ବାରିପଦା: ସ୍ଥାନୀୟ ବିଜୟରାମଚନ୍ଦ୍ରପୁର ଠାରେ ବାରିପଦା ପୌରାଞ୍ଚଳ ପଟ୍ଟାବିହୀନ ବାସିନ୍ଦା ସଂଘର କାର୍ଯ୍ୟକାରିଣୀ ବୈଠକ ବସି ବାରିପଦାରେ ଜାଗା ମିଶନର କାର୍ଯ୍ୟକ୍ରମକୁ ପୁନଃ ଆରମ୍ଭ କରିବା ପାଇଁ ଦାବୀ କରାଯାଇଛି। ସଂଘର ସଭାପତି ନନ୍ଦ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସି ସହରରେ ଜାଗା ମିଶନ ସମ୍ପୂର୍ଣ୍ଣରୂପେ ବନ୍ଦ ହୋଇଯାଇଛି ବୋଲି ଅଭିଯୋଗ କରାଯାଇଛି। ଫଳରେ ପଟ୍ଟାବିହୀନ ବାସିନ୍ଦାମାନେ ଜମି ଅଧିକାର ପ୍ରମାଣ ପତ୍ର ପାଇବାରୁ ବଞ୍ଚିତ ହେଉଛନ୍ତି। ପ୍ରକାଶ ଥାଉକି ଓଡିଶାର ସହରାଞ୍ଚଳରେ ବସବାସ କରୁଥିବା ପଟ୍ଟାବିହୀନ ବାସିନ୍ଦାଙ୍କ ଥଇଥାନ ପାଇଁ ସ୍ଲମ ଡୁଏଲାର୍ସ ଏକ୍ଟ ୨୦୧୭ ମସିହାରେ ପାରିତ ହୋଇଥିଲା। ତଦନୁଯାୟୀ ଅଳ୍ପ କେତେକଙ୍କୁ ଜମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ଆଉ କେତେକଙ୍କୁ ଜମି ପାଇବା ଯୋଗ୍ୟ ପ୍ରମାଣ ପତ୍ର ବା ଏଲ୍. ଇ. ସି. ପ୍ରଦାନ କରାଯାଇଛି। ବାରିପଦା ପୌରାଞ୍ଚଳରେ ଜଙ୍ଗଲ ଜମି କିସମର ପରିବର୍ତ୍ତନ ପାଇଁ ମଧ୍ୟ ପଦକ୍ଷେପ ନିଆ ହେଉନାହିଁ। ଫଳରେ ଅନେକ ପଟ୍ଟାବିହୀନ ବାସିନ୍ଦା ଜମି ଅଧିକାର ପ୍ରମାଣ ପତ୍ର ପାଇପାରୁ ନାହାଁନ୍ତି। ତେଣୁ ସଂଘ ଅସମ୍ପୂର୍ଣ୍ଣ ସର୍ଭେକୁ ସମାପ୍ତ କରିବା, ଜଙ୍ଗଲ ଜମିର କିସମ ପରିବର୍ତ୍ତନ କରିବା ଓ ଏଲ୍. ଇ. ସି. କୁ ବଦଳାଇ ଏଲ୍. ଆର୍. ସି. ପ୍ରଦାନ କରିବ ପାଇଁ ଦାବୀ କରିଛି।
ଏହି ବୈଠକରେ ସଂଘର ସମ୍ପାଦକ କାହ୍ନୁଚରଣ ବେହେରା, ଉପଦେଷ୍ଟା ଗୋପବନ୍ଧୁ, କର୍ଯ୍ୟକାରୀ ସଭାପତି ରବି ଗୋସ୍ଵାମୀ, କୋଷାଧକ୍ଷା ଭାରତୀ ପାତ୍ର ଓ ଅମଲ ଦେ ଉପସ୍ଥିତ ରହି ଆଲୋଚନାରେ ମତବ୍ୟକ୍ତ କରିଥିଲେ।