1676646825 National Green Tribunal

ମୟୂରଭଞ୍ଜ ଜିଲ୍ଲାରେ ଖଣିଜ ଦ୍ରବ୍ୟ ଉତ୍ତୋଳନ ଉପରେ ରୋକ ଲଗାଇଲେ ଜାତୀୟ ଗ୍ରୀନ ଟ୍ରୀବ୍ୟୁନାଲ (NGT)

State

ବାରିପଦା:  lମୟୂରଭଞ୍ଜ ଜିଲ୍ଲାର ବେତନଟୀ ତହସିଲ ଅନ୍ତର୍ଗତ ବୁଢାବଳଙ୍ଗ ବାଲିଶଯ୍ୟା-୧ର ଉତ୍ସକୁ ୫ବର୍ଷ ଲିଜ୍ ଦେବାପାଇଁ ପ୍ରକାଶିତ ୨୦ଜୁନ ୨୦୨୪ ର ବିଜ୍ଞପ୍ତିକୁ ବିରୋଧ କରି ପରିବେଶବିତ ବିବେକାନନ୍ଦ ପଟନାୟକଙ୍କ ଜାତୀୟ ଗ୍ରୀନ ଟ୍ରୀବ୍ୟୁନାଲ (ଏନଜିଟି) ରେ ମାମଲା ଦାୟର କରିଥିଲେ । ମାମଲାର ବିବରଣୀରୁ ପ୍ରକାଶ ଯେ ୪.୯୮ହେକ୍ଟର ଅଞ୍ଚଳ ବିଶିଷ୍ଟ ବୁଢାବଳଙ୍ଗ ବାଲିଶଯ୍ୟା-୧ ବେତନଟୀ ତହସିଲ ଅନ୍ତର୍ଗତ ବେଲାଣପୁରା , ମଧୁଦଣ୍ଡା ଓ ଡେଁଫୌଦା ବାଲି ସୌରାତ କୁ ୫ବର୍ଷ ପାଇଁ ନିଲାମ ଲାଗି ୨୦୨୪ ଜୁନ୨୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜ୍ଞପ୍ତି ରେ ଏହି ଉତ୍ସ ୫ହେକ୍ଟର ରୁ କମ ବୋଲି ଉଲ୍ଲେଖ କରାଯାଇଥିଲା । ଅନ୍ତରିଣ ଜିଲ୍ଲା ସର୍ଭେ ରିପୋର୍ଟ (DSR)ରେ ଏହା ୫.୦୧ହେକ୍ଟର ବୋଲି ଉଲ୍ଲେଖ ରହିଛି । ଇତି ମଧ୍ୟରେ ସଂଶୋଧିତ ଜିଲ୍ଲା ସର୍ଭେ ରିପୋର୍ଟ ମୟୂରଭଞ୍ଜ ଜିଲ୍ଲାପାଳ ଉପସ୍ଥାପନ କରିଥିବା ବେଳେ ଏସଇଆଇଏଏ ମଧ୍ୟ ଏହି ପ୍ରସଙ୍ଗରେ ଅନୁମୋଦନ ଦେଇନାହାଁନ୍ତି ବୋଲି ଦର୍ଶାଇ ଜାତୀୟ ଗ୍ରୀନ ଟ୍ରୀବ୍ୟୁନାଲରେ ମାମଲା ରୁଜୁ କରାଯାଇଥିଲା । ଖଣିଜ ଲିଜ୍ ପୂର୍ବରୁ ଡିଏସଆର ବାଧ୍ୟତାମୂଳକ ଓ ଡିଏସଆର ର ଅନୁପସ୍ଥିତି ରେ ଜୁନ୨୦ରେ ପ୍ରକାଶିତ ନିଲାମ ନୋଟିସ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଯାଇଥିଲା । ଅଗଷ୍ଟ ୮ତାରିଖ ୨୦୨୪ ରେ ଏହି ମାମଲାର ଶୁଣାଣି ଜୁଡିସିଆଲ ସେକ୍ସନ ଜଷ୍ଟିସ ବି. ଷ୍ଟାଲକର ଏବଂ ଏକ୍ସପୋର୍ଟ ମେମ୍ବର ଅରୁଣ କୁମାର ବର୍ମାଙ୍କ ଖଣ୍ଡପୀଠ ରେ ହୋଇଥିଲା । ଏହି ମାମଲାର ଶୁଣାଣି କରି ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଲଘୁଖଣିଜ ପଦାର୍ଥ ଉତ୍ତୋଳନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ମାମଲାର ପରିଚାଳନା କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପରିବେଶବିତ ବିବେକାନନ୍ଦ ପଟ୍ଟନାୟକ ପୂର୍ବରୁ ୨୨/୪/୨୦୨୨ରେ ଜାତୀୟ ଗ୍ରୀନ ଟ୍ରୀବ୍ୟୁନାଲ ରେ (ଏନଜିଟି) ର ଦ୍ବାରସ୍ଥ ହୋଇଥିଲେ ଏବଂ ୨୦୨୨ ଅଗଷ୍ଟ ୨୬ରେ ଏନଜିଟି ସେହି ମାମଲାର ଚୁଡାନ୍ତ ରାୟ ପ୍ରକାଶ କରି “ରାଜ୍ୟ ପରିବେଶ ପ୍ରଭାବ ଆକଳନ ” କର୍ତ୍ତୃପକ୍ଷ କମିଟିର ଚୁଡାନ୍ତ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଉକ୍ତ ନିର୍ଦ୍ଦେଶନାମାରେ ଦିର୍ଘ ୨ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ଅନ୍ତରିଣ ଜିଲ୍ଲା ସର୍ଭେ ରିପୋର୍ଟ କୁ କିଭଳି ଭାବରେ କାର୍ଯ୍ୟକାରୀ କରି “ରାଜ୍ୟ ପରିବେଶ ପ୍ରଭାବ ଆକଳନ ” କର୍ତ୍ତୃପକ୍ଷଙ୍କ ନିକଟରୁ ଅନୁମୋଦନ କରାଯାଇ କାର୍ଯ୍ୟକ୍ଷମ କରାଯିବା ସମ୍ବନ୍ଧରେ ବିଶେଷ ପଦକ୍ଷେପ ନିଆଯାଇଥିବା ଜଣାପଡୁନାହିଁ । ଅଗଷ୍ଟ ୮ତାରିଖରେ ଜାତୀୟ ଗ୍ରୀନ ଟ୍ରୀବ୍ୟୁନାଲ ର ରାୟ ମୟୂରଭଞ୍ଜ ଜିଲ୍ଲାରେ ଲଘୁଖଣିଜ ଦ୍ରବ୍ୟ ଉତ୍ତୋଳନ କୁ ଘୋର ଅନିଶ୍ଚିତତା ମଧ୍ୟକୁ ଟାଣି ନେଇଛି । ଜିଲ୍ଲାର କାର୍ଯ୍ୟ କରାଯାଇଥିବା ଅନେକ ପ୍ରକଳ୍ପ ମଧ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟି କରିଛି ।