-
ସାଂସ୍କୃତିକ ଶୋଭାଯାତ୍ରା ସହ ଶୁଭାରମ୍ଭ ହେବ ୧୧ଦିନିଆ ମହୋତ୍ସବ
ବାରିପଦା -ମୟୂରଭଞ୍ଜ ଜିଲ୍ଲାର କଳା ଓ ସଂସ୍କୃତିର ଏକ ସ୍ଵତନ୍ତ୍ର ପରିଚୟ ରହିଛି । ଆଉ ସେହି କଳା ଓ ସଂସ୍କୃତିର ବିକାଶ ପାଇଁ ଏକ ଅଭିନବ ପ୍ରୟାସ ହେଉଛି ମୟୂରଭଞ୍ଜ ମହୋତ୍ସବ । ୭ମ ବର୍ଷରେ ପଦାର୍ପଣ କରିଛି ଏହି ମହୋତ୍ସବ । ଆସନ୍ତା ଡିସେମ୍ବର ୧ ତାରିଖରୁ ଆରମ୍ଭ ହୋଇ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ । ଶୁକ୍ରବାର ବାରିପଦା ଛଉ ପଡିଆ ଠାରେ ମହୋତ୍ସବ ଆୟୋଜକ କମିଟି ଅଧ୍ୟକ୍ଷ ଅସିତ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଲନୀରେ ଏହି ସୂଚନା ଦିଆଯାଇଛି।
ପ୍ରଥମ ଦିନ ରବିବାର ଅପରାହ୍ନ ୨ଟା ସମୟରେ ରଥ ପଡିଆ ଠାରୁ ପୂର୍ବବର୍ଷ ଭଳି ଜିଲ୍ଲାର ବିଭିନ୍ନ କଳାକାର ମାନଙ୍କୁ ନେଇ ପାରମ୍ପାରିକ ନୃତ୍ୟ ଗୀତରେ ତାଳେତାଳେ ଛଉ ପଡିଆ ପର୍ଯ୍ୟନ୍ତ ଆୟୋଜିତ ହେବ କାରନିଭାଲ ସୋ ବା ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହେବ । ଡିସେମ୍ବର ୨ ତାରିଖରୁ କ୍ରମାଗତ ଭାବେ ୧୦ ଦିନ ଧରି ବାରିପଦାର ଐତିହାସିକ ଛଉ ପଡିଆରେ ଅନୁଷ୍ଠିତ ହେବ ଏହି ମହୋତ୍ସବ । ଚଳିତ ବର୍ଷ ବାରୁଣେଶ୍ବର ମହାଦେବ ମନ୍ଦିର ଆକୃତିର ତୋରଣ ମୁଖ୍ୟ ଆକର୍ଷଣ ରହିଥିବା ବେଳେ ବଲିଉଡ୍ ସୁନାମଧନ୍ୟ କଣ୍ଠଶିଳ୍ପୀ କବିତା କୃଷ୍ଣମୂର୍ତ୍ତି ଉଦଯାପନୀ ସନ୍ଧ୍ୟା ୧୧ତାରିଖରେ ଧୁମ୍ ମଚାଇବେ ।
ସେହିପରି ପ୍ରତିଦିନ ସନ୍ଧ୍ୟାରେ ଅନୁଷ୍ଠିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ । ସିନେ ଜଗତର ବହୁ ନାମୀଦାମୀ କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ । ଆଦିବାସୀ ବହୁଳ ଜିଲ୍ଲାର ଆଦିବାସୀ ପରମ୍ପରାକୁ ପ୍ରାଧାନ୍ୟ ଦେଇ ଚଳିତ ବର୍ଷ ମଧ୍ୟ ୩ ଦିନ ସ୍ଵତନ୍ତ୍ର ଆଦିବାସୀ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଛି । ୩ ଦିନ ଓଡ଼ିଆ କାର୍ଯ୍ୟକ୍ରମ ସାଙ୍ଗକୁ ୨ ଦିନ କୁଡୁମାଲି କାର୍ଯ୍ୟକ୍ରମ ମଧ୍ୟ କରିବାକୁ ନିଷ୍ପତ୍ତି ହୋଇଛି । ୨ତାରିଖରେ କୁଲଦୀପ ଓ ଅନ୍ତରା ଚକ୍ରବର୍ତ୍ତି ମଞ୍ଚରେ ସଙ୍ଗୀତ ପରିବେଷଣ କରିବାକୁ ଥିବା ବେଳେ ୩ ତାରିଖରେ ପ୍ରସିଦ୍ଧ ଗାୟିକା ତଥା ସାରେଗାମା ବିଜେତା ଅଙ୍କିତା ଭଟ୍ଟାଚାର୍ଯ୍ୟ ଓ ଟିମ୍। ସେହିଭଳି ୪ ତାରିଖରେ କୁଡ଼ୁମାଲି ଗାୟିକା ଲିପିନି ଓ ରଞ୍ଜିତ ମହାନ୍ତ ଙ୍କ ଗୀତରେ ଯୁମିବେ ଦର୍ଶକ। ୫ ତାରିଖରେ ଆଦିବାସୀ ସନ୍ଧ୍ୟାରେ ମଙ୍ଗଲ ହାଁସଦା ଓ ସାଥୀଙ୍କ ସଙ୍ଗୀତରେ ଝୁମିବେ ଦର୍ଶକ। ୬ ତାରିଖରେ ପାମେଲା ଜୈନ , ଶଶାଙ୍କ ଶେଖର ଓ ସ୍ବରାଜ ବାରିକ ମଞ୍ଚରେ ଧୁମ୍ ମ୍ୟଚାଇବାକୁ ଥିବା ବେଳେ ସ୍ଵତନ୍ତ୍ର ଆକର୍ଷଣ ରହିବ ଆସାମର ବିହୁ ଡାନ୍ସ। ୭ତାରିଖରେ ପୁଣି ଆଦିବାସୀ ଗୀତ ନେଇ ଆସିବେ ରାମ ମୁଣ୍ଡାରୀ ଓ ରଞ୍ଜିତ ସିଂ ଏବଂ ବାବଲୁ ଅଙ୍ଗରାଇ। ୮ ତାରିଖରେ ହାସ୍ୟ ଅଭିନେତା ପପୁ ପମପମଙ୍କ ସହ ଓଡ଼ିଆ କଣ୍ଠଶିଳ୍ପୀ ଇରା ମହାନ୍ତି ଦର୍ଶକଙ୍କୁ ମତୁଆଲା କରିବେ। ୯ ତାରିଖରେ କୁଡୁମାଲି ସନ୍ଧ୍ୟାରେ ଗୌତମ, ପମି ଓ ଉର୍ମିଳା ମହାନ୍ତ ଗୀତ ପରିବେଷଣ କରିବେ। ୧୦ ତାରିଖ ଆଦିବାସୀ ସନ୍ଧ୍ୟାକୁ ଅଧିକ ଆକର୍ଷଣୀୟ କରିବାକୁ ଆସିବେ ଆଦିବାସୀ ସୁପର ଷ୍ଟାର କଳ୍ପନା ହାଁସଦା ଓ ଟିମଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା ସୂଚନା ଦେଇଛନ୍ତି । ସେହିପରି ଚଳିତ ବର୍ଷ ମୟୂରଭଞ୍ଜ ଜିଲ୍ଲାର କଳା ଓ ସଂସ୍କୃତି ସହ ଅନ୍ୟ ଜିଲ୍ଲା ମାନଙ୍କର କଳାର ଆଦାନ ପ୍ରଦାନର ବ୍ୟବସ୍ଥା କରାଯାଇଛି । ଏହି ମହୋତ୍ସବରେ ମୟୂରଭଞ୍ଜ ଜିଲ୍ଲାର ହସ୍ତଶିଳ୍ପରୁ ଆରମ୍ଭ କରି କୁଟୀର ଶିଳ୍ପ, ଖେଳନାରୁ ଆରମ୍ଭ କରି ପୋଷାକ ଆଉ ତା ସହ ଘରକରଣା ସାମଗ୍ରୀ ଏବଂ ପାରମ୍ପାରିକ ଖାଦ୍ୟ ମୁଢି ମାଂସ ସହ ଅନ୍ୟାନ୍ୟ ଖାଦ୍ୟର ମଧ୍ୟ ମଜା ଉଠାଇ ପାରିବେ ଦର୍ଶକ । ୨୦୦ରୁ ଉର୍ଦ୍ଧ୍ୱ ଷ୍ଟଲ ଖୋଲିବ ଏହି ମହୋତ୍ସବରେ । ପ୍ରତିଦିନ ସନ୍ଧ୍ୟା ୫ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟିର ସଭାପତି କୃଷ୍ଣାନନ୍ଦ ମହାନ୍ତି କହିଛନ୍ତି । ଯୁବପିଢୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେଲ୍ଫି ଜୋନର ବ୍ୟବସ୍ଥା କରାଯାଉଛି ମହୋତ୍ସବରେ । ଏଥି ସହିତ ଫୁଟବଲ୍, ଲାଖବିନ୍ଧା ପ୍ରତିଯୋଗିତା ସାଙ୍ଗକୁ ରିଲ୍ସ ପ୍ରତିଯୋଗିତାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି। ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୟୂରଭଞ୍ଜ ଜିଲ୍ଲାର ପୁରୁଣା ସ୍ମୃତିକୁ ସାଉଁଟି ସେଲଫି ଜୋନ ପ୍ରସ୍ତୁତ ହୋଇଛି । ଏହି ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟମନଙ୍କ ମଧ୍ୟରେ ସଦସ୍ୟ ବିପ୍ଳବ ବୁଗୁଡେଇ, ଲଡୁକେଶ୍ୱର ରଣା, ସତ୍ୟଜିତ ସୋମ, ତାପସ ପାଢ଼ୀ, ରାକେଶ ସିଂ, ନିମାଇଁ ତ୍ରିପାଠୀ, ଅରୁଣ ବରାଡ଼, ରାକେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ଏଥି ସହିତ ମୟୁରଭଞ୍ଜ ମହୋତ୍ସବର ସାଂସ୍କୃତିକ ଶୋଭାଯାତ୍ରାରେ ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନର ସଦସ୍ୟ ଓ ଛାତ୍ରଛାତ୍ରୀ ମାନଙ୍କୁ ଯୋଗ ଦେବାକୁ କମିଟିର ସଭାପତି ଶ୍ରୀ ମହାନ୍ତି ନିବେଦନ କରିଛନ୍ତି।