Img 20240829 Wa0050

“ଆମେ ମୟୂରଭଞ୍ଜିଆ” ପକ୍ଷରୁ ପଦ୍ମଶ୍ରୀ ପରମାନନ୍ଦଙ୍କ ଜୟନ୍ତୀ ପାଳିତ

State

ପୂଜ୍ୟପୂଜା ଦ୍ୱାରା ହିଁ ବରପୁତ୍ରମାନେ ମୃତ୍ୟୁଂଜୟୀ ହୋଇଥାନ୍ତି

ବାରିପଦା : ପୂଜ୍ୟପୂଜା ଦ୍ୱାରା ହିଁ ଦିବଙ୍ଗତ ବରପୁତ୍ରମାନଙ୍କୁ କବର ତଳୁ ଉଠାଇ ମୃତ୍ୟୁଂଜୟୀ କରିବାର ଏକମାତ୍ର ମାଧ୍ୟମ । ବରପୁତ୍ରଙ୍କ କୃତୀ ଓ କୀର୍ତ୍ତିର ସ୍ମୃତିଚାରଣ ଦ୍ୱାରା ଉତ୍ତରପିଢି ତାଙ୍କ ସଂପର୍କରେ ଅବଗତ ହେବା ସହିତ ଅଳନ୍ଧୁ ଲଗା ଇତିହାସକୁ ରୋମନ୍ଥନ କରେ । ମାତ୍ର ଅଧିକାଂଶ ସମୟରେ ପୂଜ୍ୟପୂଜାର ବ୍ୟତିକ୍ରମ ଯୋଗୁଁ କୃତବିଦ୍ ପ୍ରତିଭାଧରୀ ଟିଏ ସମୟର ମହାସ୍ରୋତରେ ଲୀନ ହୋଇଯାଏ । ସୁତରାଂ ଇତିହାସର କୋରଡ ଭିତରୁ ସତ୍ୟକୁ ପୁଣି ଥରେ ଉନ୍ମୋଚିତ କରି ପୂଜ୍ୟପୂର୍ବସୂରୀଙ୍କୁ ପୂଜା କରିବାର ଆବଶ୍ୟକତା ଅଛି । ଏଥିପାଇଁ ଜଣେ ପ୍ରତିଶ୍ରୁତି ବଦ୍ଧ ତଥା ମାଟି ଓ ମାଟିର ମଣିଷକୁ ପ୍ରାଣଭରି ଭଲ ପାଉଥିବା ନିଃ ସ୍ୱାର୍ଥପର ବ୍ୟକ୍ତିତ୍ୱର ଆବଶ୍ୟକତା ରହିଛି ବୋଲି ‘ଆମେ ମୟୂରଭଞ୍ଜିଆ’ ପକ୍ଷରୁ ଆୟୋଜିତ ମୟୂରଭଞ୍ଜର ବରପୁତ୍ର ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟଙ୍କ ୧୩୧ତମ ଜୟନ୍ତୀ ସମାରୋହରେ ମତ ପ୍ରକାଶ ପାଇଛି । ଓଡିଶା ପ୍ରତ୍ନତାତ୍ତତ୍ତ୍ୱକ ଅନୁସନ୍ଧାନର ଅଗ୍ରଦୂତ ବିଶିଷ୍ଟ ଐତିହାସିକ , ସୁସାହିତ୍ୟିକ ଏବଂ ସମାଲୋଚକ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟଙ୍କ ଜୟନ୍ତୀ ଅବସରରେ ଆମେ ମୟୂରଭଞ୍ଜିଆ ପକ୍ଷରୁ ଦେଉଳସାହି ଠାରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଆମେ ମୟୂରଭଞ୍ଜିଆର ଆବାହକ ସଞ୍ଜୟ କୁମାର ଚୌଧୁରୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଜୟନ୍ତୀ ସମାରୋହରେ ଡଃ ପୁଷ୍ପା ପାତ୍ର, ଡଃ ଯୋଗେନ୍ଦ୍ର ପଣ୍ଡା, ବିବେକାନନ୍ଦ ପଟ୍ଟନାୟକ, ବିଜୟ କୁମାର ଦାସ, କୁମାର