Img 20240517 Wa0219

ଶାନ୍ତିପୂର୍ଣ୍ଣ ନିର୍ବାଚନ ନିମନ୍ତେ ରାଜନୈତିକ ଦଳଗୁଡିକ ସହିତ ବିଭିନ୍ନ ପର୍ଯ୍ୟବେକ୍ଷକଙ୍କ ବୈଠକ

State

ବାରିପଦା : ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲ୍ଲାରେ ପ୍ରସ୍ତୁତି ସ୍ୱରୂପ ସାଧାରଣ,ପୋଲିସ ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ଗୃହ ଠାରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମୟୂରଭଞ୍ଜ ପାଇଁ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଆର୍ମଷ୍ଟ୍ରଙ୍ଗ ପାମେ ଓ ଡଃ ଓମ ପ୍ରକାଶ , ନେହା , ବିକ୍ରମ ଏ ଦୋଡ୍ଡମଣୀ ଓ ବିନୋଦ ସି ପ୍ରମୁଖ ଉପସ୍ଥିତ ଥିଲେ । ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ସାଧାରଣ ପର୍ଯ୍ୟବେକ୍ଷକ ମାନେ ପରାମର୍ଶ ଦେଇଥିଲା ବେଳେ ପୋଲିସ ପର୍ଯ୍ୟବେକ୍ଷକ ସମସ୍ତ ନିୟମାବଳୀକୁ ମାନି ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଅନୁରୋଧ କରିଥିଲେ । ଆଦର୍ଶ ଆଚରଣ ସଂହିତାକୁ ଯଥାରୀତି ଭାବେ ପାଳନ କରି କୌଣସି ଧର୍ମୀୟ ସ୍ଥାନ ଯେପରି ମନ୍ଦିର, ମସଜିଦ, ମଠ , ଚର୍ଚ୍ଚ, ଗୁରୁଦ୍ୱାରା ଆଦି ସ୍ଥାନ ମାନଙ୍କରେ ଜନ ସମ୍ମେଳନ ଆଦି ନ କରାଯାଏ ସେଥିପ୍ରତି ଧ୍ୟାନ ଦେବାପାଇଁ ପର୍ଯ୍ୟବେକ୍ଷକ ଅନୁରୋଧ କରିଥିଲେ। ଯେକୌଣସି ରାଲି, ସଭା, ପୋଷ୍ଟର, ବ୍ୟାନର ଆଦି ପାଇଁ, ରାଜନୀତିକ ଦଳ ମାନେ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟରେ ସ୍ଥିତ ସୁବିଧା ଆପ ଦ୍ୱାରା ଏବଂ ସିଙ୍ଗଲ ଉଇଣ୍ଡୋ ଦ୍ୱାରା ଆବେଦନ କରି ଅନୁମତି ନେଇ ପାରିବେ ।

ଏହି ବୈଠକରେ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ନିର୍ବାଚନ ଖର୍ଚ୍ଚ ପରିଚାଳନା ସମ୍ପର୍କିତ ଆଇନଗତ ବ୍ୟବସ୍ଥା, ନିର୍ଭୁଲ ଓ ଠିକ୍ ସମୟରେ ହିସାବ ଦାଖଲ ଏବଂ ଏହାକୁ ପାଳନ ନକରିବା ଫଳରେ ଉପୁଜୁଥିବା ପରିସ୍ଥିତି ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଖର୍ଚ୍ଚ ବିବରଣୀ ଯାଞ୍ଚ, କ୍ଷେତ୍ର ପରିଦର୍ଶନ, ଭିଡିଓ ସର୍ଭେଲାନ୍ସ ସମେତ ବିଭିନ୍ନ ତଦାରଖ ବ୍ୟବସ୍ଥା ସମ୍ପର୍କରେ ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା । ଏହି ବୈଠକରେ ଉପସ୍ଥିତ ରାଜନୈତିକ ଦଳମାନଙ୍କୁ ସକ୍ରିୟ ଭାବେ ଆଲୋଚନାରେ ସାମିଲ ହେବାକୁ ଏବଂ ନିର୍ବାଚନୀ ପ୍ରକ୍ରିୟା ସମ୍ପର୍କରେ ସେମାନଙ୍କ ମନରେ କୌଣସି ପ୍ରଶ୍ନ ଉଠାଇବାକୁ ପ୍ରୋତ୍ସାହିତ କରାଯାଇଥିଲା। ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ପର୍ଯ୍ୟବେକ୍ଷକ ମାନେ ପ୍ରଦାନ କରିଥିଲେ । ଶେଷରେ ମୟୂରଭଞ୍ଜ ଜିଲ୍ଲାରେ ନିର୍ବାଚନ ପରିଚାଳନା ନିୟମ ଅନୁଯାୟୀ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ଜିଲ୍ଲାପାଳ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଓ ପ୍ରାର୍ଥୀଙ୍କ ସହଯୋଗ କାମନା କରିଥିଲେ । ଏଥି ସହିତ ଉକ୍ତ ବୈଠକରେ ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରଜନୀକାନ୍ତ ସ୍ୱାଇଁ ଉପସ୍ଥିତ ଥିଲେ ।