Naveen2 750x430

‘ସେବା, ସ୍ୱାଭିମାନ ସଂଗ୍ରାମ ଓ ସଚେତନତା ଆମର ଆଦର୍ଶ’

State

ଭୁବନେଶ୍ୱର: ସେବା, ସଂଗ୍ରାମ, ସ୍ୱାଭିମାନ ଓ ସଚେତନତା ହେଉଛି ବିଜୁ ଜନତା ଦଳର ଆଦର୍ଶ । ଏକ ଆଞ୍ଚଳିକ ଦଳ ଭାବରେ ବିଜୁ ଜନତା ଦଳଗତ ୨୭ ବର୍ଷ ଧରି ଓଡିଶା ବାସୀଙ୍କ ସେବା କରିଆସୁଛି । ଛାତ୍ର, ଯୁବକ, ମହିଳା, ଚାଷୀ ଶ୍ରମିକ ସମସ୍ତଙ୍କୁ ସାଥିରେ ନେଇ ଏହା ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇପାରିଛି । କ୍ଷମତା ନୁହେଁ ଲୋକଙ୍କ ସେବା ହିଁ ବିଜେଡି ଲକ୍ଷ୍ୟ ଅଟେ ବୋଲି କହିଛନ୍ତି ବିଜେଡି ସଭାପତି ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ।

ଶ୍ରୀ ପଟ୍ଟନାୟକ ଆଜି ଶଂଙ୍ଖ ଭବନଠାରେ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାମାନଙ୍କ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ର, ଯୁବ ଓ ମହିଳା ଶାଖା ସମସ୍ତଙ୍କୁ ଏକଜୁଟ ହୋଇ କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

ଗତ ନିର୍ବାଚନ ବିଷୟ ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ନିର୍ବାଚନରେ ହାରଜିତ ଅଛି । ଗତ ନିର୍ବାଚନରେ ବିଜେଡି ୪୧.୦୨ ପ୍ରତିଶତ ଭୋଟ ସହିତ ସର୍ବାଧିକ ସଂଖ୍ୟକ ଭୋଟ ପାଇଥିଲା । ଓଡିଶାବାସୀଙ୍କ ଏ ଭଲ ପାଇବା ହିଁ ବିଜେଡିର ସବୁଠାରୁ ବଡ଼ ଶକ୍ତି ବୋଲି ଶ୍ରୀ ପଟ୍ଟନାୟକ ଦର୍ଶାଇଥିଲେ ।

ବିଜେଡି ସରକାର ସମୟରେ ଶିକ୍ଷା ଓ କ୍ରୀଡା ର ବିକାଶ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଏକ ଜ୍ଞାନ ସମାଜ ଗଠନ ଲକ୍ଷ୍ୟ ନେଇ ରାଜ୍ୟରେ ଗତ ସରକାର ସମୟରେ ଅନେକ ନୂଆ ମେଡିକାଲ କଲେଜ, ବୈଷୟିକ ଶିକ୍ଷନୁଷ୍ଠାନ ଗଠନ ହୋଇଥିଲା ଯାହାକି ଓଡିଶାକୁ ପୂର୍ବ ଭାରତର ଏକ ଶିକ୍ଷାର ପେଣ୍ଠସ୍ଥଳୀ କରି ପାରିଛି । ସରକାରୀ ସ୍କୁଲ ପିଲାଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସଂରକ୍ଷଣ ଏବଂ ୫-ଟି ସ୍କୁଲ କଲେଜ ରୂପାନ୍ତର ସୁଫଳ ଦେବା ଆରମ୍ଭ କରିଛି । ସେହିପରି ଓଡିଶା ଆଜି ଦେଶ ର ଖେଳର ରାଜଧାନୀ ହେବା ଆନନ୍ଦ ର କଥା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।

ସୋସିଆଲ ମେଡ଼ିଆ ର ସମାଜ ଉପରେ ପ୍ରଭାବ ବିଷୟରେ ଅବତାରଣା କରି ଶ୍ରୀ ପଟ୍ଟନାୟକ ଛାତ୍ର ସମାଜ କୁ ସୋସିଆଲ ମିଡିଆରେ ଆକ୍ଟିଭ ରହିବା ପାଇଁ ପରାମର୍ଶ ଦେଇ ଭୁଲ ଖବର ଓ ମିଛ ଖବର ବିରୋଧରେ ସଂଗ୍ରାମ ଜାରି ରଖିବାକୁ ସେ ଆହ୍ୱାନ ଦେଇଥିଲେ ।

ଏହା ସହ ସେ ବର୍ତ୍ତମାନର ବିଜେପି ସରକାର ଉପରେ ବର୍ଷିଥିଲେ । ପ୍ରତି ଘରକୁ ୩୦୦ ୟୁନିଟ୍ ମାଗଣା ବିଜୁଳି ଓ ସବୁ ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ୩୦୦୦ ଟଙ୍କା ପେନସନ, ସୁଭଦ୍ରା ଯୋଜନାରେ ପଚାଶ ହଜାର ଆଦି ବିଜେପି ର ମିଛ ପ୍ରତିଶ୍ରୁତି ବିଷୟରେ । ଲୋକଙ୍କୁ ସଚେତନ କରିବା ଉପରେ ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଆରୋପ କରିଥିଲେ ସେହିପରି ସୁଭଦ୍ରା ଯୋଜନା ରେ ମା ମାନଙ୍କୁ ପଚାଶ ହଜାର ଟଙ୍କା ଘୋଷଣା କରି ପାଞ୍ଚ ହଜାର ଟଙ୍କା କିସ୍ତି ଦେବା ନିଷ୍ପତ୍ତିରେ ସେ ନୈରାଶ୍ୟ ପ୍ରକାଶ କରିଥିଲେ ।