Col Mbj

ବନ୍ୟା ପରିସ୍ଥିତି ମୁକାବିଲା ଓ ଆବଶ୍ୟକୀୟ ସମାଧାନ ପାଇଁ ଜିଲ୍ଲାପାଳ ଦେଲେ ନିର୍ଦ୍ଦେଶ

State

ବନ୍ୟା ପରିସ୍ଥିତି ଉପୁଜୁଥିବା ସ୍ଥାନ ମାନଙ୍କରୁ ତୁରନ୍ତ ଜନଜୀବନ ସ୍ଥାନାନ୍ତରଣ; ଆବଶ୍ୟକ ସ୍ଥଳେ ସ୍କୁଲ, କଲେଜ ଛୁଟି: ଜିଲ୍ଲାପାଳ

ବାରିପଦା:  ବିଗତ କିଛି ଦିନ ଧରି ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗିରହିବା ଫଳରେ, ସ୍ଥାନୀୟ ନଦୀ ମାନଙ୍କର ଜଳସ୍ତର ବଢ଼ିବାରେ ଲାଗିଛି ଏବଂ ବିଭନ୍ନ ଅଂଚଳରେ ବନ୍ୟା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ଏହିପରି ପରିସ୍ଥିତିର ତୁରନ୍ତ ସମାଧାନ ପାଇଁ ସ୍ୱତନ୍ତ୍ର ରିଲିଫ କମିଶନ ଙ୍କ ସତର୍କ ସୂଚନା ଅନ୍ତର୍ଭୁକ୍ତ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ପରିପ୍ରେକ୍ଷୀରେ, ମୟୂରଭଞ୍ଜ ଜିଲ୍ଲାର, ବିଶେଷ କରି ଶିମିଳିପାଳ ଅଂଚଳ ଗୁଡିକରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିରୁ ରକ୍ଷା ପାଇବା ଏବଂ ବନ୍ୟା ହେଉଥିବା ସ୍ଥାନ ଗୁଡିକରୁ କିଭଳି ଜନଜୀବନ ଉଦ୍ଧାର କରିହେବ ସେ ନେଇ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ଜରୁରୀକାଳୀନ ଦାୟିତ୍ୱ ଦେଇଛନ୍ତି। ଏଥି ନିମନ୍ତେ, ସମସ୍ତ ଜନସାଧାରଣଙ୍କ ପାଇଁ ଜରୁରୀକାଳୀନ ଫୋନ ନମ୍ବର ଜାରି କରାଯାଇଛି: ୦୬୭୨୯୨-୨୫୨୭୫୯, ୨୫୨୯୪୧, ଟୋଲ ଫ୍ରି ନମ୍ବର: ୧୦୭୭। ସୂଚନାନୁସାରେ, ଜିଲ୍ଲାର ୬ଟି ବ୍ଲକରେ ୧୦୦ ମି.ମି. ରୁ ଅଧିକ ବର୍ଷା ହୋଇଥିବାର ରେକର୍ଡ କରାଯାଇଥିବା ବେଳେ ଏହାର ମାତ୍ରା ଆଗକୁ ବଢିବା ନେଇ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କର ଯାଉଛି। ତେଣୁ ଏହି ପରି ବିପର୍ଯ୍ୟୟ ପରିସ୍ଥିତିକୁ ସାମ୍ନା କରିବା ପାଇଁ, ଜିଲ୍ଲାପାଳ ସମସ୍ତ ଉପଜିଲ୍ଲାପାଳଙ୍କ ଅଧୀନରେ ଥିବା ଉପଖଣ୍ଡ ଗୁଡିକ ଦେଇ ପ୍ରବାହିତ ନଦୀ ଗୁଡିକର ଜଳସ୍ତର ଅନୁଧ୍ୟାନ କରିବାପାଇଁ କହିଛନ୍ତି ଏବଂ ଆବଶ୍ୟକ ସ୍ଥଳେ ଅଧିକ ବୃଷ୍ଟିପାତ ହେଉଥିବା ସ୍କୁଲ କଲେଜ ଗୁଡିକୁ ବନ୍ୟା ପରିସ୍ଥିତି ନ ସୁଧୁରିବା