- ମଦ୍ୟପାନ କରି ଗାଡି ଚାଳନା ରୋକିବା ପାଇଁ ସ୍ପେଶାଲ ଡ୍ରାଇଭ କରାଯିବ: ଜିଲ୍ଲାପାଳ
ବାରିପଦା: ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପଲ୍ଲୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଶୁକ୍ରବାର ଦିନ ସ୍ଥାନୀୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ଜିଲ୍ଲାରେ ସଡକ ଏବଂ ଗମନାଗମନ କ୍ଷେତ୍ରରେ ସମସ୍ତ ବିବରଣୀ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସାଲକୋ ମୁର୍ମୁ ପ୍ରଦାନ କରିଥିଲେ।
ସୂଚନା ଅନୁସାରେ, ଗତ ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର ମାସରେ ଧୃତ ଗତି ସମ୍ବନ୍ଧୀୟ ୪୪୭୨ଟି, ବିନା ହେଲମେଟରେ ଗାଡିଚାଳନା ଜନିତ ୧୮୬୩ଟି, ବିନା ସିଟ ବେଲ୍ଟ ଗାଡିଚାଳନା ଜନିତ ୬୦୯ଟି, ୧୨୬ଟି ମୋବାଇଲ ଫୋନ ବ୍ୟବହାର କରି ଗାଡିଚାଳନା, ମଦ୍ୟପାନ କରି ଗାଡି ଚାଳନା ୧୧୩ଟି ଏବଂ ଓଭରଲୋଡିଂ ଜନିତ ୪୬ଟି ମାମଲା ଆଞ୍ଚଳିକ ପରିବହନ ପକ୍ଷରୁ ରୁଜ୍ଜୁ ହୋଇଛି ଏବଂ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଏହି ପରିପ୍ରେକ୍ଷୀରେ ପୋଲିସ ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ବିନା ହେଲମେଟରେ ଗାଡିଚାଳନା ଜନିତ ୨୫୭୯ଟି , ଭୁଲ ପାର୍କିଙ୍ଗ ଜନିତ ୫୩୯ଟି, ବିନା ସିଟ ବେଲ୍ଟ ଗାଡିଚାଳନା ଜନିତ ୩୪୫ଟି, ୩୪୬ଟି ମୋବାଇଲ ଫୋନ ବ୍ୟବହାର କରି ଗାଡିଚାଳନା, ମଦ୍ୟପାନ କରି ଗାଡି ଚାଳନା ୧୬୪ଟି ମାମଲା ଏଯାବତ ହୋଇଥିବା ବେଳେ ୪୯୪ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି।
ପ୍ରକାଶ ଥାଉକି ଚଳିତ ବର୍ଷ ଆଉ ବିଗତ ବର୍ଷରେ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ମୟୂରଭଞ୍ଜ ଜିଲ୍ଲାରେ ବଢିଛି । ୨୦୨୩ ମସିହାରେ ୧୬୨ଟି ଦୁର୍ଘଟଣା ମାମଲା ଥିବା ବେଳେ ୮୨ଜଣ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। କିନ୍ତୁ ଚଳିତ ବର୍ଷ ଏହି ଦୁର୍ଘଟଣା ମାମଲା ୧୩୩ କୁ ଖସି ଆସିଥିଲେ ମଧ୍ୟ ସେଥି ମଧ୍ୟରୁ ୯୫ ଜଣ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଜଣା ପଡିଛି।
ତେବେ ଏହି ବିବରଣୀକୁ ଜିଲ୍ଲାପାଳ ସମୀକ୍ଷା କରି NHAI , ରାସ୍ତା ଏବଂ ପୂର୍ତ୍ତ ବିଭାଗକୁ ଏହାର କାର୍ଯ୍ୟ ପ୍ରଣାଳୀ ତ୍ୱରାନ୍ୱିତ କରିବାକୁ କହିଥିଲେ। ଜିଲ୍ଲାରେ ଅଧିକରୁ ଅଧିକ ମଦ୍ୟ ପାନ କରି ଗାଡି ଚାଳନା ଏବଂ ତତ ଜନିତ ମୃତ୍ୟୁକୁ ରୋକିବା ପାଇଁ ସ୍ପେଶାଲ ଡ୍ରାଇଭ, ସରପ୍ରାଇଜ ଚେକିଂ, ପୋଲିସ-ଆରଟିଓ ସଂଯୁକ୍ତ ପ୍ରବର୍ତ୍ତନ (Joint Enforcement) କରାଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ, ବାରିପଦା ପୌରପାଳିକା, କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ।