Photo For The News Of Kitchengarden

ଯୋଜନାକୁ ୪ବର୍ଷ ପୁରିଲା, ବନ୍ତ ବ୍ଲକରେ ଫେଲ୍ ମାରିଛି କିଚେନ ଗାର୍ଡ଼େନ ଯୋଜନା

State

ଆଗରପଡ଼ା :ଗତ ୨୦୨୦ ମସିହାରେ ବଜାରର ଦରକୁ ଆଖି ଆଗରେ ରଖି ମଧ୍ୟାହ୍ନ ଭୋଜନରେ ସ୍ୱଚ୍ଛତା ଆଣିବା ରାଜ୍ୟ ସରକାର ବିଦ୍ୟାଳୟରେ କିଚେନ ଗାର୍ଡ଼େନ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ମାଧ୍ୟମରେ ସରକାର ପ୍ରତି ସ୍କୁଲକୁ ୫୦୦୦ଟଙ୍କା ପ୍ରଦାନ କରିଥିଲେ । ଉକ୍ତ ଅର୍ଥରେ ବିଦ୍ୟାଳୟରେ ଉଦ୍ଧିଷ୍ଟ ଥିବା ବଗିଚାରେ ତାର ବାଡ଼ ଘେରାଇବା ଏବଂ ତା ମଧ୍ୟରେ କଦଳୀ,ଲଙ୍କା,ଶାଗ,ବାଇଗଣ,କଖାରୁ,ବିଲାତି,ସଜନା ଓ ଅମୃତଭଣ୍ଡା ଗଛ ଲଗାଇବା ସହ ଋତୁ ଅନୁସାରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ଯୋଜନାକୁ ଇତି ମଧ୍ୟରେ ୪ବର୍ଷ ପୂରିଯାଇଥିବା ବେଳେ ବିଭିନ୍ନ ଆକଳନକୁ ନଜିରକୁ ନେଲେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ଉକ୍ତ ଯୋଜନା ସମ୍ପୂର୍ଣ୍ଣ ରୂପେ ଫେଲ ମାରିବା ସହ କେବଳ କାଗଜ କଲମରେ ସୀମିତ ରହିଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ;ବନ୍ତ ବ୍ଲକରେ ପାଖାପାଖି ୭୦ଟି ପ୍ରାଥମିକ ବିଦ୍ୟାଳୟ,୫୯ଟି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ,୧୧ଟି ୟୁଜିଏମଇ ବିଦ୍ୟାଳୟ, ୯ଟି ୟୁପିଏମଇ ବିଦ୍ୟାଳୟ,୪ଟି ଏମଇ ବିଦ୍ୟାଳୟ ,୧୨ଟି ପିୟୁପିଏସ ବିଦ୍ୟାଳୟ ଓ ୩୮ଟି ଏନୟୁପିଏସ ଏହିପରି ଭାବରେ ପ୍ରାୟ ୨୦୩ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ରହିଅଛି । ତନ୍ମଧ୍ୟରୁ ସରକାରଙ୍କ ନୂତନ ନିୟମ ଅନୁସାରେ କିଛି ବିଦ୍ୟାଳୟ ଅନ୍ୟ ବିଦ୍ୟାଳୟ ସହ ମିଶି ଯାଇଥିବାରୁ ବର୍ତ୍ତମାନ ପାଖାପାଖି ୧୯୫ଟି ବିଦ୍ୟାଳୟ ରେ ଶିକ୍ଷାଦାନ ଚାଲୁଅଛି ।

ବିଭିନ୍ନ ଆକଳନକୁ ନଜିରକୁ ନେଲେ ପାଖାପାଖି ଶତକଡ଼ା ୯୦ ଭାଗ ବିଦ୍ୟାଳୟରେ ଫାଙ୍କା ପଡ଼ିଛି ବଗିଚା । କେତେକ ବିଦ୍ୟାଳୟରେ କେବଳ କଦଳୀ ଗଛ କିଚେନ ଗାର୍ଡ଼େନର ଶୋଭା ବର୍ଦ୍ଧନ କରୁଛି । ୨୦୨୦ରେ ସରକାର ଯୋଜନା ପ୍ରଣୟନ କରିଦେଲେ ସତ କିନ୍ତୁ ଉକ୍ତ ଯୋଜନାର ସଫଳ ରୂପାୟନ ପାଇଁ ବିଭାଗୀୟ ଅଧିକାରୀ କେହିବି ଦୃଷ୍ଟି ନଦେବା ବିଦ୍ୟାଳୟରେ ଥିବା ବଗିଚାକୁ ଦେଖିଲେ ସ୍ପଷ୍ଟ ବାରି ହୋଇ ପଡ଼ୁଛି । ବହୁ ବିଦ୍ୟାଳୟରେ ତାରବାଡ ମଧ୍ୟ ନାହିଁ । ଯଦିବି ତାର ବାଡ଼ ଅଛି ତା ମଧ୍ୟରେ କୌଣସି ଚାଷ ହୋଇ ନାହିଁ । କେବଳ କଦଳୀ ଗଛ ଓ ବିଭିନ୍ନ ଅନାବନା ଗଛ ଉକ୍ତ ବଗିଚାରେ ଶୋଭା ପାଉଛି । ବିଭାଗୀୟ ଅଧିକାରୀଙ୍କ ତଦାରଖର ଅଭାବ ଯୋଗୁଁ ଉକ୍ତ ଯୋଜନା କେବଳ କାଗଜ କଲମରେ ସୀମିତ ରହିଯାଇଛି । ସରକାର ମଧ୍ୟାହ୍ନ ଭୋଜନରେ ସ୍ୱଚ୍ଛତା ଆଣିବା ଓ ପିଲାମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିଲେ ସୁଦ୍ଧା ଏହାର ତଦାରଖ ଦାଇତ୍ୱ ବିଭାଗୀୟ ଅଧିକାରୀମାନେ ଠିକ୍ ଭାବେ ନିର୍ବାହ କରୁନଥିବାରୁ ଯୋଜନା ସବୁ ଫେଲ ମାରୁଛି । ତେଣୁ ସରକାରଙ୍କ ପ୍ରଦତ୍ତଅର୍ଥର ଠିକ ବିନିଯୋଗ ହୋଇଛିକି ନାହିଁ । ଯଦି ହୋଇନି ଏହାର କାରଣ ଖୋଜିବା ସହ ଉକ୍ତ ଯୋଜନାର ସଫଳ ରୂପାୟନ ପାଇଁ ବିଭାଗୀୟ ଅଧିକାରୀ ଚେଷ୍ଟିତ ହେବାକୁ ଶିକ୍ଷାବିତ୍‌ଙ୍କ ସମେତ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।