ଭୁବନେଶ୍ବର: ସରିଲା ଶୀତକାଳୀନ ଅଧିବେଶନ । ସପ୍ତଦଶ ବିଧାନସଭାର ଶୀତ ଅଧିବେଶନ ଗତ ନଭେମ୍ବର ୨୬ରେ ଆରମ୍ଭ ହୋଇଥିଲା ବେଳେ ଆଜି ଶେଷ ହୋଇଛି । ଆହୁରି ୨୦ ଦିନ ବାକି ଥିବା ବେଳେ ଆଜି ଅଧିବେଶନର ୧୨ ତମ ଦିନରେ ଏହା ଶେଷ ହୋଇଚି । ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ରଖିଛନ୍ତି ବାଚସ୍ପତି ସୁରମା ପାଢୀ । ଯାହା ଆସନ୍ତା ୩୧ ତାରିଖ ଯାଏ ଚାଲିବାକୁ ଥିବା ବେଳେ ଏହାକୁ ୧୨ ଟି କାର୍ଯ୍ୟଦିବସ ପରେ ଆଗୁଆ ଶେଷ କରିଛନ୍ତି ବାଚସ୍ପତି ।
ତେବେ ଶୀତ ଅଧିବେଶନରେ ବେଶ୍ ସରଗରମ ଦେଖିବାକୁ ମିଳିଥିଲା ଗୃହ । ପ୍ରଥମ ଦିନରେ ହିଁ କନ୍ଧମାଳ ମାଣ୍ଡିପଙ୍କା ଆମ୍ବଟାକୁଆ ମୃତ୍ୟୁ ମାମଲା ସହ ରାଜ୍ୟରେ ଆଇନ ଶୃଙ୍ଖଳା ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ପରେ ଗଡକୁ ମୁଲତବି ରଖିଥିଲେ ବାଚସ୍ପତି । ଏହାପରେ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ଅନେକ ପ୍ରସଙ୍ଗ ନେଇ ମୁହାଁମୁହିଁ ହୋଇଥିଲେ ବିରୋଧୀ ଏବଂ ଶାସକ ଦଳ । ମୁଖ୍ୟତଃ ପୋଲାଭରମ ପ୍ରକଳ୍ପ, ମିଶନ ଶକ୍ତି ମହିଳାଙ୍କ ବକେୟା ଦରମାକୁ ନେଇ ବାରମ୍ବାର ଗୃହରେ ହଙ୍ଗାମା କରୁଥିଲେ ବିରୋଧୀ । ଏମିତିକି ରାଜରାସ୍ତାକୁ ଓହ୍ଲାଇ ବିରୋଧୀ ବିଜେଡି ଏବଂ କଂଗ୍ରେସ ମିଶନ ଶକ୍ତି ମହିଳାଙ୍କ ସହ ସାମିଲ ହୋଇ ସରକାରଙ୍କ ବିରୋଧରେ ଗର୍ଜ୍ଜିଥିଲେ । ବାରମ୍ବାର ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ମୁଲତବି ରଖୁଥିଲେ ।