Img 20241118 Wa0293

ମୋଦୀଙ୍କ ରାଜ୍ୟରେ ମୟୂରଭଞ୍ଜ ପର୍ଯ୍ୟଟନର ପ୍ରଚାର କଲେ ମୟୂରଭଞ୍ଜର ଯୁବଗୋଷ୍ଠୀ

State

ବାରିପଦା: ନିଜର ଅପରୂପ ପ୍ରାକୃତିକ ସୁନ୍ଦରତା ଓ ଅନନ୍ୟ ବିଭବ ନିମନ୍ତେ ପରିଚିତ ମୟୂରଭଞ୍ଜ ଜିଲ୍ଲାରେ ରହିଥିବା ଶିମିଳିପାଳ ଜାତୀୟ ଉଦ୍ୟାନ ଅସଂଖ୍ୟ ସୁନ୍ଦର ଝରଣା ଓ ଅନେକ ପର୍ଯ୍ୟଟନସ୍ଥଳୀକୁ ନେଇ ସମୃଦ୍ଧ। ମୟୂରଭଞ୍ଜର ଏହି ସବୁ ସୁନ୍ଦର ପର୍ଯ୍ୟଟନସ୍ଥଳୀ ଗୁଡିକ ପ୍ରତି ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ନିଆରା ଉଦ୍ୟମ କରିଛନ୍ତି ମୟୂରଭଞ୍ଜର ଯୁବଗୋଷ୍ଠୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜ୍ୟ ଗୁଜରାଟରେ ମୟୂରଭଞ୍ଜର ପର୍ଯ୍ୟଟନସ୍ଥଳୀ ଗୁଡିକ ସମ୍ପର୍କରେ ବ୍ୟାପକ ପ୍ରଚାର କରିଛନ୍ତି ମୟୂରଭଞ୍ଜର ଯୁବଗୋଷ୍ଠୀ।

ପ୍ରଧାନମନ୍ତ୍ରୀଙ୍କ ରାଜ୍ୟ ଗୁଜରାଟ ଭ୍ରମଣ ସମୟରେ ଗୁଜରାଟର ବିଭିନ୍ନ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଯଥା ଶ୍ରୀକୃଷ୍ଣଙ୍କ ନଗରୀ ଦ୍ବାରିକା, ରୁକ୍ମଣୀ ମନ୍ଦିର,ନାଗେଶ୍ବର ଜ୍ୟୋତିର୍ଲିଙ୍ଗ, ଭଡକେଶ୍ବର ମହାଦେବ,ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ସୋମନାଥ,ଡାମନ ଡିଉ କେନ୍ଦ୍ରଶାସିତ ଅଞ୍ଚଳ,ଅହମ୍ମଦାବାଦ,ଅଟଳ ସେତୁ,ଷ୍ଟେଚ୍ୟୁ ଅଫ ୟୁନିଟି,ହରପପା-ମହେଞ୍ଜୋଦାରୋ ସଭ୍ୟତାର ଅଂଶବିଶେଷ ଧୋଲାଭିରା, ରୋଡ ଟୁ ହେଭେନ, ଲୁଣର ମରୁଭୂମୀ ରଣ ଅଫ୍ କଚ୍ଛ ଓ ଭୁଜ ସହର ଗୁଡିକରେ ମୟୂରଭଞ୍ଜର ପର୍ଯ୍ୟଟନସ୍ଥଳୀ ସମ୍ପର୍କୀତ ତଥ୍ୟ ସମ୍ବଳିତ ବ୍ୟାନର ପୋଷ୍ଟର ପର୍ଯ୍ୟଟକଙ୍କୁ ପ୍ରଦର୍ଶନ କରିବା ସହ ତଥ୍ୟ ସମ୍ବଳିତ ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା। ଏହି ସ୍ଥାନ ଗୁଡିକୁ ବୁଲିଆସିଥିବା ଗୁଜରାଟ ତଥା ଅନ୍ୟ ରାଜ୍ୟର ପର୍ଯ୍ୟଟକ ମାନେ ଏହି ଅଭିଯାନ ସମୟରେ ମୟୂରଭଞ୍ଜ ସମ୍ପର୍କରେ ଅନେକ ସୂଚନା ପଚାରି ବୁଝୁଥିବାବେଳେ ପର୍ଯ୍ୟଟନସ୍ଥଳୀ ଗୁଡିକୁ ବୁଲିଆସିବା ନିମନ୍ତେ ଉତ୍ସୁକତା ପ୍ରଦର୍ଶନ କରିଥିଲେ। ମୟୂରଭଞ୍ଜର ପର୍ଯ୍ୟଟନସ୍ଥଳୀର ଏହି ପ୍ରଚାର ଅଭିଯାନରେ ମୟୂରଭଞ୍ଜ ମିରର୍ ଟିମର କୁମାରେଶ ନାୟକ,ରଞ୍ଜିତ ପଲେଇ ତଥା ମିଥୁନ ବାରିକ, ପ୍ରଶାନ୍ତ ବେହେରା, ରିଙ୍କୁ ଗିରି ଓ ଭିକି ଖମାରୀ ପ୍ରମୁଖ ସାମିଲ ଥିଲେ। ପ୍ରକାଶ ଥାଉକି ଦୀର୍ଘ ଛଅ ବର୍ଷ ଧରି ଏହି ଟିମର ବ୍ୟାପକ ଉଦ୍ୟମ ଫଳରେ ମୟୂରଭଞ୍ଜର ବିଭିନ୍ନ ଅଜ୍ଞାତ ପର୍ଯ୍ୟଟନସ୍ଥଳୀ ଗୁଡିକ ଲୋକଲୋଚନକୁ ଆସିବା ସହ ମୟୂରଭଞ୍ଜ ପର୍ଯ୍ୟଟନକ୍ଷେତ୍ରରେ ବିଶ୍ବର ଚର୍ଚ୍ଚିତ ଟାଇମସ୍ ମାଗାଜିନରେ ସ୍ଥାନ ପାଇଥିଲା। ଏହି ଅଭିଯାନକୁ ଜିଲ୍ଲାବାସୀ ବେଶ ପ୍ରଶଂସା କରିଛନ୍ତି।