-
ସୋସିଆଲ ମିଡ଼ିଆ ମାଧ୍ୟମରେ ସଚେତନତା ବାର୍ତ୍ତା ଦେବାପାଇଁ ଦିଆଯିବ ବିଶେଷ ଗୁରୁତ୍ୱ: ଜିଲ୍ଲାପାଳ
ବାରିପଦା: ଓଡ଼ିଶାର ସର୍ବବୃହତ ଜୈବ ମଣ୍ଡଳ ଶିମିଳିପାଳରେ ନିଆଁ ଲାଗିବାରୁ ସୁରକ୍ଷା ଦେବା ଏବଂ ଏହି ବନାଗ୍ନିକୁ ରୋକିବା ନିମନ୍ତେ ପ୍ରଶାସନିକ ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଉଛି। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ବନାଗ୍ନି ରୋକିବା ନିମନ୍ତେ, ଜଙ୍ଗଲ ଅଗ୍ନି ନିରାକରଣ ଏବଂ ପରିଚାଳନା କାର୍ଯ୍ୟ ଯୋଜନା ସମ୍ବନ୍ଧରେ ଜିଲ୍ଲା ସମନ୍ୱୟ କମିଟି ବୈଠକ, ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି।
ଶିମିଳିପାଳ ଏକ ଉସ୍ମକଟୀବନ୍ଧିୟ ଅର୍ଦ୍ଧ-ସବୁଜ ଜଙ୍ଗଲ ତଥା ଆର୍ଦ୍ର ମିଶ୍ରିତ ଜଙ୍ଗଲ ହୋଇଥିବାରୁ ଏହା ସାଧାରଣତଃ ଡିସେମ୍ବର ମାସ ଠାରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପତ୍ରଝଡ଼ା ଦେଇଥାଏ ଏବଂ ଜଙ୍ଗଲର ଅନେକାଂଶ ଶୁଷ୍କ ଥିବାରୁ, ଅନେକ ମାତ୍ରାରେ ନିଆଁ ଲାଗିବାର ସମ୍ଭାବନା ଥାଏ। ଏଣୁ ବନାଗ୍ନିକୁ ରୋକିବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବାପାଇଁ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ, ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପଲ୍ଲୀ, ଶିମିଳିପାଳ ଉପ-ନିର୍ଦ୍ଦେଶକ, ସମ୍ରାଟ ଗୌଡା ଓ ସାଇକିରଣଙ୍କ ଉପସ୍ଥିତି ସମେତ ସମସ୍ତ ଲାଇନ ବିଭାଗୀୟ ଅଧିକାରୀଙ୍କ ସହିତ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକ ପ୍ରାରମ୍ଭରେ ବାରିପଦା ବନଖଣ୍ଡ ଅଧିକାରୀ ଶ୍ରୀ ଏ. ଉମା ମହେଶ ସୂଚନା ଦେଇଥିଲେଯେ ଶିମିଳିପାଳରେ ନିଆଁ ଲାଗିବାର ପ୍ରମୁଖ କାରଣ ହେଉଛି ପରିବେଶ ସଚେତନତା ଅଭାବ ଏବଂ ପ୍ରକୃତିକୁ ବଞ୍ଚାଇବା ପାଇଁ ନିଜସ୍ୱ ଇଚ୍ଛା ଶିମିଳିପାଳ ବନଖଣ୍ଡରେ ଘନ ଜଙ୍ଗଲ ୧୩୦୦ sq km , ମଧ୍ୟ ଜଙ୍ଗଲ ୧୭୧୭ sq km , ମୁକ୍ତ ଜଙ୍ଗଲ ୧୦୪୨ sq km ହୋଇଥିବା ବେଳେ ୯୭୩ଟି ଅଗ୍ନି ବିନ୍ଦୁ କେନ୍ଦ୍ର ବିଭିନ୍ନ ବନଖଣ୍ଡରେ ଚିହ୍ନଟ ହୋଇଛି। ଏହି ଅଗ୍ନି ବିନ୍ଦୁ କେନ୍ଦ୍ର ମାନଙ୍କରୁ ପ୍ରତ୍ୟେକ ବର୍ଷ ଜଙ୍ଗଲରେ ନିଆଁ ଲାଗି ଅନେକ ଜୈବ ବିବିଧ ନଷ୍ଟ ହେଉଅଛି। ଏହା ଛଡା ଅନେକ ମନୁଷ୍ୟକୃତ କାର୍ଯ୍ୟକଳାପ ଯଥା ପୋଡୁଚାଷ, ଧାନ ନଡ଼ା ଜାଳିବା, ଶିକାର ଉଦ୍ଦେଶ୍ୟରେ ଜଙ୍ଗଲରେ ନିଆଁ ଲଗାଇଦେବା , ଅନଧିକାର ଜବରଦଖଲ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଭଳି କାର୍ଯ୍ୟ ଯୋଗୁଁ ବନାଗ୍ନି ଭଳି ଦୁର୍ବିପାକ ହେଉଛି।
