Onn 3

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‌ଘାଟିତ

Religion and Cult State

ଭୁବନେଶ୍ୱର : ନୃତ୍ୟ ସଙ୍ଗୀତରେ ଆମର ଶାସ୍ତ୍ରୀୟ ପରମ୍ପରାର ସଚେତନତା ସୃଷ୍ଟି କରିବା ଓ ତାହାକୁ ବଜାୟ ରଖିବାର ଲକ୍ଷ୍ୟ ନେଇ ଉଦ୍‌ଘାଟିତ ହେଲା ୨୯ତମ ଓଏମସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ । ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଏବଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଛି ଏହି ଉତ୍ସବ । ଏହି କାର୍ଯ୍ୟକ୍ରମ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟେକ ସନ୍ଧ୍ୟାର ପ୍ରଥମାର୍ଦ୍ଧରେ ଏକକ ନୃତ୍ୟ କାର୍ଯ୍ୟକ୍ରମ, ଦ୍ୱିତୀୟାର୍ଦ୍ଧରେ ଗାୟନ ଓ ଯନ୍ତ୍ର ସଙ୍ଗୀତ ପରିବେଷଣ କରାଯିବ ।

ଉଦ୍‌ଘାଟନୀ ସନ୍ଧ୍ୟାର ପ୍ରଥମେ ଥିଲା ଓଡ଼ିଶୀ ଏକକ ନୃତ୍ୟ, ଯାହାକୁ ପରିବେଷଣ କରିଥିଲେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ସାଶ୍ୱତି ଗରାଇ ଘୋଷ । ସେ ପ୍ରଥମେ ଦେବୀ ମହାମାୟାଙ୍କୁ ପ୍ରାର୍ଥନା ପରେ ପ ଶ୍ରୀକୃଷ୍ଣକର୍ଣ୍ଣମୃତମ୍‌ରୁ ଉଦ୍ଧୃତ ଶ୍ଳୋକ ରାମ ନାମ ବଭୁବଃ ପରିବେଷଣ କରିଥିଲେ । ଏହାକୁ ନୃତ୍ୟ ସଂରଚନା କରିଥିଲେ ଗୁରୁ ଶର୍ମିଲା ବିଶ୍ୱାସ । ତାଙ୍କୁ ବେହେଲାରେ ସୁରମଣୀ ରମେଶ ଚନ୍ଦ୍ର ଦାସ, ମର୍ଦ୍ଦଳରେ ବୁଦ୍ଧନାଥ ସ୍ୱାଇଁ, ବଂଶୀରେ ଶ୍ରୀନୀବାସ ଶତପଥୀ ଓ କଣ୍ଠରେ ରାଜେଶ କୁମାର ଲେଙ୍କା ସହଯୋଗ କରିଥିଲେ । ପରେ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତ ଉପରେ ପର୍ଯ୍ୟବେସିତ ହୋଇଥିଲା ବେହେଲା ଯୁଗଳବନ୍ଧି ବାଦନ, ଯାହାକୁ ପରିବେଷଣ କରିଥିଲେ ଲାଲ୍‌ଗୁଡ଼ି ଜି.ଜେ.ଆର କ୍ରିଷ୍ଣନ୍ନ ଓ ଲାଲ୍‌ଗୁଡ଼ି ବିଜୟଲକ୍ଷ୍ମୀ । ସେମାନେ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତ ଉପରେ ଆଧାରିତ ବିଭିନ୍ନ ରାଗ ଓ ତାଳରେ ବେହେଲା ବାଦନ କରିଥିଲେ । ଏହା ଦର୍ଶକଙ୍କୁ ପ୍ରେକ୍ଷାଳୟରେ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ସେମାନଙ୍କୁ ମୃଦଙ୍ଗମ୍‌ରେ କୁଚିଭୋତ୍‌ଲା ସାଇ ଗିରିଧର ଓ କଞ୍ଜିରାରେ ଏସ୍‌. ସୁନିଲ କୁମାର ସହଯୋଗ କରିଥିଲେ ।

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡଃ ବି.ଆର ଶର୍ମା, ପୂର୍ବତନ ରାଜସ୍ୱ ପରିଷଦର ଅଧ୍ୟକ୍ଷ ତଥା ଭାରତୀୟ ପ୍ରଶାସନିକ ଅଧିକାରୀ ଏବଂ ଟାଟା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ଼୍‌ର ସ୍ୱାଧୀନ ନିର୍ଦ୍ଦେଶକ ଅଶୋକ କୁମାର ତ୍ରିପାଠୀ. ଏମ୍‌.ଜି.ଏମ୍ ଖଣିଜ ପଦାର୍ଥର ନିର୍ଦ୍ଦେଶକ ପଙ୍କଜ ଲୋଚନ ମହାନ୍ତି ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ଶ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ଦ୍ୱାରା କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସହିତ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା ସମଗ୍ର ଉତ୍ସବଟିକୁ ସଂକଳ୍ପିତ ଏବଂ ପରିକଳ୍ପନା କରାଯାଇଛି । ଏହି କାର୍ଯ୍ୟକ୍ରମଟିକୁ ଡଃ. ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିଲେ ।