Dg 2 (1)

୨୦୨୬ ମାର୍ଚ୍ଚ ସୁଦ୍ଧା ଓଡ଼ିଶାରୁ ମୂଳପୋଛ ହେବେ ମାଓବାଦୀ: ଡିଜିପି

State

ଭୁବନେଶ୍ୱର : ନକ୍ସଲ ମୁକ୍ତ ହେବ ଓଡ଼ିଶା । ୨୦୨୬ ମାର୍ଚ୍ଚ ସୁଦ୍ଧା ଓଡ଼ିଶାରୁ ମାଓବାଦୀ ମୂଳପୋଛ ହେବେ ବୋଲି ଡିଜିପି ୱାଇ ବି ଖୁରାନିଆଙ୍କ ବଡ଼ ବୟାନ । ଗତକାଲି ଛତିଶଗଡ ଦାନ୍ତେନୱାଡାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୯ ମାଓବାଦୀ ଟଳିପଡ଼ିଛନ୍ତି । ସେଠାରେ ଅପରେସନ୍‌କୁ ଜୋରଦାର କରାଯାଉଥିବାରୁ ମାଓବାଦୀମାନେ ଓଡ଼ିଶାକୁ ଅନୁପ୍ରବେଶ ବଢ଼ିବା ଆଶଙ୍କା ଦେଖାଯାଇଛି । ତେଣୁ ଏହାର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିଛି ଓଡ଼ିଶା ପୋଲିସ । ଛତିଶଗଡର ପଡୋଶୀ ଜିଲ୍ଲାଗୁଡିକୁ ହାଇଆଲର୍ଟ ଜାରି କରାଯାଇଛି । ବିଶେଷକରି ନୂଆପଡା ଜିଲ୍ଲା ଦେଇ ଓଡ଼ିଶାକୁ ଅନୁପ୍ରବେଶ କରିବାର ଆଶଙ୍କା କରି ସୀମାରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି । ଛତିଶଗଡ ପଡୋଶୀ ଜିଲ୍ଲା ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନୁଆପଡା, ବରଗଡ, ସୁନ୍ଦରଗଡ ଓ ନବରଙ୍ଗପୁର ଜିଲ୍ଲାଗୁଡିକର ସୀମାକୁ ସିଲ୍‌ କରାଯାଇଛି ।

ଭୁବନେଶ୍ବର ଡିଜିପି କ୍ୟାମ୍ପ ଅଫିସରେ ମାଓ ମୁକାବିଲା ନେଇ ଡିଜିପିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ମାଓ ଅଧ୍ୟୁଷିତ ଜିଲ୍ଲା ଏସ୍ ପି, ଡିଆଇଜିଙ୍କ ସହ ଆଲୋଚନା କରିଛନ୍ତି । ଗୃହ ମନ୍ତ୍ରୀଙ୍କ ଟାସ୍କ ଅନୁସାରେ ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓ ନିପାତ ସରିବ । ମାଓ ଦମନରେ ପୂର୍ବରୁ ଓଡ଼ିଶା ପୋଲିସ ଅନେକ ସଫଳତା ପାଇଛି । ଆଗାମୀ ଦିନରେ ନକ୍ସଲ ଦମନକୁ ଜୋରଦାର କରାଯିବ ବୋଲି କହିଛନ୍ତି ଡିଜିପି । ଯେଉଁ ଜିଲ୍ଲାଗୁଡିକରେ ମାଓ ସମସ୍ୟା ରହିଛି ସେ ଜିଲ୍ଲାଗୁଡ଼ିକ ବିଷୟରେ ଆଲୋଚନା କରାଯିବା ସହ ତଥ୍ୟ ସଂଗ୍ରହ କରାଯାଉଛି । ସେଠାରେ ଦେଖାଯାଉଥିବା ସମସ୍ୟା ସମାଧାନ ହେବ ବୋଲି ଡିଜିପି ସୂଚନା ଦେଇଛନ୍ତି।