ଯାଜପୁର : ଯାଜପୁର ବ୍ୟାସନଗର ପୌରପରିଷଦରେ ଆଜି ଅପରାହ୍ନରେ ଶେଷ ହୋଇଛି ଅନାସ୍ଥା ଭୋଟ । ବିଜେଡ଼ି ବିରୋଧରେ ବିଜେଡିର ରଣହୁଙ୍କାର ବ୍ୟାସନଗର ପୌର ପରିଷଦର ଅଧ୍ୟକ୍ଷା ପଦପାଇଁ ମହାଙ୍ଗା ପଡ଼ିଲା । ଅନାସ୍ଥା ଭୋଟରେ ଶାସନ ଗାଦି ହରାଇ ବସିଲେ ପୌରାଧକ୍ଷା ସଂଗୀତା ପିଙ୍ଗୁଆ । ଆଜି ପୌର କାର୍ଯ୍ୟାଳୟର ଅଧ୍ୟକ୍ଷାଙ୍କ ବିରୋଧରେ ଆଗତ ହୋଇଥିଲା ଅନାସ୍ଥା ଭୋଟ ।
ମୋଟ ୨୬ ଜଣଙ୍କ ମଧ୍ୟରୁ ୨୦ ଜଣ କାଉନସିଲର ଅନାସ୍ଥା ସପକ୍ଷରେ ଭୋଟ ଦେଇଥିଲେ । ୧୬ଜଣ ବିଜେଡିରୁ ଏବଂ ୪ଜଣ କଂଗ୍ରେସରୁ ସାମିଲ ହୋଇଥିଲେ । ୪ଜଣ ବିଜେଡ଼ି, ଜଣେ ବିଜେପି ଏବଂ ଅନ୍ୟ ଜଣେ କଂଗ୍ରେସ କାଉନସିଲର ଉପସ୍ଥିତ ନରହି ପ୍ରକାରାନ୍ତରେ ଅଧ୍ୟକ୍ଷାଙ୍କୁ ସମର୍ଥନ ଦେଇଥିଲେ । ତେବେ ଏହା ଦ୍ବାରା ବିଜେଡିର କନ୍ଦଳ ପଦାରେ ପଡ଼ିଛି । ତେବେ ଏହି ଭୋଟ ପ୍ରକ୍ରିୟାରେ ସାମିଲ ହୋଇନଥିଲେ ୬ ଜଣ କାଉନସିଲର ।
ଯେଉଁଥିରେ ୪ ଜଣ ବିଜେଡ଼ି, ଜଣେ ବିଜେପି ଏବଂ ଅନ୍ୟ ଜଣେ କଂଗ୍ରେସ କାଉନସିଲର ଥିଲେ । ଅଧ୍ୟକ୍ଷାଙ୍କ ବିରୋଧରେ ପୁଞ୍ଜିଭୂତ ଅସନ୍ତୋଷ ହିଁ ଏଭଳି ପରିଣାମ ସୃଷ୍ଟି କରିଛି । ତେବେ କିଛି ଅଦୃଶ୍ୟ ଶକ୍ତି ଓ ନ୍ୟସ୍ତ ସ୍ବାର୍ଥ ପାଇଁ ଅଧ୍ୟକ୍ଷାଙ୍କୁ ବିରୋଧ କରାଯାଇଥିବା ସୋସିଆଲ ମିଡିଆରେ କହିଥିଲେ ପୌରଧକ୍ଷ।
ଶ୍ରୀମତୀ ପିଙ୍ଗୁଆ ଅନାସ୍ଥା ବିରୋଧରେ ମାନ୍ୟବର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ଆସନ୍ତା ୧୫ତାରିଖରେ ଏହାର ଶୁଣାଣି ରହିଛି । ଶୁଣାଣି ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏଡିଏମ୍ ତଥା ନିର୍ବାଚନ ଅଧିକାରୀ କହିଛନ୍ତି ।