Image 740x430

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମଝି ରାସ୍ତାରେ ମରଣାନ୍ତକ ଆକ୍ରମଣ, ଦୁଇ ଅଭିଯୁକ୍ତ ଗିରଫ

Crime State

ଭୁବନେଶ୍ବର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମଝି ରାସ୍ତାରେ ମରଣାନ୍ତକ ଆକ୍ରମଣ। ଏପରି ଘଟଣା ଘଟିଛି ଜାଗମରା ନୂଆ ରାସ୍ତାରେ। ସୂଚନା ଅନୁସାରେ ବିଶ୍ୱବିଜୟ ସିଂହ ଏବଂ ତାଙ୍କର ବନ୍ଧୁମାନେ ମିଶି ଆଇଟିଆର ଫୁଡ଼ କୋର୍ଟରୁ ଘରକୁ ଫେରୁଥିବା ବେଳେ କିଛି ଯୁବକ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ବିଶ୍ୱବିଜୟ ସିଂହ ଏବଂ ତାଙ୍କ ବନ୍ଧୁ ବି.ଶୁଭମ ଗୁରୁତର ଆହତ ହୋଇଛନ୍ତି।

ଏହି ଘଟଣାକୁ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ପୋଲିସ ସୂଚନା ଅନୁଯାୟୀ ବିଶ୍ୱବିଜୟ ସିଂହ ଓ ତାଙ୍କ ବନ୍ଧୁ ମାନଙ୍କ ସହିତ, ଅଭିଯୁକ୍ତ ତଥା ତାଙ୍କ ସହଯୋଗୀ ମାନଙ୍କର ପୁର୍ବରୁ କୌଣସି କାରଣକୁ ନେଇ ଶତ୍ରୁତା ଲାଗିରହିଥିଲା । ଗତ ୩୦ ତାରିଖ ରାତିରେ ଅଭିଯୋଗକାରୀଙ୍କ ପୁଅ ଏବଂ ତାଙ୍କ ବନ୍ଧୁମାନେ ଆଇଟିଆର ଫୁଡ଼ କୋର୍ଟରୁ ଘରକୁ ଫେରୁଥିବା ବେଳେ ଦୁଇ ଅଭିଯୁକ୍ତ ଏବଂ ତାଙ୍କର ଏକାଧିକ ସହଯୋଗୀ ଜାଗମରା ନୂଆ ରାସ୍ତାରେ ଥିବା ଗୋଲ୍ଡେନ ଚିଲି ଆଣ୍ଡ ଟାପ୍ରି ଟାଇମ ରେଷ୍ଟୁରାଣ୍ଟ ସମ୍ମୁଖ ରାସ୍ତାରେ ଗାଡି ରଖି ସେମାନଙ୍କୁ ଜୋରଜବରଦସ୍ତ ଅଟକାଇବା ସହିତ ଲାଠି, ଥଣ୍ଡା ପାନୀୟ ବୋତଲ, ଖଣ୍ଡା ଓ ପଥର ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ।

ଏହି ଆକ୍ରମଣରେ ଅଭିଯୋଗକାରୀଙ୍କ ପୁଅ ବିଶ୍ୱବିଜୟ ସିଂହ ଏବଂ ବନ୍ଧୁ ବି. ଶୁଭମ ଗୁରୁତର ଆହତ ହୋଇ ତଳେ ପଡ଼ିଯାଇଥିବା ବେଳେ ଅନ୍ୟ ବନ୍ଧୁ ମାନେ ଜୀବନ ବଞ୍ଚାଇବା ଲାଗି ଘଟଣା ସ୍ଥଳରୁ ଦୌଡ଼ି ପଳାଇଯାଇଥିଲେ। ପରେ ଅଭିଯୁକ୍ତମାନେ ଉଭୟଙ୍କୁ ପ୍ରବଳ ମାଡ଼ ମାରିଥିଲେ ଏବଂ ଜୀବନରୁ ମାରିଦେବାର ଧମକ ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ଚଢଉ ଜରିଆରେ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ପଚରା ଉଚରା ବେଳେ ଉଭୟ ଅଭିଯୁକ୍ତ ନିଜ ଦୋଷ ସ୍ଵୀକାର କରିଥିଲେ। ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି।