Img 20241025 Wa0227

ସଫଳତାର ସହ ବାତ୍ୟା “ଦାନା” ର ମୁକାବିଲା କରୁଛି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ

State
  • ୧,୧୫,୦୦୦ ରୁ ଉର୍ଦ୍ଦ୍ୱ ଜନସାଧାରଣଙ୍କୁ ଉଦ୍ଧାର ତଥା ସଫଳ ସ୍ଥାନାନ୍ତରୀକରଣ କରିଛି ପ୍ରଶାସନ
  • ୮୦୦ରୁ ଉର୍ଦ୍ଦ୍ୱ ବାତ୍ୟା ଆଶ୍ରୟସ୍ଥଳୀ ଓ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପ୍ରଭାବିତଙ୍କ ସେବାରେ
  • ୩୦୦୦ରୁ ଉର୍ଦ୍ଦ୍ୱ କର୍ମଚାରୀ ସଫଳତାର ସହ ବାତ୍ୟା ସମୟ ଏବଂ ପରବର୍ତ୍ତୀ ସମୟରେ ସେବା ପହଞ୍ଚାଉଛନ୍ତି
  • ଭୟଭୀତ ହୁଅନ୍ତୁ ନାହିଁ; ପ୍ରଶାସନ ସହିତ ଏହି ବିପଦ ସମୟରେ ସମସ୍ତେ ସହଯୋଗ କରନ୍ତୁ: ମାନ୍ୟବର ମନ୍ତ୍ରୀ

ବାରିପଦା: ବାତ୍ୟା “ଦାନା” ର ଲ୍ୟାଣ୍ଡଫଲ ହୋଇସାରିଥିଲେ ମଧ୍ୟ ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଂଚଳରେ ବିକ୍ଷିପ୍ତ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି। ଅପରପକ୍ଷରେ, ବାତ୍ୟାର ପ୍ରଭାବରେ କ୍ଷତିଗ୍ରସ୍ତ ଅବା ବାଧାପ୍ରାପ୍ତ ହୋଇଥିବା ଅଂଚଳ ମାନଙ୍କରେ ପୁନରୁଦ୍ଧାର ଏବଂ ଜନସାଧାରଣ ମାନଙ୍କର ପୁନଃ ଥଇଥାନର ବ୍ୟବସ୍ଥା ପାଇଁ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି । ଏଠି ନିମନ୍ତେ ରାଜ୍ୟ ମୁଖ୍ୟାଳୟ ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟାଳୟରେ ଅବସ୍ଥାପିତ ସମସ୍ତ ବରିଷ୍ଠ ଅଧିକାରୀ ମାନେ ନିଜ ନିଜ ବିଭାଗୀୟ ବିଶେଷ କରି ଜରୁରୀକାଳୀନ ବିଭାଗୀୟ କାର୍ଯ୍ୟ ନିର୍ବାହ କରୁଛନ୍ତି। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ଅନୁଯାୟୀ ୨୫ ଓ ୨୬ର ପୂର୍ବାହ୍ନ ପର୍ଯ୍ୟନ୍ତ ମୟୂରଭଞ୍ଜ ପାଇଁ ରେଡି ଆଲର୍ଟ ଜାରି ହୋଇଥିବା ବେଳେ ୨୬ ଓ ୨୭ ତାରିଖ କ୍ରମାଗତ ଭାବେ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଙ୍ଗ ଜାରି ହୋଇଛି।

