Img 20240913 Wa0169

ମୟୂରଭଞ୍ଜରେ ବାର୍ଡ଼ ଫ୍ଲୁ ରୋଗକୁ ନେଇ ଭୟଭୀତ ନ ହେବା ପାଇଁ ଜିଲ୍ଲା ପ୍ରଶାସନ କଲା ନିବେଦନ

State

ଜିଲ୍ଲାରେ ବାର୍ଡ଼ ଫ୍ଲୁ ସଂକ୍ରମଣର କୌଣସି ଆଶଙ୍କା ନାହିଁ; ପ୍ରାଣୀ ଚିକିତ୍ସା ବିଭାଗ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା କରିଛି: ଜିଲ୍ଲାପାଳ

ମଣିଷଙ୍କୁ ବାର୍ଡ଼ ଫ୍ଲୁ ସଂକ୍ରମଣ ହେବାର ସମ୍ଭାବନା ବହୁତ କମ; ପ୍ରଶାସନ ପକ୍ଷରୁ ଉପଯୁକ୍ତ ସଚେତନତା କରାଯାଉଛି

ବାରିପଦା:  ପୁରୀ ଏବଂ କେନ୍ଦ୍ରାପଡା ଜିଲ୍ଲାରେ ଦିନକୁ ଦିନ ବାର୍ଡ଼ ଫ୍ଲୁ ରୋଗର ସଂକ୍ରମଣ ବଢୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ଏହି ରୋଗର ସଂକ୍ରମଣ ନ ହେବା ଏବଂ ମାନବ ଜୀବନକୁ ଏହି ରୋଗର ବ୍ୟାପକତା ସ୍ପର୍ଶ ନକରିବା ପାଇଁ ଜିଲ୍ଲା ପ୍ରଶାସନ ଯଥୋଚିତ ପଦକ୍ଷେପ ନେବା ଆରମ୍ଭ କରିଛି ।ଏଥିନିମନ୍ତେ ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ, ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଏହି ବୈଠକରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ କଳ୍ପତରୁ ସ୍ୱାଇଁ ଉପସ୍ଥିତ ରହି, ଜିଲ୍ଲାରେ ବାର୍ଡ଼ ଫ୍ଲୁ ସଂକ୍ରମଣ ଅବରୋଧନ ପାଇଁ ଯାଇଥିବା ସମସ୍ତ କାର୍ଯ୍ୟପନ୍ଥା ଓ ପଦକ୍ଷେପ ମାନ ବିଷୟରେ କହିଥିବା ବେଳେ ଜିଲ୍ଲାପାଳ ଏହି ବିଷୟକୁ ଗମ୍ଭୀର ଭାବରେ ନେବା ପାଇଁ ସମସ୍ତ ଜିଲ୍ଲା ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ଡଃ ସ୍ୱାଇଁଙ୍କ ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲାରେ ଏହି ରୋଗର ସଂକ୍ରମଣ ଏପର୍ଯ୍ୟନ୍ତ ଦେଖା ଯାଇନାହିଁ ଏବଂ କୌଣସି ପ୍ରକାରର ମାଂସ ପାଇଁ ପକ୍ଷୀ ବାହ୍ୟ ଆମଦାନୀ ରପ୍ତାନି ଉପରେ ପ୍ରତିବନ୍ଧକ ଲଗା ଯାଇଛି । ଜିଲ୍ଲାରେ ଏହି ବାର୍ଡ଼ ଫ୍ଲୁ ସଂକ୍ରମଣର ଯାଞ୍ଚ ଏବଂ ପ୍ରତିଷେଧକ ପାଇଁ ୨୬ଟି ବ୍ଲକ ପାଇଁ ୨୬ଟି (ଦ୍ରୁତ ପ୍ରତିକ୍ରିୟା ଦଳ) ବା ରା଼ପିଡ଼ ରେସ୍ପନ୍ସ ଫୋର୍ସ ଓ ୬ ଜଣ ଲେଖାଏଁ ଦଳ ଗଠନ କରାଯାଇଛି । ବିଶେଷ ସୂଚନା ଥାଉକି, ମଣିଷ ଶରୀରରେ ବାର୍ଡ ଫ୍ଲୁ ନେଇ ଆତଙ୍କିତ ନ ହେବା ପାଇଁ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ରାଜ୍ୟ ସରକାର ମଧ୍ୟ ପରାମର୍ଶ ଦେଇଛନ୍ତି।

