Onn 3

ଟ୍ରେନ ଦୁର୍ଘଟଣା : ଗୁରୁତରଙ୍କୁ ରକ୍ତଦାନ ପାଇଁ ମେଡିକାଲରେ ହଜାର ହଜାର ଯୁବକଙ୍କ ଭିଡ଼

State

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲାର ବାହାନଗାରେ ଶୁକ୍ରବାର ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। \ତେବେ ସ୍ଥିତି ଦେଖିଲେ ମୃତକ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି। ଘଟଣାସ୍ଥଳରେ ଯୁଆଡ଼େ ଦେଖିବ ଖାଲି ଶହ ଶହ ଶବ ଗଦା ହୋଇଛି । ଅନ୍ୟପଟେ ପ୍ରାୟ ୯୦୦ରୁ ଅଧିକ ଲୋକ ଗୁରୁତର ଥିବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରଯାଇଛି ।

ମୃତାହତଙ୍କୁ ହସ୍ପିଟାଲ୍ ନେବାକୁ ଆମ୍ବୁଲାନ୍ସ ଅଭାବ ପଡ଼ିଛି। ସ୍ଥିତି ଏମିତି ଯେ ଟ୍ରାକ୍ଟରରେ ମୃତଦେହ ବୁହା ହେଉଛି। ଏପରିକି ପିକ୍‌ଅପ୍‌ ଭ୍ୟାନ୍‌ ଡାଲାରେ ଲୋଡ୍‌ କରି ମୃତଦେହ ବୁହା ହୋଇଛି। ଏଥିସହ ଆହତଙ୍କୁ ହସ୍ପିଟାଲ୍ ନେବାକୁ ବି ଆମ୍ବଲାନ୍ସ ଯଥେଷ୍ଟ ହୋଇନି। ଏମିତି ସ୍ଥିତିରେ ସ୍ଥାନୀୟ ଲୋକେ ଆଗକୁ ଆସି ଯଥା ସମ୍ଭବ ଉଦ୍ଧାରକାର୍ଯ୍ୟରେ ସହାୟତା କରିଛନ୍ତି.ଲୋକେ ନିଜ ବାକଇ୍‌ରେ ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଛନ୍ତି। ସ୍ଥାନୀୟ ହସ୍ପିଟାଲରେ ଆଉ ଯାଗା ନଥିବା ବେଳେ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ଗୁରୁତରଙ୍କୁ ଭର୍ତ୍ତି କରାଯାଇଛି । ଅନ୍ୟ ଗୁରୁତର ଆହତଙ୍କୁ କଟକ ଏସ୍‌ସିବି ସ୍ଥାନାନ୍ତର କରାଯାଇଛି । କଟକରେ ୩୪ ଜଣ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ଜଣ ହେଉଛନ୍ତି ରାଜ୍ୟ ବାହାରର ।

ଟ୍ରେନ ଦୁର୍ଘଟଣା ହେବା ପରେ ଗତକାଲି ରାତି ଠାରୁ ଏବେ ଯାଏଁ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଏହାରି ଭିତରେ ସବୁଠାରୁ ବଡ଼ କଥା ହେଲା ଗୁରୁତରଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ସ୍ଥାନୀୟ ଲୋକ ସ୍ୱତଃପୁତ ଭାବେ ମେଡିକାଲରେ ପହଞ୍ଚିଛନ୍ତି । ବାଲେଶ୍ୱର ଭଦ୍ରକ ଆଦି ଜିଲ୍ଲାରୁ ହଜାର ହଜାର ଯୁବକ ମେଡିକାଲ ଗୁଡ଼ିକରେ ପହଞ୍ଚି ରକ୍ତଦାନ କରିବାକୁ ବି ପ୍ରସ୍ତୁତ ଅଛନ୍ତି । ଏମିତିକି କିଛି ଯୁବକ ଗୁରୁତରଙ୍କୁ ଷ୍ଟ୍ରେଚରରେ ବୋହିବାରେ ମଧ୍ୟ ସହଯୋଗ୍ କରୁଛନ୍ତି । କେଉଁ ରୋଗୀର କ’ଣ ଆବଶ୍ୟକ ତାହା ବୁଝିବା ସହ ତୁରନ୍ତ ଆବଶ୍ୟକୀୟ ସାମଗ୍ରୀ ମଧ୍ୟ ଯୋଗାଇ ଦେଉଛନ୍ତି ।

ଏସବୁ ଭିତରେ ସକାଳ ୮ଟାରେ ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ସମୀକ୍ଷା କରିବେ । ଗତକାଲି ମୁଖ୍ୟମନ୍ତ୍ରୀ ଏହି ଦୁର୍ଘଟଣାକୁ ନେଇ କହିଥିଲେ ଯେ, ଆମ ପାଇଁ ଉଦ୍ଧାରକାର୍ଯ୍ୟ ସବୁଠୁ ବଡ ପ୍ରାଥମିକତା । ସେହିଭଳି ଏହି ଘଟଣାରେ ପାଖାପାଖି ୯୦୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ୭ଟି ସ୍ପେଶାଲିଟି ହସ୍ପିଟାଲ ପ୍ରସ୍ତୁତ ରହିଛି । ଅନ୍ୟପଟେ ଆଜି ସାରା ରାଜ୍ୟରେ ଶୋକ ପାଳନ କରାଯିବ । ଦିନିକିଆ ଶୋକ ପାଳନ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।