School 1724943113

ମୟୂରଭଞ୍ଜରେ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଆଭାସୀ ମାଧ୍ୟମରେ ସମୀକ୍ଷା ବୈଠକ

State

ସମ୍ଭାବିତ ପ୍ରକୃତିକ ବିପର୍ଯ୍ୟୟର ସାମ୍ନା କରିବା ଏବଂ ସମସ୍ତ ଆବଶ୍ୟକୀୟ କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ଦେଲେ ନିର୍ଦ୍ଦେଶ

ବାରିପଦା: ଆସନ୍ତା କାଲି (୧୪) ଓ ୧୫ ତାରିଖ ପାଇଁ ମୟୂରଭଞ୍ଜ ଜିଲ୍ଲା ସମେତ ଅନ୍ୟାନ୍ୟ ଉତ୍ତର ଓଡ଼ିଶାର ଜିଲ୍ଲା ପାଇଁ ଜାରି କରାଯାଇଥିବା ସମ୍ଭାବ୍ୟ ବର୍ଷା ଓ ବନ୍ୟା ସତର୍କକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି I ପ୍ରାପ୍ତ ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ପୂର୍ବ-ଉତ୍ତର ବଙ୍ଗୋପସାଗର, ଦକ୍ଷିଣ ପୂର୍ବ ବାଂଲାଦେଶ ଓ ଏହାର ଆଖପାଖ ଉପକୂଳ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି।ଏହାର ପ୍ରଭାବରେ ଆଗାମୀ ୨ ଦିନ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଏଥି ନିମନ୍ତେ, ସମ୍ବେଦନଶିଳ ତହସିଲ, ବ୍ଲକ ଏବଂ ଗ୍ରାମ ପଂଚାୟତ ଯଥା ବଡ଼ସାହି, ବେତନଟୀ, ମାଣତ୍ରୀ ପଂଚାୟତ, ଖୁଣ୍ଟା, ରାସଗୋବିନ୍ଦପୁର, କପ୍ତିପଦା ଅଂଚଳର ବିଭିନ୍ନ ସ୍ଥାନ ପାଇଁ ଜିଲ୍ଲା ପ୍ରଶାସନ ପର୍ଯ୍ୟାପ୍ତ ପରିମାଣରେ ପୂର୍ବ ବ୍ୟବସ୍ଥା କରିଥିବା ବେଳେ ଶିମିଳିପାଳ ଅଂଚଳରେ ମଧ୍ୟ ସମସ୍ତ ଜରୁରୀକାଳୀନ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସମ୍ଭାବିତ ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସମସ୍ତ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଆବଶ୍ୟକ ସ୍ଥଳେ ସ୍କୁଲ ଏବଂ କଲେଜ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇପାରେ ବୋଲି ପ୍ରଶାସନ ସୂଚିତ କରିଛନ୍ତି ।

ଆବଶ୍ୟକସ୍ଥଳେ ଉଦ୍ଧାର ଓ ସ୍ଥାନାନ୍ତର କାର୍ଯ୍ୟରେ ସହାୟତା ନିମନ୍ତେ ସମସ୍ତ ଅଗ୍ନିଶମ କେନ୍ଦ୍ର ପ୍ରସ୍ତୁତ ରହିବେ। ସମସ୍ତ ବିଡ଼ିଓ, ତହସିଲଦାର, ରାଜସ୍ବ ନିରୀକ୍ଷକ ଓ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ନିର୍ବାହୀ ଅଧିକାରୀଙ୍କୁ ବିପର୍ଯ୍ୟୟ ପ୍ରବଣ ଗ୍ରାମ ଓ ବାସସ୍ଥାନ ପାଇଁ ସ୍ଥାନାନ୍ତର ଯୋଜନା ପ୍ରସ୍ତୁତ କରିବା ପାଇଁ ଆଦେଶ ଦିଆଯାଇଛି । ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ପର୍ଯ୍ୟାପ୍ତ ଜଳ ଯୋଗାଣ, ଆଲୋକୀକରଣ, ପରିମଳ ବ୍ୟବସ୍ଥା ଏବଂ ମୌଳିକ ସୁବିଧା ଉପଲବ୍ଧ କରାଯିବ। ଶୁଖିଲା ଖାଦ୍ୟ ଓ ଶିଶୁ ଖାଦ୍ୟ ସମେତ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ ରଖିବା ପାଇଁ ବ୍ୟବସ୍ଥା କରାଯିବ। ପ୍ରଭାବିତ ଅଞ୍ଚଳଗୁଡିକରେ ନିରାପଦ ପାନୀୟ ଜଳ, ଔଷଧ, ଗୋଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରାଯିବା ପାଇଁ ଆଦେଶ ଦିଆଯାଇଛି। ବୈଠକରେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଏବଂ ଉଦ୍ଧାର କାର୍ଯ୍ୟରେ ପିଆରଆଇ ସଦସ୍ୟ, ସ୍ୱେଚ୍ଛାସେବୀ ଏବଂ ଗୋଷ୍ଠୀ ସ୍ୱେଚ୍ଛାସେବୀଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥି ସହିତ କୌଣସି ଜରୁରୀକାଳୀନ ଅଧିକାରୀ ଏବଂ କର୍ମଚାରୀଙ୍କୁ କାର୍ଯ୍ୟ ମୁଖ୍ୟାଳୟ ନ ଛାଡ଼ିବା ପାଇଁ ମଧ୍ୟ ଜିଲ୍ଲାପାଳ ଆଦେଶ ଦେଇଛନ୍ତି।

ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଆୟୋଜିତ ଏହି ବୈଠକରେ, ଶିମିଳିପାଳ ବନଖଣ୍ଡ ଉପନିର୍ଦ୍ଦେଶକ ଶ୍ରୀ ସାଇ କିରଣ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ସମସ୍ତ ଉପଜିଲ୍ଲାପାଳ, ଜିଲ୍ଲା ଜରୁରୀକାଳୀନ ଅଧିକାରିଣୀ ସୁଶ୍ରୀ ଶ୍ରଦ୍ଧା ସୁମନ, ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ, ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଂଚଳ ପରିଷଦର ନିର୍ବାହୀ ଅଧିକାରୀ, ତହସିଲଦାର ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।