ଏହି ପରିପ୍ରେକ୍ଷୀରେ ମାନ୍ୟବର ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ଡଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ନିର୍ଦ୍ଦେଶକ ଓ ଅତିରିକ୍ତ ସଚିବ, ପଞ୍ଚାୟତିରାଜ ଓ ପାନୀୟଜଳ, ସ୍ୱଚ୍ଛତା ବିଭାଗ, ଶ୍ରୀ ବିନୀତ ଭରଦ୍ୱାଜଙ୍କ ସଂଚାଳନରେ ଏକ ସ୍ୱତନ୍ତ୍ର ଉପ-ବିଭାଗୀୟ କାର୍ଯ୍ୟକାରିଣୀ ତଥା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବାତ୍ୟା ପୂର୍ବର ସମ୍ପାଦିତ କାର୍ଯ୍ୟ ଗୁଡିକର ସମୀକ୍ଷା କରି, ଏହି ବିପର୍ଯୟ ସମୟର ପରିସ୍ଥିତିକୁ ସଫଳତାର ସହିତ ମୁକାବିଲା କରି ଜନଜୀବନର ସୁରକ୍ଷା କରିଥିବାରୁ ମାନ୍ୟବର ମନ୍ତ୍ରୀ ଡଃ ମହାପାତ୍ର, ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ, ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପଲ୍ଲୀଙ୍କ ସମତେ ସମସ୍ତ ବରିଷ୍ଠ ଓ ବିଭାଗୀୟ ଅଧିକାରୀଙ୍କୁ ସାଧୁବାଦ ଦେଇଥିଲେ। ଆଗାମୀ ପଦକ୍ଷେପ କିଭଳି ନିଆଯିବ ଏବଂ କଣ କଣ କରାଯିବ ସେ ବିଷୟରେ ନିର୍ଦ୍ଦେଶକ ଶ୍ରୀ ଭରଦ୍ୱାଜ ସମସ୍ତ ସମ୍ବେଦନଶୀଳ ବ୍ଲକ (ବାରିପଦା, ଗୋପବନ୍ଧୁ ନଗର, କୁଳିଅଣା, କପ୍ତିପଦା, ଉଦଳା, ରାସଗୋବିନ୍ଦପୁର, ବଡ଼ସାହି, ଠାକୁରମୁଣ୍ଡା)ର ବିଡ଼ିଓ ମାନଙ୍କୁ ଆଭାସୀ ମାଧ୍ୟମରେ ପଚାରି ବୁଝିଥିଲେ। ଏହି ପରିପ୍ରେକ୍ଷୀରେ ସ୍ଥାନାନ୍ତରଣ, ବିଦ୍ୟୁତ ସରବରାହ, ଖାଦ୍ୟ ସାମଗ୍ରୀ ଯୋଗାଣ, ପାନୀୟଜନ ଯୋଗାଣ, ଫସଲର ଅବସ୍ଥା, ଅଧିବାସୀଙ୍କ ଘରର ଅବସ୍ଥା ଇତ୍ୟାଦି ବିଷୟରେ ଅଧିକାରୀ ମାନେ ରିପୋର୍ଟ ପ୍ରଦାନ କରିଥିଲେ।

ବାତ୍ୟା ପ୍ରଭାବରେ ବିଚ୍ଛେଦ ବିଦ୍ୟୁତ ସରବରାହ ଯଥା ଶୀଘ୍ର କାର୍ଯ୍ୟକ୍ଷମ ହେଉଛି

TPNODL , ଅଗ୍ନିଶମ ବାହିନୀ, ପୋଲିସ କର୍ମକର୍ତ୍ତା, ଓଡ୍ରାଫ ଦଳ ତୁରନ୍ତ ବାତ୍ୟା ପ୍ରଭାବରେ ବିଚ୍ଛେଦ ହୋଇଥିବା ବିଦ୍ୟୁତ ପ୍ରବାହକୁ ମରାମତି କରିବା ସହିତ ପବନରେ ଉପୁଡି ପଡିଥିବା ଗଛ ଗୁଡିକୁ ବିଦ୍ୟୁତ ତାରରୁ କାଟି ବାହାର କରି ପୁନର୍ବାର ବିଦ୍ୟୁତ ସରବରାହ ଯଥା ଶୀଘ୍ର କାର୍ଯ୍ୟକ୍ଷମ କରୁଛନ୍ତି। ସୂଚନା ଅନୁସାରେ ୨୬ଟି ବ୍ଲକରୁ ୧୫ଟି ବ୍ଲକରେ ବାଧାପ୍ରାପ୍ତ ହୋଇଥିବା ବିଦ୍ୟୁତ ସରବରାହକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଇଥିବା ବେଳେ ୮ ଟି ବ୍ଲକରେ ଆଂଶିକ ରୂପରେ ବିଦ୍ୟତ କାର୍ଯ୍ୟ ବାକି ଅଛି ଯାହା ସନ୍ଧ୍ୟା ୭ଟା ସୁଦ୍ଧା ସମାପ୍ତ ହୋଇଯିବ ବୋଲି ଅଧିକାରୀ ଜଣାଇଛନ୍ତି।

ଉଦ୍ଧାର ଓ ସ୍ଥାନାନ୍ତରୀକରଣ କାର୍ଯ୍ୟରେ ଅଗ୍ରଣୀ ଜିଲ୍ଲା ଭାବେ ମୟୂରଭଞ୍ଜ କାର୍ଯ୍ୟ କରୁଛି

ସୂଚନା ଅନୁସାରେ ସମସ୍ତ ସମ୍ଭାବ୍ୟ ପ୍ରଭାବିତ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୭୯୨ଟି କାର୍ଯ୍ୟକ୍ଷମ ବାତ୍ୟା ଆଶ୍ରୟସ୍ଥଳୀ ହୋଇଥିବା ବେଳେ ୩୦ରୁ ଉର୍ଦ୍ଦ୍ୱ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟ ସେବା ଯୋଗାଉଛି । ସେହି ଆଶ୍ରୟସ୍ଥଳୀ ମାନଙ୍କରେ ୧୧୫୦୦୦ ଲୋକଙ୍କର ସୁରକ୍ଷିତ ସ୍ଥାନାନ୍ତରୀକରଣ ହୋଇଛି ଏବଂ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆହୁରି ବାତ୍ୟା ଆଶ୍ରୟସ୍ଥଳୀ ଖୋଲିବା ଏବଂ ଉଦ୍ଧାର କାର୍ଯ୍ୟ କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛନ୍ତି। ଜିଲ୍ଲାର ପ୍ରମୁଖ ନଦୀ, ବୁଢ଼ାବଳଙ୍ଗ ବିପଦ ସଂକେତର ଅନେକ ତଳେ ଥିବା ବେଳେ ସୁବର୍ଣ୍ଣରେଖାରେ ମଧ୍ୟ ସେଭଳି କିଛି ବିପଦ ସୃଷ୍ଟି ହେବା ଭଳି ଜଳସ୍ତର ବୃଦ୍ଧି ପାଇନାହିଁ । ଆଜି ଅପରାହ୍ନ ରେ କାଳ ଡ୍ୟାମର ଦୁଇଟି ନୋ-ସ୍ପିଲୱେ ଗେଟ୍ ଖୋଲାଯାଇଥିବା ବେଳେ, ଏହା ଦେଇ 1 metr ht ଅତିରିକ୍ତ ଜଳଭଣ୍ଡାରର ଜଳ ମୁକ୍ତ ହେଉଛି।

ମନ୍ତ୍ରୀଙ୍କ ସମୀକ୍ଷା ଓ କାର୍ଯ୍ୟକାରିତା ନିର୍ଦ୍ଦେଶ

ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ନୀରିକ୍ଷଣରେ ଯାଇ ମାନ୍ୟବର ମନ୍ତ୍ରୀ ଡଃ ମହାପାତ୍ର ମଧ୍ୟ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ଅନୁଧ୍ୟାନ କରିଛନ୍ତି; ସମ୍ଭାବ୍ୟ ବନ୍ୟା ଦ୍ଵାରା ପ୍ରଭାବିତ ହେବାକୁ ଥିବା ଅଂଚଳର କଚ୍ଚା ଘରୁ ଜନସାଧାରଣଙ୍କ ସୁରକ୍ଷିତ ସ୍ଥାନାନ୍ତରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଣୁ ପ୍ରଶାସନ ଜନସାଧାରଣଙ୍କୁ ଭୟଭୀତ ନହୋଇ ପ୍ରଶାସନ ସହିତ ସହଯୋଗ କରିବାକୁ ନିବେଦନ କରିଛନ୍ତି ।

ଯାନବାହାନ ଚଳାଚଳ ଆରମ୍ଭ

ବର୍ଷାର ପରିମାଣ, ପବନର ବେଗକୁ ଏବଂ ଲୋକମାନଙ୍କ ଯୋଗାଯୋଗକୁ ଦୃଷ୍ଟିରେ ରଖି ସନ୍ଧ୍ୟା ୬ଟା ପରେ ବାସ ଚଳାଚଳ କରିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ବେଳେ, ଆବଶ୍ୟକତା ଦୃଷ୍ଟିରୁ ଭାରୀଯାନ ଚଳାଚଳ ମଧ୍ୟ ଆରମ୍ଭ ହେବା ନେଇ ଜିଲ୍ଲା ପ୍ରଶାସନ ସବୁଜ ସଂକେତ ଦେଇଛି।

ଚାଷର ବିଶେଷ କ୍ଷୟ କ୍ଷତି ଆକଳନ କରିବା ନେଇ ପ୍ରଶାସନ ଦେଖାଇଛି ତତ୍ପରତା

ପ୍ରାରମ୍ଭିକ ସୂଚନା ଅନୁସାରେ, ବାତ୍ୟାର ପବନ ପ୍ରଭାବରେ ୬୭୨ ହେକ୍ଟର ଧାନ ଫସଲ ନଇଁ ପଡିଥିବା ବେଳେ ଏହାର ସମ୍ପୂର୍ଣ୍ଣ ଆକଳନ ହେବାପାଇଁ କିଛି ସମୟ ଲାଗିପାରେ। ସେହିଭଳି ଉଦ୍ୟାନ କୃଷିରେ ବିଶେଷ କ୍ଷତି ଦେଖିବାକୁ ମିଳିନାହିଁ ଏବଂ ସମସ୍ତ କ୍ଷୟ କ୍ଷତିର ଆକଳନ କରି ସାରିବା ପରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ପରିଶେଷରେ, ବାତ୍ୟାର ସ୍ଥିତି ଏବଂ ବୃଷ୍ଟିପାତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସମସ୍ତ କାର୍ଯ୍ୟ କରିବ ଏଣୁ ବର୍ତ୍ତମାନ ସ୍ଥିତିରେ ବାତ୍ୟାଶ୍ରୟ ସ୍ଥଳୀରେ ଅଧିବାସୀ ମାନଙ୍କ ଉପସ୍ଥିତି, ସମୁଦାୟ ୨୬ଟି ବ୍ଲକରେ ଅଗ୍ନିଶମ ବିଭାଗ କାର୍ଯ୍ୟରତ ଥିବା ବେଳେ ସମସ୍ତ CHC ଓ PHC ରେ ଡାକ୍ତରଙ୍କ ସମେତ ଅଙ୍ଗନବାଡି କେନ୍ଦ୍ରରେ ଆଣ୍ଟି ଭେନମ, ଡାଇରିଆ, ଥଣ୍ଡା, ଜର ମେଡ଼ିସିନ ମହଜୁଦ ରହିଛି। ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଆସନ୍ତା ୨୬ ତାରିଖ ଦିନ, ବାଲେଶ୍ୱର ସହିତ ନିକଟ ସଂଯୋଗ କରୁଥିବା ବାରିପଦା ଉପଖଣ୍ଡ ଓ ଉଦଳା ଅଂଚଳ, ସମ୍ଭାବିତ ବୃଷ୍ଟିପାତ ଦ୍ୱାରା ପ୍ରଭାବିତ ହୋଇପାରେ ଏଣୁ ଏହି ସ୍ଥାନ ମାନଙ୍କରେ ୨୦ ସେ.ମି ପର୍ଯ୍ୟନ୍ତ ବର୍ଷ ହେବାର ସମ୍ଭାବନା ଅଛି।

ଏଥି ନିମନ୍ତେ, ସମ୍ବେଦନଶିଳ ତହସିଲ, ବ୍ଲକ ଏବଂ ଗ୍ରାମ ପଂଚାୟତ ଯଥା ବଡ଼ସାହି, ବେତନଟୀ, ଗୋପବନ୍ଧୁ ନଗର, ମାଣତ୍ରୀ ପଂଚାୟତ, ଖୁଣ୍ଟା, ରାସଗୋବିନ୍ଦପୁର, ସାରସକଣା , କପ୍ତିପଦା, ଉଦଳା ଅଂଚଳର ବିଭିନ୍ନ ସ୍ଥାନ ପାଇଁ ଜିଲ୍ଲା ପ୍ରଶାସନ ପର୍ଯ୍ୟାପ୍ତ ପରିମାଣରେ ପୂର୍ବ ବ୍ୟବସ୍ଥା କରିଥିବା ବେଳେ ସମ୍ଭାବିତ ବର୍ଷାରେ ବନ୍ୟା ପ୍ଲାବିତ ହେବାକୁ ଥିବା ଅଂଚଳରେ ମଧ୍ୟ ସମସ୍ତ ଜରୁରୀକାଳୀନ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସମସ୍ତ ପ୍ରଭାବିତ ଜନସାଧାରଣଙ୍କୁ କଚ୍ଚା ଘର ମାନଙ୍କୁ ପକ୍କା ଘର ଗୁଡିକୁ ସ୍ଥାନାନ୍ତର ବ୍ୟବସ୍ଥା କରିବା ସହ ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକୁ ପୁରୁଷ/ମହିଳା ଭାବରେ ବିଭକ୍ତିକରଣ କରିବା ପାଇଁ ପ୍ରଶାସନ କାର୍ଯ୍ୟ କରୁଥିବା ବେଳେ, ସେଠାରେ ଗରମ ରନ୍ଧା ଖାଦ୍ୟ, ମେଡ଼ିସିନ, ସହିତ ରାତ୍ରିଯାପନ ସମୟରେ ଟେଲିଭିଜନ ପ୍ରସାରଣର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏଥିସହିତ ମାନ୍ୟବର ମନ୍ତ୍ରୀ ସମସ୍ତ ଗଣମାଧ୍ୟମକୁ ପ୍ରଶାସନ ସହିତ ସହଯୋଗ କରିବାକୁ ଏବଂ ଲୋକମାନଙ୍କ ନିକଟରେ ସଠିକ ତଥ୍ୟ ପହଞ୍ଚାଇବାକୁ ମଧ୍ୟ ଅନୁରୋଧ କରିଛନ୍ତି।