Letter To Headmaster From Deo

ବିଇଓଙ୍କ ଦସ୍ତଖତକୁ ନିଜେ ମାରିଦେଲେ ପ୍ରଧାନଶିକ୍ଷକ ! ଜାଲିଆତିର ଉତ୍ତର ରଖିବାକୁ ଜିଲ୍ଲାଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ

State

ଆଗରପଡ଼ା :ବ୍ଳକ ଶିକ୍ଷାଧିକାରୀଙ୍କ ଦସ୍ତଖତକୁ ନିଜେ ମାରି ଦେଇ ଜନୈକ କର୍ମଚାରୀଙ୍କୁ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଛି ଆଗରପଡ଼ା କୃଷ୍ଣ ଚରଣ ବିଦ୍ୟା ମନ୍ଦିର ପ୍ରଧାନଶିକ୍ଷକ ଶରତ ଜେନାଙ୍କ ବିରୁଦ୍ଧରେ । ଉକ୍ତ ଅଭିଯୋଗ ହେବା ପରେ ଏହିପରି ଜାଲିଆତିର ଉତ୍ତର ପତ୍ର ପାଇବାର ୩ଦିନ ମଧ୍ୟରେ ରଖିବାକୁ ଆଗରପଡ଼ା କୃଷ୍ଣ ଚରଣ ବିଦ୍ୟାମନ୍ଦିର ପ୍ରଧାନଶିକ୍ଷକ ଶରତ ଯେନାଙ୍କୁ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୫୫୪/୧୧.୦୩.୨୦୨୫ରେ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ସୂଚନା ଅଧିକାର କର୍ମୀ ବିକାଶ ଧଳଙ୍କ ସୂଚନା ଅନୁଯାୟୀ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଧିନସ୍ଥ ଆଗରପଡ଼ା କୃଷ୍ଣ ଚରଣ ବିଦ୍ୟା ମନ୍ଦିରରେ କାର୍ଯ୍ୟରତ କନିଷ୍ଠ ସହାୟକ ସୁଶାନ୍ତ କୁମାର ଦାସ ବର୍ଷ ୨୦୧୯ରୁ ଡ଼େପୁଟେସନରେ ବିଇଓ,ଧାମନଗରରେ କାର୍ଯ୍ୟରତ ଥିଲେ । ନିୟମାନୁସାରେ ତାଙ୍କର ଅନୁପସ୍ଥିତ ବିବୃତି ବିଇଓ,ଧାମନଗରଙ୍କ କାର୍ଯ୍ୟାଳୟରୁ ପଠାଯିବା ପରେ ଶ୍ରୀ ଦାସ ଦରମା ପାଇବା କଥା କିନ୍ତୁ ଉକ୍ତ କାର୍ଯ୍ୟାଳୟରୁ କୌଣସି ବିବୃତ୍ତି ଦିଆଯାଇନଥିବା ସ୍ଥଳେ ପ୍ରଧାନଶିକ୍ଷକ ଶ୍ରୀ ଦାସଙ୍କ ଅଗ୍ରୀମ ଦରମା କରାଇଦେଇଥିବା ଜଣାପଡ଼ିଥିଲା । ଏହା ଜଣାପଡ଼ିବା ପରେ ସୂଚନା ଅଧିକାର ଆଇନ ବଳରେ କୃଷ୍ଣ ଚରଣ ବିଦ୍ୟା ମନ୍ଦିର ଓ ବିଇଓ,ଧାମନଗରଙ୍କୁ ଶ୍ରୀ ଦାସଙ୍କ ଅନୁପସ୍ଥିତ ବିବୃତି ମଗାଯାଇଥିଲା । ପରବର୍ତ୍ତୀ ସମୟରେ ହସ୍ତଗତ ତଥ୍ୟ ଅନୁଯାୟୀ ବିଇଓ,ଧାମନଗର ଦେଇଥିବା ଅନୁପସ୍ଥିତ ବିବୃତି କୁ ଜାଲିଆତି କରି ବିଇଓ,ଧାମନଗରଙ୍କ ଦସ୍ତଖତ ଓ ସେ ମାରିଥିବା ତାରିଖରେ ପ୍ରଧାନଶିକ୍ଷକ ଶ୍ରୀ ଯେନା ହେରଫେର କରିଥିବା ଜଣାପଡ଼ିଥିଲା । ଏହା ଜଣାପଡ଼ିବା ପରେ ଶ୍ରୀ ଧଳ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ତାଙ୍କ ଅଭିଯୋଗକୁ ଗ୍ରହଣ କରି (ପଂଜିକୃତ ସଂଖ୍ୟା ଡ଼ିଏମ୨୦୨୩୩୭୯୦୭୪)ଏହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ଜିଲ୍ଲା ଶିକ୍ଷାଧିକାରୀ ଉକ୍ତ ନିର୍ଦ୍ଦେଶାନୁସାରେ ଆଗରପଡ଼ା କୃଷ୍ଣ ଚରଣ ବିଦ୍ୟା ମନ୍ଦିର ପ୍ରଧାନଶିକ୍ଷକ ଶ୍ରୀ ଯେନାଙ୍କୁ ତାଙ୍କର ଏହିପରି କାର୍ଯ୍ୟର(ଜାଲିଆତି)ଉତ୍ତର ପତ୍ର ପାଇବାର ୩ଦିନ ମଧ୍ୟରେ ରଖିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।