Photo2 For The News Of Subhadra

ସୁଭଦ୍ରା ଟଙ୍କାକୁ ନେଇ ଆଶା ଓ ଆଶଙ୍କାରେ ମହିଳା, ଟଙ୍କା ପାଇଁ ବ୍ୟାଙ୍କ ଆଗରେ ନାହିଁ ନଥିବା ଭିଡ଼

State

ଆଗରପଡ଼ା : ଗତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାପରେ ରାଜ୍ୟ ସରକାର ଉକ୍ତ ଯୋଜନାରେ ମହିଳାମାନଙ୍କ ବ୍ୟାଙ୍କ ଖାତାକୁ ୫ହଜାର ଟଙ୍କା ପଠାଇବା ପରେ ୨ଦିନ ହେବ ବନ୍ତ ବ୍ଳକରେ ଥିବା ବିଭିନ୍ନ ବ୍ୟାଙ୍କରେ ମହିଳାମାନଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହେଉଛି । କିଛି ମହିଳା ଏହି ଟଙ୍କାକୁ ଉଠାଇବା ପାଇଁ ବ୍ୟଗ୍ର ହେଉଥିବା ବେଳେ କିଛି ମହିଳା ତାଙ୍କ ବ୍ୟାଙ୍କ ଖାତାକୁ କାହିଁକି ଟଙ୍କା ଆସିନି,ମୋବାଲକୁ ମେସେଜ କେଉଁ କାରଣରୁ ଆସିନି ତାର ଅନୁସନ୍ଧାନ କରିବା ପାଇଁ ବ୍ୟସ୍ତ । ଯେଉଁ ମାନଙ୍କର ଜମା ଖାତାକୁ ଟଙ୍କା ଆସିନି ସେମାନେ ବ୍ୟାଙ୍କରେ ଇ-କେୱାଇସି କରିବା ପାଇଁ ଲମ୍ବା ଲାଇନରେ ଠିଆ ହୋଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସୁଭଦ୍ରାକୁ ନେଇ ଯେତେ ବିଜ୍ଞପ୍ତି ପ୍ରକାଶ ପାଇଲେ ସୁଦ୍ଧା ମହିଳାମାନେ ବୁଝିବାକୁ ନାରାଜ । କେଉଁ କାରଣରୁ ତାଙ୍କ ଜମା ଖାତାକୁ ଟଙ୍କା ଆସିଲାନି ତାର ସଠିକ୍ ଉତ୍ତର ସେମାନେ ଖୋଜି ପାଇବାରେ ଅସମର୍ଥ ହେଉଥିବାରୁ ବ୍ୟାଙ୍କରେ ଭିଡ଼ ଲଗାଉଥିବାର ଜଣାପଡ଼ିଛି । ସୁଭଦ୍ରା ରାଶି ପାଇଁ ଭିଡ଼ ବ୍ୟାଙ୍କରେ ସାଧାରଣ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବାର ପରିଲକ୍ଷିତ ହେଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବା ଏବଂ ପ୍ରତମ କିସ୍ତି ଆବେଦନ କରିଥିବା ବା କରୁ୍‌ଥିବା ସମସ୍ତ ମହିଳା ପର୍ଯ୍ୟାୟ କ୍ରମେ ପାଇବେ ବୋଲି ଘୋଷଣା କରିଥିଲେ ମଧ୍ୟ ପାଇବାର ଆଶା ଓ ଆଶଙ୍କା ମହିଳାକୁ ବିବ୍ରତ୍ତ କରୁଥିବା ପରିଲକ୍ଷିତ ହେଉଛି । ତେଣୁ ସରକାର ସୁଭଦ୍ରା ଯୋଜନା ବିଷୟରେ ସଚେତନା ବାର୍ତ୍ତାକୁ ବହୁଳ ଭାବରେ ପ୍ରସାରିତ କରିବାକୁ ଚେଷ୍ଟିତ ହେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

Photo1 For The News Of Subhadra