Img 20241029 Wa0232

ମୟୂରଭଞ୍ଜରେ ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅଭିଯାନ ଆରମ୍ଭ

State
  • ପଥ ଉତ୍ସବ ମାଧ୍ୟମରେ ଯୁବ ଭୋଟର ମାନେ ସାମିଲ ହେଲେ ସଚେତନତା ପଦଯାତ୍ରାରେ

ବାରିପଦା: ଅକ୍ଟୋବର ୨୯, ୨୦୨୪: ମୁକ୍ତ, ନିରପେକ୍ଷ ଓ ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ଭାରତ ନିର୍ବାଚନ ଆୟୋଗ ପ୍ରତ୍ୟେକ ବର୍ଷ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପରିଚାଳନା କରିଥାନ୍ତି । ଚିଠା ଭୋଟର ତାଲିକାରେ ତ୍ରୁଟି ବିଚ୍ୟୁତି ସଂଶୋଧନ ସହିତ ନୂତନ ଭାବେ ୧୮ ବର୍ଷରେ ପଦାର୍ପଣ କରୁଥିବା ଯୁବକ ଯୁବତୀ ମାନଙ୍କୁ ଭୋଟର ଲିଷ୍ଟରେ ନାମ ପଞ୍ଜୀକରଣ କରିବା ନିମନ୍ତେ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅଭିଯାନ ଆରମ୍ଭ ହୋଇଛି।

ଆଗାମୀ ସାଧାରଣ ନିର୍ବାଚନରେ ଅଧିକରୁ ଅଧିକ ସଂଖ୍ୟକ ଯୋଗ୍ୟ ମତଦାତାମାନଙ୍କୁ ଭୋଟଦାନ ପ୍ରକ୍ରିୟାରେ ସାମିଲ କରିବା ଲକ୍ଷ୍ୟ ନେଇ ମୟୂରଭଞ୍ଜ ଜିଲ୍ଲାରେ ଭୋଟର ତାଲିକାର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏହି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସଚେତନତା ଉପଲକ୍ଷେ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ଦିନ ଏକ ପଥ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ପଥ ଉତ୍ସବରେ ଯୁବ ଭୋଟର ବିଶେଷ କରି ମହାବିଦ୍ୟାଳୟରେ ପଢ଼ୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ମିନି ୱାକାଥନର ଆୟୋଜନ କରାଯାଇଥିଲା। ଏହି ୱାକାଥନର ଶୁଭାରମ୍ଭ, ସବୁଜ ପତାକା ଦେଖାଇ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଓ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପଲ୍ଲୀ କରିଥିଲେ। ପାଖାପାଖି ୨୦୦ ରୁ ୩୦୦ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଆୟୋଜିତ ଏହି ମିନି ୱାକାଥନରେ ସମସ୍ତ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଏହି ଭୋଟର ସଚେତନତା ବାର୍ତ୍ତା ଦେଇଥିଲେ।

ପରବର୍ତ୍ତୀ ସମୟରେ ସମସ୍ତ ରାଜନୈତିକ ଦଳଙ୍କ ସହ ଜିଲ୍ଲାପାଳ ଏକ ବୈଠକ କରି ଜିଲ୍ଲାପାଳଙ୍କ ଦ୍ଵାରା ଭୋଟର ତାଲିକା ଚିଠା ପ୍ରକାଶନ ହୋଇଥିଲା। ଏହି ବୈଠକ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରକାର, ବାରିପଦା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଈଶ୍ବର ଚନ୍ଦ୍ର ନାୟକ, ଡେପୁଟି କଲେକ୍ଟର ଇଲେକ୍ସନ ଶ୍ରୀ ଦୁର୍ଗା ଚରଣ ମୁର୍ମୁ, ସହକାରୀ କଲେକ୍ଟର ଶ୍ରୀ ନିହାର ରଞ୍ଜନ ଦାସ ଉପସ୍ଥିତ ଥିବା ବେଳେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନେ ଏହି ନୂତନ ଭୋଟର ତାଲିକା ଚିଠା ପ୍ରକାଶନରେ ନିଜର ଆବଶ୍ୟକୀୟ ମନ୍ତବ୍ୟ ପ୍ରଦାନ କରିଥିଲେ ।

ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ବିଗତ ତା ୨୦.୦୮.୨୦୨୪ ରିଖ ଠାରୁ ୧୮.୧୦.୨୦୨୪ ରିଖ ପର୍ଯ୍ୟନ୍ତ ବୁଥ ସ୍ତରୀୟ ଅଧିକାରୀ (BLO) ମାନେ ହୋମ ଟୁ ହୋମ ଯାଞ୍ଚ ଦ୍ୱାରା ଔଚିତ୍ୟ ସ୍ଥାପନ ବା ରସନଲାଇଜେସନ ପ୍ରକ୍ରିୟା ମାଧ୍ୟମରେ ଭୋଟର ତାଲିକାରେ ହୋଇଥିବା ଭୁଲ ତ୍ରୁଟି ସବୁ ସଂଶୋଧନ କରାଯାଇ ନୂତନ ଭୋଟର ତାଲିକା ଚିଠା ଅନୁମୋଦନ ହୋଇଥିଲା ଏବଂ ସେହି ଭୋଟର ତାଲିକା ଚିଠା ଆଜି ଜିଲ୍ଲାପାଳ ସମସ୍ତ ରାଜନୈତିକ ଦଳଙ୍କ ସମ୍ମୁଖରେ ପ୍ରକାଶନ କରିଥିଲେ। ପରିଶେଷରେ ଜିଲ୍ଲାପାଳ ଶ୍ରୀ ସୟ ବିଶ୍ୱର ସର୍ବବୃହତ ଏବଂ ସର୍ବଶ୍ରେଷ୍ଠ ଗଣତାନ୍ତ୍ରିକ ଦେଶ ଭାରତକୁ ଆହୁରି ସଶକ୍ତ କରିବା ପାଇଁ ଭୋଟ ଦେବାର ମହତ୍ତ୍ୱ ବଖାଣି ଥିଲେ ଏବଂ ଭୋଟର ଲିଷ୍ଟରେ ନାମ ଚଢେଇବା ତଥା ଅନ୍ୟାନ୍ୟ ତ୍ରୁଟି ବିଚ୍ୟୁତି ସଂଶୋଧନ ପାଇଁ ଏହି ସ୍ୱତନ୍ତ୍ର ଅଭିଯାନର ଫାଇଦା ନେବା ପାଇଁ ଆହ୍ୱାନ ଦେଇଥିଲେ।