ଯାଏଁ ସାମୟିକ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶିମିଳିପାଳରେ ଯେଉଁ ଅଂଚଳରେ ଭୂସ୍ଖଳନ ହେବାର ସମ୍ଭାବନା ଅଛି ସେ ସ୍ଥାନ ମାନଙ୍କରୁ ଲୋକ ମାନଙ୍କୁ ସ୍ଥାନାନ୍ତରଣ କରି ସୁରକ୍ଷିତ ସ୍ଥାନ ମାନଙ୍କୁ ନେଇଯିବାକୁ ଏବଂ ଡ଼ାକବାଜି ଯନ୍ତ୍ର ଦ୍ୱାରା ସମସ୍ତ ଜନସାଧାରଣଙ୍କୁ ସତର୍କ ସୂଚନା ପ୍ରଦାନ କରିବାକୁ ମଧ୍ୟ ଜିଲ୍ଲାପାଳ ଆଦେଶ ଦେଇଛନ୍ତି। ଶିମିଳିପାଳ ଅଂଚଳର ସମସ୍ତ ବିପଦ ସଂକୁଳ ପଂଚାୟତ ଗୁଡିକରେ ବନ ବିଭାଗର କର୍ମଚାରୀ ମାନେ ଜାଗ୍ରତ ରହିବା ଏବଂ ସମସ୍ତ ଆବଶ୍ୟକ ସ୍ଥଳ ମାନଙ୍କରେ ଉଦ୍ଧାର ଓ ସ୍ଥାନାନ୍ତର କାର୍ଯ୍ୟରେ ସହାୟତା ନିମନ୍ତେ ସମସ୍ତ ଅଗ୍ନିଶମ କେନ୍ଦ୍ରର କର୍ମକର୍ତ୍ତା ମାନେ ପ୍ରସ୍ତୁତ ରହିବେ ବୋଲି, ଶିମିଳିପାଳ ବନଖଣ୍ଡ ଉପ-ନିର୍ଦ୍ଦେଶକ, ଶ୍ରୀ ସାଇ କିରଣ କହିଛନ୍ତି। ବନ୍ୟାଞ୍ଚଳର ନିକଟସ୍ଥ ସମସ୍ତ ବିଡ଼ିଓ, ତହସିଲଦାର, ରାଜସ୍ବ ନିରୀକ୍ଷକ ଓ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ନିର୍ବାହୀ ଅଧିକାରୀଙ୍କୁ ବିପର୍ଯ୍ୟୟ ପ୍ରବଣ ଗ୍ରାମ ଓ ବାସସ୍ଥାନ ପାଇଁ ସ୍ଥାନାନ୍ତର ଯୋଜନା ପ୍ରସ୍ତୁତ କରିବା ପାଇଁ ଆଦେଶ ଦିଆଯାଇଛି । ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ପର୍ଯ୍ୟାପ୍ତ ଜଳ ଯୋଗାଣ, ଆଲୋକୀକରଣ, ପରିମଳ ବ୍ୟବସ୍ଥା ଏବଂ ମୌଳିକ ସୁବିଧା ଉପଲବ୍ଧ କରାଯିବ। ଶୁଖିଲା ଖାଦ୍ୟ ଓ ଶିଶୁ ଖାଦ୍ୟ ସମେତ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ ରଖିବା ପାଇଁ ବ୍ୟବସ୍ଥା କରାଯିବ। ପ୍ରଭାବିତ ଅଞ୍ଚଳଗୁଡିକରେ ନିରାପଦ ପାନୀୟ ଜଳ, ଔଷଧ, ଗୋଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରାଯିବା ପାଇଁ ଆଦେଶ ଦିଆଯାଇଛି। ପ୍ରକାଶ ଥାଉକି, ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସହ ରାଜ୍ୟ ଉପରେ ମୌସୁମୀ ଟ୍ରପ୍‌‌ ଲାଇନ୍‌‌ ସକ୍ରିୟ ରହିଛି। ଯାହା ପ୍ରଭାବରେ ଆଗାମୀ ୨ ଦିନ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆକଳନ ମଧ୍ୟ କରାଯାଇଛି।