ଭୁବନେଶ୍ୱର: ଜଣା ପଡ଼ିବ ସବୁ ସତ। ବହୁ ବିବାଦିତ ଭାରତପୁର ଥାନା ଘଟଣାରେ ପରିଶେଷରେ ଭିଡ଼ିଓ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦିଆଯିବା ଘଟଣାରେ କ୍ରାଇମବ୍ରାଞ୍ଚ ବୁଧବାର ତଦନ୍ତ କମିସନ ଚିତ୍ତ ରଞ୍ଜନ ଦାଶଙ୍କ ନିକଟରେ ସମ୍ପୂର୍ଣ୍ଣ ଘଟଣାର ଭିଡ଼ିଓ ଓ ସମସ୍ତ ଦସ୍ତାବିଜ ଦାଖଲ କରିଛି। ସେଦିନ ରାତିରେ ବାସ୍ତବରେ ଥାନାରେ କ’ଣ ଘଟିଥିଲା, ପୁରା ଘଟଣାରେ ସତ କିଏ କହିଛି, ସମସ୍ତ ଦୃଶ୍ୟ ଉକ୍ତ ଭିଡ଼ିଓରେ ରହିଛି। ତେବେ ଉକ୍ତ ଭିଡ଼ିଓଟିକୁ ଯାଞ୍ଚ କରି ଷ୍ଟେଟ ଫରେନସିକ ଲ୍ୟାବ୍ ସଠିକ ବୋଲି ଦର୍ଶାଇଛି।
ତେବେ ଗତକାଲି ତଦନ୍ତ କମିଶନରଙ୍କ ପାଖରେ ସମସ୍ତ ପ୍ରମାଣ ଦାଖଲ ହୋଇଥିବା ବେଳେ ଆସନ୍ତା ୨୨ରେ ଏନେଇ ପରବର୍ତ୍ତୀ ଶୁଣାଣି ହେବ ବୋଲି ସ୍ଥିର କରାଯାଇଛି। ତେବେ ଗତ ନିର୍ଦ୍ଧାରିତ ତାରିଖରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଦସ୍ତାବିଜ ଦାଖଲ ହୋଇନଥିବାରୁ ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଥିଲା।
ତେବେ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୨୨ରେ ଉଭୟ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ପକ୍ଷ ଓକିଲ ଜେରା କରିବେ। ଏହା ଆସନ୍ତା ୨୨, ୨୩ ଓ ୨୪ତାରିଖ ଯାଏ ଚାଲିବା । ଏନେଇ କମିସନଙ୍କ ପକ୍ଷରୁ ସେମାନଙ୍କୁ ସମନ କରାଯାଇଛି। କମିସନଙ୍କ ଉପସ୍ଥିତିରେ ପ୍ରଥମେ ସେନା ଅଧିକାରୀ ଓ ପରେ ତାଙ୍କ ବାନ୍ଧବୀଙ୍କୁ ଜେରା କରାଯିବ। ତେବେ ଯଦି ସେନା ଅଧିକାରୀଙ୍କ ଓକିଲ ପୋଲିସ ପକ୍ଷର କାହାକୁ ଜେରା କରିବାକୁ ଚାହିଁବେ ତେବେ ସେମାନେ ସେହିଦିନ କମିଶନଙ୍କୁ ଲିଖିତ ଜଣାଇବେ। ସେନେଇ ପୋଲିସ୍ ପକ୍ଷଙ୍କୁ ସାକ୍ଷ୍ୟ ଗ୍ରହଣ ପାଇଁ କମିଶନଙ୍କ ପକ୍ଷରୁ ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରାଯିବା।