Posco 1730221722

ଜେଏସଡବ୍ଲ୍ୟୁ ସହ ବୁଝାମଣା କଲା ପସ୍କୋ, ୧୯ ବର୍ଷ ପରେ ଓଡ଼ିଶା ଫେରିବ

State

ଭୁବନେଶ୍ବର : ଦକ୍ଷିଣ କୋରିଆ କମ୍ପାନୀ ପସ୍କୋ ପ୍ରାୟ ୧୯ବର୍ଷ ପରେ ଓଡ଼ିଶା ଫେରିବ । ଆଉ ଇସ୍ପାତ କ୍ଷେତ୍ରରେ ପୁଞ୍ଜିନିବେଶ କରିବ । ବିଶ୍ୱର ସପ୍ତମ ବୃହତମ ଇସ୍ପାତ ଉତ୍ପାଦନକାରୀ ପସ୍କୋ ଆଜି ଜେଏସଡବ୍ଲ୍ୟୁ ସହ ଏମଓୟୁ ସ୍ୱାକ୍ଷର କରି ଇସ୍ପାତ, ବ୍ୟାଟେରୀ ସାମଗ୍ରୀ ଓ ଅକ୍ଷୟଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ସହମତ ହୋଇଛି । ଓଡ଼ିଶାର ପାରାଦୀପଠାରେ(ପସ୍କୋର ପୁରୁଣା ପ୍ରକଳ୍ପ ସ୍ଥାନ) ଜେଏସଡବ୍ଲ୍ୟୁର ପ୍ରସ୍ତାବିତ ମେଗା ଇସ୍ପାତ ପ୍ରକଳ୍ପରେ ଏକାଠି କାମ କରିବାକୁ ଉଭୟ କମ୍ପାନୀ ମଧ୍ୟରେ ବୁଝାମଣା ହୋଇଥିବା ଜଣାପଡ଼ିଛି ।
ଦକ୍ଷିଣ କୋରିଆର ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ମେଗା ଷ୍ଟିଲ ପ୍ଲାଂଟ ସ୍ଥାପନ ପାଇଁ ଭାରତର ଜେଏସଡବ୍ଲ୍ୟୁ ଗ୍ରୁପ୍ ସହ ପସ୍କୋ ଗ୍ରୁପ୍ ଏମଓୟୁ ସ୍ୱାକ୍ଷର କରିଛି । ଉଭୟ କମ୍ପାନୀ ଓଡ଼ିଶାରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଂଟରେ ବାର୍ଷିକ ୫ନିୟୁତ ଟନ୍ ଉତ୍ପାଦନ କରିବା ସହ ଭବିଷ୍ୟତରେ ଏହାର କ୍ଷମତା ସମ୍ପ୍ରସାରଣ ପାଇଁ ମଧ୍ୟ ରାଜି ହୋଇଛନ୍ତି । ଉଭୟ କମ୍ପାନୀ ୫୦ ପ୍ରତିଶତ ଲେଖାଏଁ ପୁଞ୍ଜିନିବେଶ କରିବେ ଯାହାକି ବିଲିୟନ ଡଲାରରେ ବୋଲି ଆଶା କରାଯାଉଛି ।
ଏହି ଏମଓୟୁ ପରେ ପସ୍କୋ ଗ୍ରୁପ୍ ଅଧ୍ୟକ୍ଷ ଚାଙ୍ଗ-ଇନ ହ୍ୱା ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ, ଜେଏସଡବ୍ଲ୍ୟୁ ଗ୍ରୁପ୍ ସହ ଭାଗିଦାରୀ ଦ୍ୱାରା କୋରିଆ ଓ ଭାରତର ଆର୍ଥିକ ବିକାଶରେ ଯୋଗଦାନ ଦେଇପାରିବୁ ବୋଲି ଆଶା କରୁଛୁ । ପସ୍କୋ ଭବିଷ୍ୟତରେ ନିଜର ବିଦେଶୀ ପୁଞ୍ଜିନିବେଶକୁ ବୃଦ୍ଧି କରିବ । ଏହି ଭାଗିଦାରୀ ଭାରତରେ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଇସ୍ପାତ ଚାହିଦାକୁ ଦୃଷ୍ଟିରେ ରଖି କରାଯାଇଛି । ଗତବର୍ଷ ଭାରତରେ ଇସ୍ପାତ ଚାହିଦା ୧୨୦ ମିଲିୟନ ଟନ୍ ଥିବାବେଳେ ୨୦୪୭ ସୁଦ୍ଧା ଏହା ୪୦୦ ମିଲିୟନ ଟନରେ ପହଂଚିବ ବୋଲି ପସ୍କୋ ପକ୍ଷରୁ ଆକଳନ କରାଯାଇଛି । ପସ୍କୋ ଏବେ ମହାରାଷ୍ଟ୍ରରେ ରୋଲିଂ ମିଲ୍ ସ୍ଥାପନ କରିଛି ।
ଉଲ୍ଲେଖଯୋଗ୍ୟ, ଓଡ଼ିଶାର ପାରାଦୀପ(ଏରସମା)ଠାରେ ମେଗା ଇସ୍ପାତ ପ୍ରକଳ୍ପ ନିମନ୍ତେ ପସ୍କୋ ୧୨ ବିଲିୟନ ଡଲାର ପୁଞ୍ଜିନିବେଶ କରିବାକୁ ୨୦୦୫ ମସିହାରେ ତତକାଳୀନ ଓଡ଼ିଶା ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିଥିଲା । କିନ୍ତୁ ରାଜ୍ୟ ସରକାରଙ୍କ ସହଯୋଗ ନମିଳିବାରୁ କମ୍ପାନୀ ୨୦୧୭ରେ ଏହି ପ୍ରକଳ୍ପରୁ ଓହରି ଯାଇଥିଲା । ଏବେ ପୁଣିଥରେ କମ୍ପାନୀ ଓଡ଼ିଶା ଫେରିବାକୁ ନିଷ୍ପତ୍ତି ନେଇଛି । ଜେଏସଡବ୍ଲ୍ୟୁ ଏବେ ଏରସମାଠାରେ ନିଜର ମେଗା ଇସ୍ପାତ ପ୍ରକଳ୍ପ ସ୍ଥାପନ କାର୍ଯ୍ୟ ଜାରି ରଖିଛି । କମ୍ପାନୀକୁ ରାଜ୍ୟ ସରକାର ଜମି ହସ୍ତାନ୍ତର କରିସାରିଛନ୍ତି । ପସ୍କୋ ଏବେ ନିଜର ସେହି ପୁରୁଣା ସ୍ଥାନରେ ଜେଏସଡବ୍ଲ୍ୟୁ ସହ ମିଶି ପ୍ରକଳ୍ପ କରିବ ବୋଲି ଜଣାପଡ଼ିଛି ।