ରଞ୍ଜନ ପଣ୍ଡା, ଉପେନ୍ଦ୍ର କୁମାର ମାଝୀ, ମନୋଜ ଦାଶ, ସତ୍ୟାନନ୍ଦ ଶେଯପଡା, ପ୍ରଦୀପ କୁମାର କର,ସଚ୍ଚିଦାନନ୍ଦ ଆଚାର୍ଯ୍ୟ, ଭାନୁମିତ୍ର ଆଚାର୍ଯ୍ୟ, ୟାସ ଆଚାର୍ଯ୍ୟ, ରଘୁନାଥ ପଣ୍ଡା, ଲକ୍ଷ୍‌ମୀଧର ଜେନା, ଅଶୋକ ମଣ୍ଡଳ ପ୍ରମୁଖ ସାମିଲ ହୋଇ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ଅନ୍ତର୍ଗତ ବୈଦ୍ୟପୁର ଗ୍ରାମରେ ୨୯ଅଗଷ୍ଟ ୧୮୯୩ରେ ଜନ୍ମିତ ଏହି ବିରଳ ବ୍ୟକ୍ତିତ୍ୱ ଥିଲେ ଓଡିଶା ପ୍ରତ୍ନତତ୍ତ୍ୱ ଓ ଖିଚିଂ ମନ୍ଦିରର ପୁରୋଧା । ତତ୍କାଳୀନ ମୟୂରଭଂଜ ରାଜଦରବାରର ପୃଷ୍ଠପୋଷକତାରେ ସେ ପ୍ରତ୍ନତତ୍ତ୍ୱ ଉପରେ ଉଚ୍ଚ ଶିକ୍ଷା ଲାଭ ପାଇଁ ସେ ବିଲାତ ଯାଇଥିଲେ । ବିଲାତରୁ ଫେରିବା ପରେ ସେ ମୟୂରଭଂଜ ଷ୍ଟେଟ ଆରକ୍ୟଲୋଜିଷ୍ଟ ଭାବେ ମୟୂରଭଞ୍ଜର ଆରାଧ୍ୟା ଦେବୀ ମା’ କିଚକେଶ୍ୱରୀଙ୍କ ମନ୍ଦିର ପୁନଃନିର୍ମାଣ ଠାରୁ ଆରମ୍ଭ କରି ଧ୍ୱଂସାବଶେଷ ଭିତରୁ ହରିପୁର ଗଡର ପୁନରୁଦ୍ଧାର କାର୍ଯ୍ୟ ସଂପାଦନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ମୟୂରଭଂଜ ରାଜ୍ୟ ଓଡିଶାରେ ମିଶ୍ରଣ ପରେ ସେ ଷ୍ଟେଟ ମ୍ୟୁଜିୟମ ର ପ୍ରଥମ ଅଧୀକ୍ଷକ (ସୁପରିନ୍‌ଟେଣ୍ଡେଣ୍ଟ) ଭାର ଗ୍ରହଣ କରି ଓଡ଼ିଶାର ପ୍ରତ୍ନତାତ୍ତ୍ୱିକ ଇତିହାସକୁ ଉନ୍ମୋଚିତ କରିବାରେ ସେ ପ୍ରଥମ ଐତିହାସିକ ବ୍ୟକ୍ତିତ୍ୱ ଥିଲେ । କଳା ସାହିତ୍ୟ ସଂସ୍କୃତି ତଥା ପ୍ରତ୍ନତତ୍ତ୍ୱ କ୍ଷେତ୍ରରେ ତାଙ୍କର ବଳିଷ୍ଠ ଅବଦାନ ପାଇଁ ୧୯୬୪ ମସିହାରେ ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଥିଲେ । ଏହି ଭଳି ଜଣେ ଉଜ୍ୱଶୀଳ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱଙ୍କର ନିଜ ଜନ୍ମମାଟିରେ ତାଙ୍କର ପ୍ରତିଭା ପୂଜାରେ ବିଡମ୍ବନା ଦେଖା ଦେଇଥିବା ବେଳେ ୨୦୧୭ମସିହାରୁ ନିରବଚ୍ଛିନ୍ନ ଭାବେ ‘ଆମେ ମୟୂରଭଞ୍ଜିଆ’ ପକ୍ଷରୁ ଏହାକୁ ପାଳିତ କରାଯାଇ ଆସୁଛି ।