ଅନ୍ୟପଟେ ଜିଲ୍ଲାରେ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ଆଶା କର୍ମୀ ଓ ସମ୍ଭାବିତ ସଂକ୍ରମିତ ବାର୍ଡ ଫ୍ଲୁ ଅଞ୍ଚଳରେ ଜନସାଧାରଣଙ୍କୁ ଭେଟି ସଚେତନ କରୁଛନ୍ତି । ଏଥିସହିତ ଜ୍ଵର, କାଶ, ଥଣ୍ଡା ରୋଗୀଙ୍କୁ ଚିହ୍ନଟ କରି ସେମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବା ପାଇଁ ପରାମର୍ଶ ମଧ୍ୟ ଦେଉଛନ୍ତି । ଜିଲ୍ଲାର ପ୍ରାୟ ସମସ୍ତ ଗ୍ରାମରେ ଆଶାକର୍ମୀ ବୁଲି ସଚେତନ କରାଉଛନ୍ତି। ସେପଟେ ଜିଲ୍ଲାରେ ୩୩୮ରୁ ଉର୍ଦ୍ଧ୍ବ କୁକୁଡ଼ା ଫାର୍ମ ଥିବା ବେଳେ ଏବେ ୨୦ଲକ୍ଷ୍ୟ ରୁ ଉର୍ଦ୍ଧ୍ୱ ବଏଲର କୁକୁଡା ଓ ୨୫ ଲକ୍ଷ୍ୟରୁ ଉର୍ଦ୍ଧ୍ୱ ଦେଶୀ କୁକୁଡ଼ା ଅଛନ୍ତି ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ାକ୍ତର ସ୍ୱାଇଁ ।

ପରିସ୍ଥିତି ଉପରେ ତୀକ୍ଷଣ ଦୃଷ୍ଟି ପ୍ରଶାସନ ରଖିଥିବା ବେଳେ ଜିଲ୍ଲାରେ ଥିବା ୨୩୮୦ଟି କମର୍ସିୟାଲ ଫାର୍ମରେ ସ୍ଥାନୀୟ ଡାକ୍ତରୀ ଦଳ ପହଞ୍ଚି ଫାର୍ମର ସ୍ଥିତି ପରିଖିଛନ୍ତି । ସୂଚନାନୁସାରେ, ମୟୂରଭଞ୍ଜର ବିଭିନ୍ନ ଅଞ୍ଚଳରେ ସେମିତି ଅସୁବିଧା ନ ଥିଲା ବେଳେ ଏବେ ବାର୍ଡ ଫ୍ଲୁ ପରିସ୍ଥିତି ଦେଖାଯାଇ ନାହିଁ । ବର୍ତ୍ତମାନ ବୈଜ୍ଞାନିକ ଦୃଷ୍ଟି କୋଣରୁ ୧୦୦ ଡିଗ୍ରୀ ତାପ ମାତ୍ରା ରୁ ଅଧିକରେ ମାଂସକୁ ସିଝାଇ ଖାଇ ପାରିବେ ମାତ୍ର ଏଭଳି ପରିସ୍ଥିତିରେ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ, ମଲା କିମ୍ବା ରୋଗୀଣ। କୁକୁଡା ଆଦୌ ଖାଆନ୍ତୁ ନାହିଁ ବୋଲି କହିଛନ୍ତି ପ୍ରାଣୀ ଚିକିତ୍ସା ଅଧିକାରୀ ।

ତେବେ ସୂଚନା ଥାଉକି, ବାର୍ଡ଼ ଫ୍ଲୁ ଏକ ଭୁତାଣୁଜନିତ ରୋଗ । ଏଥୁରେ କୁକୁଡା ଆଦି ପକ୍ଷୀମାନେ ବିଶେଷ ଭାବରେ ଆକ୍ରାନ୍ତ ହୋଇଥାନ୍ତି । ବେଳେ ବେଳେ ଦେଖାଯାଏ, ବାର୍ଡଙ୍କୁର ଭୁତାଣୁ ପକ୍ଷୀମାନଙ୍କଠାରୁ ମଣିଷକୁ ସଂକ୍ରମିତ ହେବାର ସମ୍ଭାବନା ଥାଏ । ଏଣୁ କୁକୁଡା ସଂସ୍ପର୍ଶରେ ଆସି ଯଦି କୌଣସି ବ୍ୟକ୍ତି ବା ଶିଶୁଙ୍କର ଜ୍ଵର, ଛିଙ୍କ, କାଶ ଲାଗି ରହେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ମରିଯାଉଥୁବା କାଉ, କୁକୁଡା ଏଣେ ତେଣେ ନ ଫିଙ୍ଗି ମଲା ପକ୍ଷୀକୁ ପୋତି ଦିଅନ୍ତୁ ଦିଅନ୍ତୁ ଓ ଉକ୍ତ ସ୍ଥାନରେ ବ୍ଲିଚିଙ୍ଗ ସିଂଚନ କରନ୍ତୁ ଏବଂ ଏହା କଲା ବେଳେ ପକ୍ଷୀକୁ ଖାଲି ଖାଲି ହାତରେ ନ ଧରି, ହାତରେ ଗ୍ଲୋବ୍ସ ପିନ୍ଧନ୍ତୁ ଏବଂ ମୁହଁରେ ମୁଖା ପିନ୍ଧନ୍ତୁ ।

କୁକୁଡ଼ା ମାଂସ ଓ ଅଣ୍ଡାକୁ ଭଲ ଭାବେ ସିଝାଇ ଖାଆନ୍ତୁ । ୭୦° ସେଲସିୟସ ରୁ ଉର୍ଧ୍ଵ ତାପମାତ୍ରାରେ ୩୦ ମିନିଟ ପର୍ଯ୍ୟନ୍ତ ସିଝାଇଲେ ଏହି ଭୂତାଣୁ ଲୋପପାଇଥାଏ । କୁକୁଡ଼ା ମାଂସ, ଅଣ୍ଡା ଓ ଅନ୍ୟାନ୍ୟ କୁକ୍କୁଟ ଜାତୀୟ ପଦାର୍ଥ ସଂସ୍ପର୍ଶରେ ଆସିଲେ ହାତକୁ ଭଲ ଭାବେ ସାବୁନରେ ଧୁଅନ୍ତୁ । କୌଣସି ସ୍ଥାନରେ ଅସାଭାବିକ ପକ୍ଷୀମୃତ୍ୟୁ ହେଲେ ତୁରନ୍ତ ନିକଟ ପ୍ରାଣି ଚିକିତ୍ସକ କିମ୍ବା ବାର୍ଡ ଫ୍ଲୁ କଣ୍ଟ୍ରୋଲ ରୁମ୍ କୁ ଅବଗତ କରାନ୍ତୁ । ଏଣୁ ଏହି ରୋଗ ପ୍ରତି ଭୟଭୀତ ନହୋ, ବାର୍ଡ ଫ୍ଲୁ ନିୟନ୍ତ୍ରଣ ପାଇଁ ପ୍ରଶାସନକୁ ସହଯୋଗ କରିବାକୁ ଜନସାଧାରଣ ମାନଙ୍କୁ ନିବେଦନ କରିଛନ୍ତି ଜିଲ୍ଲାପାଳ ଶ୍ରୀ ସୟ ।