Photo For The News Of Road

ମରଣଯନ୍ତା ପାଲଟିଛି ଆଗରପଡ଼ା-ବନ୍ତ ରାସ୍ତା, ଅସରାଏ ବର୍ଷାରେ ରାସ୍ତାରେ ଆଣ୍ଠୁଏ ପାଣି

State

ଆଗରପଡ଼ା :ଗମନାଗମନର ସୁବିଧା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ନିର୍ମାଣ ହେଉଥିବା ରାସ୍ତା ତିଆରି ହେବାର କିଛି ମାସ ପରେ ଖାଲଖମାରେ ପରିଣତ ହେବା ସହ ଅସରାଏ ବର୍ଷାରେ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିବା ଫଳରେ ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି । ଏହି ପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଆଗରପଡ଼ା ଠାରୁ ବନ୍ତକୁ ଲମ୍ବିଥିବା ୧୪ କିମି ରାସ୍ତାରେ । ଉକ୍ତ ରାସ୍ତା ତିନିଗୋଟି ଜିଲା ଯଥା ଭଦ୍ରକ ଜିଲାର ଆଗରପଡ଼ା , ବାଲେଶ୍ୱର ଜିଲାର ସୋର ଓ କେନ୍ଦୁଝର ଜିଲାର ସୋସୋ ଓ ବିଦ୍ୟାଧରପୁର ସହ ଆନନ୍ଦପୁରକୁ ସଂଯୋଗ କରିଛି । ଏହି ରାସ୍ତା ଉକ୍ତ ଅଂଚଳପାଇଁ ଅତ୍ୟନ୍ତ ନିରାପଦ ଥିବାରୁ ଏହି ରାସ୍ତା ଦେଇ ପ୍ରତିଦିନ ଶହଶହ ଯାନବାହାନ ବିଭିନ୍ନ ସ୍ଥାନକୁ ଯାତାୟତ କରନ୍ତି । ରାସ୍ତାକୁ ଗୁରୁତ୍ୱକୁ ଆଖି ଆଗରେ ରଖି ପୂର୍ତ୍ତବିଭାଗ ପକ୍ଷରୁ ଏହାର ନିର୍ମାଣ ହୋଇଥିଲେ ମଧ୍ୟ ଏବେ ତାହା ଖାଲଖମାରେ ପରିଣତ ହୋଇଛି । ଦୁଇବର୍ଷ ତଳେ ବନ୍ତରୁ ଆଡ଼ିଆ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ରାସ୍ତାର ପିଚୁ ଉଠିବା ସହ ପକ୍କା ରାସ୍ତାରେ ଫାଟମାନ ସୃଷ୍ଟି ହୋଇ ଯାତାୟତରେ ସମସ୍ୟା ସାଜୁଛି । ସେହିପରି ଆଗରପଡ଼ା ଡ଼ାଏଟ ଠାରୁ ଆଡ଼ିଆ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ସଂଗୀନ ହୋଇଛି । ଏହିରାସ୍ତା ଦେଇ କୁପାରୀ ଓ ଅଢ଼ାଳପଙ୍କରୁ ଦୁଇଗୋଟି ବସ୍ କଟକ,ଭୁବନେଶ୍ୱର ,ଭଦ୍ରକ ଆଦିକୁ ଦୈନଦିନ ଗମନାଗମନ କରୁଛି । ସେହିପରି ରାସ୍ତାର ଅବସ୍ଥା ଠିକ୍ ନଥିବା ବେଳେ ରାସ୍ତାରେ ପ୍ରତିଦିଦ ଓଭର ଲୋଡ଼ିଂ ବାଲିଗାଡ଼ି ଉକ୍ତ ରାସ୍ତାରେ ଯିବା ଆସିବା କରିବା ଦ୍ୱାରା ରାସ୍ତାର ଅବସ୍ଥା ଆହୁରୀ ଅଧିକ ଖରାପ ହେବାରେ ଲାଗିଛି । ଏହି ରାସ୍ତାର ଉଭୟ ପାଶ୍ୱର୍ରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ସଂସ୍କୃତ ବିଦ୍ୟାଳୟ ,ବ୍ୟାଙ୍କ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର,ପୋଷ୍ଠ ଅଫିସ ସହ ବିଭିନ୍ନ ଗୁରୁତ୍ୱ ପୁର୍ଣ୍ଣ ବିଭାଗ ଥିବାରୁ ପ୍ରାୟ ସବୁସମୟରେ ଶତାଧିକ ଯାନବାହାନ ଶହ ଶତାଧିକ ଯାତ୍ରୀ ବିଭିନ୍ନ ସ୍ଥାନକୁ ଯାତାୟତ କରିଥାନ୍ତି । ଉକ୍ତ ରାସ୍ତାର ଗୁରୁତ୍ୱ କୁ ଉପଲବ୍ଧ କରି ବିଭାଗ ତରଫରୁ ରାସ୍ତାରେ ସୃଷ୍ଟି ହୋଇଥିବା ଗର୍ତ୍ତକୁ ମରାମତି କରିବା ପାଇଁ ସର୍ବସାଧାରଣଙ୍କ ତରଫରୁ ଦାବି ହେଉଛି ।