ଏଣୁ ଏହି ମନୁଷ୍ୟକୃତ କାର୍ଯ୍ୟକଳାପ ଠାରୁ ନିବୃତ୍ତ ରହିବାପାଇଁ ସଚେତନତା କାର୍ଯ୍ୟକ୍ରମ ପ୍ରତେକ ଅଂଚଳ ଯାହା ଶିମିଳିପାଳ ସହିତ ଲାଗିରହିଛି, ସେହିଠାରେ ଅନୁଷ୍ଠିତ ହେବ। ପଥପ୍ରାନ୍ତ ନାଟକ, ପାଲା, ଦାସକାଠିଆ, ଲୋକକଳା ମାଧ୍ୟମରେ ପ୍ରତୀକ୍ଷିତ ହଟସ୍ପଟ୍ ନିକଟବର୍ତ୍ତି ୭୩୪ଟି ଗ୍ରାମ ମାନଙ୍କରେ ଅନୁଷ୍ଠିତ ହେବ। ଏହାଛଡା, ଜିଲ୍ଲାପାଳ ଶ୍ରୀ ସୟ, ଏହି ସଚେତନତା ପାଇଁ ସୋସିଆଲ ମିଡ଼ିଆର ବ୍ୟାପକ ବ୍ୟବହାର କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଯୁବ ବର୍ଗଙ୍କ ମଧ୍ୟରେ ରିଲ, ଫୋଟୋଗ୍ରାଫି ପ୍ରତିଯୋଗିତା ସମେତ ସଚେତନତା ଧର୍ମୀ ଭିଡିଓ କରି ସୋସିଆଲ ମିଡ଼ିଆରେ ସେୟାର କରିବାପାଇଁ ଅନୁରୋଧ କରିଥିଲେ।
ଏହାଛଡା ୭୭୩୧.୫୪ କିମି ବନଖଣ୍ଡ ଅଂଚଳରେ ଫାୟାର ଲାଇନ ନିର୍ମାଣ କରାଯିବାପାଇଁ ମଧ୍ୟ ଏହି ସମନ୍ୱୟ ବୈଠକରେ ଆଲୋଚନା କରାଯାଇଥିଲା। ଏହି ସଚେତନତା ଅଭିଯାନରେ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ, ପିଆରଆଇ ସଦସ୍ୟ ତଥା ପ୍ରତି ବ୍ଲକରେ ବିଡ଼ିଓ ମାନଙ୍କୁ ସଂଶ୍ଲିଷ୍ଟ କରିବା ପାଇଁ ମଧ୍ୟ ଜିଲ୍ଲାପାଳ କହିଥିଲେ। ଏହି ଆଧାରରେ, ଡିସେମ୍ବର ରୁ ମାର୍ଚ୍ଚ ମାସ ମଧ୍ୟରେ ୫୪ଟି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ କରିବାର ଯୋଜନା ଅଛି। ମୟୂରଭଞ୍ଜ ଜିଲ୍ଲା ଫୁଟବଲ ଖେଳରେ ଆଗୁଆ ଥିବାରୁ ଏଠାରେ, ଏହି ସଚେତନତା କାର୍ଯ୍ୟକ୍ରମ ପାଇଁ, ଫୁଟବଲ ପ୍ରତିଯୋଗିତା ମଧ୍ୟ କରାଇବାକୁ ବୈଠକରେ ସ୍ଥିର ହୋଇଥିଲା। ଏହି ଆକ୍ସନ ପ୍ଲାନ ବୈଠକରେ ଜିଲ୍ଲା ପରିଷଦ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଶାନ୍ତନୁ କୁମାର ନାୟକ, ଜିଲ୍ଲା ଜରୁରୀକାଳୀନ ଅଧିକାରିଣୀ ସୁଶ୍ରୀ ଶ୍ରଦ୍ଧା ସୁମନ, ଅତିରିକ୍ତ ବନରକ୍ଷୀ ଶ୍ରୀ ରବି ନାରାୟଣ ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ଶିବରାମ ମୁଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅନନ୍ତ ପ୍ରସାଦ ସେଠି ପ୍ରମୁଖ ଯୋଗ ଦେଇ ଥିଲେ।