିବା ଭିତରେ ଡ଼ିଏନ ଗ୍ରୁପ ମାଲିକ ଜଗଦୀଶ ନାୟକଙ୍କୁ ଜେରା କରିଥିଲେ ଆଇଟି ଅଧିକାରୀ। କେଉଁଠୁ ଆସିଲା କୋଟି କୋଟି ଟଙ୍କା, କେତେ ଟଙ୍କାର ଟିକସ ଫାଙ୍କିଛନ୍ତି ସେ ନେଇ ସବୁ ତଦନ୍ତ କରିଛି ଆୟକର ବିଭାଗ।

ଚଢାଉ ବେଳେ ଜଗଦୀଶ ନାୟକ ଓ ତାଙ୍କ ସହଯୋଗୀଙ୍କ ଘରୁ ରେଡ ବେଳେ ୧୧ କୋଟିରୁ ଅଧିକ ଜବତ କ୍ୟାସ ଆରବିଆଇକୁ ପଠାଯାଇଛି। କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡା ଏକ ସରକାରୀ କ୍ବାର୍ଟରରେ ରହୁଥିବା ବେଳେ ତାଙ୍କ ନିକଟରୁ ୧୧ କୋଟିରୁ ଉର୍ଦ୍ଧ୍ବ ନଗଦ ଟଙ୍କା ଠାବ କରାଯାଇଥିଲା। ଏହାସହ ସଂସ୍ଥା ମୁଖ୍ୟ ଜଗଦୀଶ ନାୟକଙ୍କ ଅଫିସରୁ ଶହେ କୋଟିରୁ ଉର୍ଦ୍ଧ୍ବ କ୍ୟାସ ରସିଦ ଠାବ କରାଯାଇଛି। ତଦନ୍ତକାରୀ ଟିମ ହାତରେ ଲାଗିଥିବା ୨୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଓ ଲକରକୁ ସ୍କାନର ପରିସରଭୁକ୍ତ କରାଯାଇଛି। ତେବେ ଟିକସ ଫାଙ୍କିଥିବା ନେଇ ଯେଉଁ ଅଭିଯୋଗ ରହିଛି ତାକୁ ଖାରଜ କରିଥିଲେ ଜଗଦୀଶ ନାୟକ।