ଭୁବନେଶ୍ୱର : ୨୦୨୫ ସୁଦ୍ଧା ରାଜ୍ୟରେ ସ୍କୁଲ ସ୍ତରରେ ଲାଗୁ ହେବ ନୂଆ ଜାତୀୟ ଶିକ୍ଷା ନୀତି । ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ନୂଆ ଶିକ୍ଷା ନୀତି ଲାଗୁ ହେବା ପାଇଁ ଗଠନ ହୋଇଛି ଟାସ୍କ ଫୋର୍ସ କମିଟି ସହ ୬ ଟି ସବ କମିଟି । ନୂଆ ଶିକ୍ଷା ନୀତି କିପରି ଲାଗୁ କରାଯିବ ସେମାନେ ପ୍ରସ୍ତାବ ଦେବେ । ଏହା ପରେ ସମସ୍ତଙ୍କ ମତାମତ ନେଇ, ନୂଆ ଜାତୀୟ ଶିକ୍ଷାନୀତି ଲାଗୁ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ନୂଆ ଜାତୀୟ ଶିକ୍ଷାନୀତି ୨୦୨୦ ମୁତାବକ ୩ ବର୍ଷ ବୟସରୁ ୧୮ ବର୍ଷ ବୟସ ମଧ୍ୟରେ ୧୦+୨ ସ୍କୁଲ ଶିକ୍ଷାକୁ ୫+୩+୩+୪ ବ୍ୟବସ୍ଥାରେ ଭାଗ କରାଯାଇଛି । ପୁରୁଣା ଶିକ୍ଷା ନୀତିରେ ୩ରୁ ୬ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ ଶିକ୍ଷା ସାମିଲ ନଥିଲା । ୬ ବର୍ଷ ହେଲେ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ନାଁ ଲେଖାଉଥିଲେ। ନୂଆ ଶିକ୍ଷା ନୀତି ୫+୩+୩+୪ ଢାଞ୍ଚାରେ ୩ ବର୍ଷର ପିଲାଙ୍କୁ ସାମିଲ କରି ବାଲ୍ୟାବସ୍ତାରୁ ଶିକ୍ଷାଗତ ମୂଳଦୂଆ ମଜଭୁତ କରିବାକୁ ପ୍ରୟାସ କରାଯାଇଛି। ୩ରୁ ୮ ବର୍ଷ, ୮ରୁ ୧୧ ବର୍ଷ, ୧୧ରୁ ୧୪ ବର୍ଷ ଏବଂ ୧୪ରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ବିଭିନ୍ନ ସ୍ତରକୁ ନେଇ ଶିକ୍ଷା ବ୍ୟବସ୍ଥା ପ୍ରସ୍ତୁତ ହେବ। ପୂର୍ବରୁ କଲେଜ ଓ ବିଶ୍ବବିଦ୍ୟାଳୟରେ ସ୍ତରେ ନୂଆ ଜାତୀୟ ଶିକ୍ଷା ନୀତି ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି।